କନକ ବ୍ୟୁରୋ: ଗାଡ଼ି ଚାଳକଙ୍କ ପାଇଁ ବଡ଼ ଖବର । କାରଣ ବଦଳୁଥିବା ନିୟମ ଅନୁୟାୟୀ ୧ ତାରିଖରୁ ଏହି ସବୁ ଗାଡ଼ିକୁ ମିଳିବନି ପେଟ୍ରୋଲ । ନିୟମ ଅନୁସାରେ, ଯେଉଁ ଗାଡିର ଅବଧି ସରିଯାଇଥିବ ଅର୍ଥାତ୍ ଗାଡ଼ି ରାସ୍ତାରେ ଚାଲିବାର କଣ୍ଡିସନ୍ରେ ନଥିବ ସେହି ଗାଡ଼ି ପେଟ୍ରୋଲ ପମ୍ପକୁ ଗଲେ ବି ତେଲ ଦିଆଯିବ ନାହିଁ । ଖାସ୍ ସେହି ଗାଡ଼ି ପାଇଁ ପେଟ୍ରୋଲ ପମ୍ପରେ ସିସିଟିଭି ଲଗାଯିବ ।
ପୁଣି ବଦଳିଲା ପେଟ୍ରୋଲ ପମ୍ପର ନିୟମ
କ୍ୟାମେରା ରଖିବ ନଜର
ଏଣିକି ଏହି ଗାଡ଼ି ଗୁଡ଼ିକୁ ମିଳିବନି ପେଟ୍ରୋଲ
ପୁରୁଣା ଗାଡ଼ି ପାଇଁ ବଢୁଛି ପ୍ରଦୂଷଣ
ଗାଡ଼ି ଦେଖିବା ମାତ୍ରେ ମିଳିବନି ପେଟ୍ରୋଲ
ଦେଶରେ ଏବେ ଅନେକ ପୁରୁଣା ଗାଡ଼ି ଚାଲୁଛି । ଯାହାଦ୍ବାରା ପ୍ରଦୂଷଣ ମାତ୍ରା ବି ଭୟଙ୍କର ବଢିବାରେ ଲାଗିଛି । କେମିତି ପ୍ରଦୂଷଣ ମାତ୍ରାକୁ କମାଇ ହେବ ସେନେଇ ସରକାର ଚିନ୍ତା କରୁଛନ୍ତି । ସେଇଥି ଲାଗି ତ ପୁରୁଣା ଗାଡିକୁ ପେଟ୍ରୋଲ ନଦେବାକୁ ନିର୍ଦ୍ଦେଶନାମା ଜାରି ହୋଇଛି । ଅବଶ୍ୟ ଏହା ପୂରା ଦେଶରେ ନୁହେଁ ବରଂ ପ୍ରଥମ ପର୍ଯ୍ୟାୟରେ ଦିଲ୍ଲୀରେ ଲାଗୁ ହେବାକୁ ଯାଉଛି ଏହି ନିୟମ କିନ୍ତୁ ପୂରା ଦେଶରେ ଚର୍ଚ୍ଚା ବଢିଛି ।
ଲାଗିବ ଅଟୋମେଟିକ୍ ନମ୍ବର ପ୍ଲେଟ୍ କ୍ୟାମେରା
ପୁରୁଣା ଗାଡ଼ି ଆସିବା ମାତ୍ରେ ଦେବ ଫଟୋ
ପେଟ୍ରୋଲ ପମ୍ପରେ ଏଣିକି ଅଟୋମେଟିକ୍ ନମ୍ବର ପ୍ଲେଟ୍ ପରଖିପାରୁଥିବା କ୍ୟାମେରା ଲଗାଯିବ । ଯାହାଦ୍ବାରା ପମ୍ପକୁ ପୁରୁଣା ଗାଡ଼ି ଆସିବା ମାତ୍ରେ ଫଟୋ ଉଠିବ । ଏଠାରେ ସ୍ପଷ୍ଟ ଭାବରେ କହିରଖୁଛୁ କି, ୨୦୧୮ ମସିହାରେ ସୁପ୍ରିମକୋର୍ଟ ୧୦ ବର୍ଷର ପୁରୁଣା ଡିଜେଲ୍ ଗାଡ଼ି ଓ ୧୫ ବର୍ଷର ପୁରୁଣା ପେଟ୍ରୋଲ ଗାଡ଼ି ରାସ୍ତାରେ ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଇଥିଲେ । ଖାଲି ଏତିକି ନୁହେଁ ବରଂ ନ୍ୟାସନାଲ୍ ଗ୍ରୀନ ଟ୍ରିବ୍ୟୁନାଲ୍ ବି ଏମିତି ଗାଡ଼ିକୁ ସର୍ବସାଧାରଣ ସ୍ଥାନରେ ପାର୍କିଂ ଉପରେ ବି କଟକଣା ଲଗାଇଥିଲେ । ସୂଚନା ଅନୁସାରେ, ଏଣ୍ଡ ଅଫ୍ ଲାଇଫ୍ ସିଷ୍ଟମ ଏପରି ବାହନ ଗୁଡ଼ିକୁ ଟାର୍ଗେଟ୍ କରିବା ପରେ ଚିହ୍ନଟ ବି କରିଥାଏ । ତେଣୁ ଆସନ୍ତା ଜୁଲାଇ ୧ ତାରିଖରୁ ଏପରି ଗାଡ଼ି ଗୁଡ଼ିକ ଉପରେ ତୀକ୍ଷ୍ଣ ନଜର ରଖାଯିବ ।
କିଛି ପେଟ୍ରୋଲ ପମ୍ପରେ ଏଯାଏ ଲାଗିନି କ୍ୟାମେରା
ନୂଆ ନିୟମ ଜାରି ହେବା ପରେ ବି ଏ ପର୍ଯ୍ୟନ୍ତ ରାଜଧାନୀ ଦିଲ୍ଲୀରେ ସମସ୍ତ ପେଟ୍ରୋଲ ପମ୍ପରେ କ୍ୟାମେରା ଲାଗିନି । ରିପୋର୍ଟ ଅନୁସାରେ, ଆହୁରି ୧୦ ରୁ ୧୫ ପେଟ୍ରୋଲ ପମ୍ପରେ କ୍ୟାମେରା ଲାଗିପାରିନି । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ଦିଲ୍ଲୀରେ ୪୦୦ରୁ ଊର୍ଦ୍ଧ୍ବ ପେଟ୍ରୋଲ ପମ୍ପ ଥିବା ବେଳେ ୧୬୦ ରୁ ଅଧିକ ସିଏନଜି ପମ୍ପ ରହିଛି । ତେଣୁ ସମସ୍ତ ପମ୍ପକୁ କ୍ୟାମେରା ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ତେଣୁ ପୂରା ଦିଲ୍ଲୀର ସମସ୍ତ ପେଟ୍ରୋଲ ପମ୍ପରେ କ୍ୟାମେରା ଲାଗିବା ପରେ ପୁରୁଣା ଗାଡ଼ିକୁ ଚିହ୍ନଟ କରିବା ସହଜ ହେବ ବୋଲି କୁହାଯାଉଛି ।
ଯଦି ପମ୍ପରେ ପହଞ୍ଚେ ପୁରୁଣା ଗାଡ଼ି
ନୂଆ ନିୟମ ହେବା ପରେ ଯଦି ପେଟ୍ରୋଲ ପମ୍ପରେ ପୁରୁଣା ଗାଡ଼ି ପହଞ୍ଚେ ତାହେଲେ ୧୯୮୯ ମୋଟର ଯାନ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ବି ହେବ । ତେଣୁ ଯେଉଁ ମାଲିକମାନେ ପୁରୁଣା ଗାଡ଼ି ରଖିଛନ୍ତି ସେମାନେ ସତର୍କ ରୁହନ୍ତୁ ନହେଲେ ଅଯଥାରେ ତଣ୍ଡ ଗଣିବେ ।