କନକ ବ୍ୟୁରୋ : ଆଫଗାନିସ୍ତାନର ତାଲିବାନ ସରକାର ପାକିସ୍ତାନକୁ ବଡ଼ ଝଟକା ଦେଇଛନ୍ତି। ଦେଶରେ ପାକିସ୍ତାନରୁ ଆସୁଥିବା ସମସ୍ତ ଔଷଧର ଆମଦାନି ଉପରେ ପୂର୍ଣ୍ଣ ପ୍ରତିବନ୍ଧକ ଲଗାଇଛନ୍ତି। ତାଲିବାନ ସରକାର ଏପରି ନିଷ୍ପତ୍ତି ପଛରେ, ପାକିସ୍ତାନର ଜେନେରାଲ୍ ଆସିମ୍ ମୁନିର୍ ଓ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫଙ୍କୁ ଶିକ୍ଷା ଦେବାର ଏକ ବଡ଼ ପଦକ୍ଷେପ ଭାବେ ଦେଖାଯାଉଛି। 

Advertisment

ଆଜିଠୁ ପୁରା ଆଫଗାନିସ୍ତାନରେ ଆଉ ଦେଖିବାକୁ ମିଳିବନି ପାକିସ୍ତାନର ଔଷଧ । ଆଫଗାନିସ୍ତାନର ଅର୍ଥ ମନ୍ତ୍ରଣାଳୟ ଘୋଷଣା କରିଛି ଫେବୃଆରୀ ୯ ତାରିଖରୁ ପାକିସ୍ତାନରୁ ଔଷଧ ଆମଦାନି ସମ୍ପୂର୍ଣ୍ଣ ନିଷିଦ୍ଧ। ସମସ୍ତ କଷ୍ଟମ୍ ପଏଣ୍ଟରେ ପାକିସ୍ତାନୀ ଔଷଧକୁ କ୍ଲିୟାରାନ୍ସ ଦିଆଯିବ ନାହିଁ। ଏହି ନିଷ୍ପତ୍ତି କେବଳ ଆଇନଗତ ବ୍ୟବସାୟ ପାଇଁ ନୁହେଁ, ଚୋରାରେ ମାଧ୍ୟମରେ ଆସୁଥିବା ଔଷଧ ଉପରେ ମଧ୍ୟ ଲାଗୁ ହେବ। ଆଫଗାନ୍ ବ୍ୟବସାୟୀମାନଙ୍କୁ ପାକିସ୍ତାନ ବ୍ୟତୀତ ଅନ୍ୟ ଦେଶରୁ ଔଷଧ ଆଣିବାକୁ ପରାମର୍ଶ ଦିଆଯାଇଛି।ଏହି ପ୍ରତିବନ୍ଧକ ପାକିସ୍ତାନ ସହ ଦୀର୍ଘଦିନର ବିବାଦ ପରେ ଆସିଛି। 

ଅଧିକ ପଢ଼ନ୍ତୁ :  ପାକିସ୍ତାନ-ଆଫଗାନିସ୍ତାନ ଅସ୍ତ୍ରବିରତି, କତାରରେ ବସିଥିବା ବୈଠକ ସଫଳ ହୋଇଥିବା ସୂଚନା

ଗତ ଅକ୍ଟୋବରରେ ଦୁଇ ଦେଶ ମଧ୍ୟରେ ସୀମାନ୍ତ ଆକ୍ରମଣ ହୋଇଥିଲା, ଯାହା ପରେ ସୀମା ବନ୍ଦ ହୋଇଥିଲା। ଆଫଗାନ୍ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି, ପାକିସ୍ତାନୀ ଔଷଧର ଗୁଣବତ୍ତା ଖରାପ ଥିବାରୁ ଏହି ପଦକ୍ଷେପ ନିଆଯାଇଛି। ଔଷଧ ଚୋରାରେ ଆଣୁଥିଲେ ଆଇନଗତ କାର୍ଯ୍ୟାନୁଷ୍ଠାନ  ନିଆଯିବ ଏବଂ ଜବତ ହୋଇଥିବା ଔଷଧଗୁଡ଼ିକୁ କୋର୍ଟ ଆଦେଶ ଅନୁଯାୟୀ ନଷ୍ଟ କରାଯିବ। ଆଫଗାନିସ୍ତାନ ଚାମ୍ବର ଅଫ୍ କମର୍ସ ଏଣ୍ଡ ଇନଭେଷ୍ଟମେଣ୍ଟର ସିଇଓ ମହମ୍ମଦ ଓ୍ବାଲି ଆମିନି କହିଛନ୍ତି, ଏହି ନିଷ୍ପତ୍ତି ଦେଶୀୟ ଉତ୍ପାଦନକୁ ବଢ଼ାଇବ, ନିମ୍ନମାନର ଔଷଧକୁ ବଦଳାଇବ ଏବଂ ବିକଳ୍ପ ଆମଦାନି ରାସ୍ତା ଖୋଲିବ। କାବୁଲର ଏକ ଫାର୍ମେସୀ ମାଲିକ ହିକମତୁଲ୍ଲା କହିଛନ୍ତି, ଅନେକ କ୍ଷେତ୍ରରେ ଦେଶୀୟ ଔଷଧର ଗୁଣବତ୍ତା ପାକିସ୍ତାନୀ ଔଷଧଠାରୁ ଭଲ। ପାକିସ୍ତାନ ପୂର୍ବରୁ ଆଫଗାନିସ୍ତାନର ଔଷଧ ବଜାରର ପ୍ରାୟ ୭୦% ଯୋଗାଇ ଆସୁଥିଲା। ଏହି ପ୍ରତିବନ୍ଧକ ପାକିସ୍ତାନର ଔଷଧ ଶିଳ୍ପକୁ ବଡ଼ କ୍ଷତି ପହଞ୍ଚାଇବ, ବାର୍ଷିକ ଶହଶହ ମିଲିଅନ ଡଲାରର ବ୍ୟବସାୟ ପ୍ରଭାବିତ ହେବ। ଅନ୍ୟପକ୍ଷରେ ଆଫଗାନିସ୍ତାନ ଘରୋଇ ଉତ୍ପାଦନ ବଢ଼ାଇବା ସହ ଭାରତ, ଚୀନ୍, ଇରାନ୍ ଓ ମାଲେସିଆ ଭଳି ଦେଶରୁ ଔଷଧ ଆଣିବାକୁ ଯୋଜନା କରୁଛି। କାବୁଲର ଫାର୍ମାସିଗୁଡ଼ିକରେ ରକ୍ତଚାପ ଓ ଡାଏବେଟିସ୍ ଔଷଧର ଅଭାବ ଦେଖାଯାଉଛି ଏବଂ ମୂଲ୍ୟ ବୃଦ୍ଧି ହୋଇଛି। 


 ଆଫଗାନିସ୍ତାନର ନିଷ୍ପତ୍ତି ପାକିସ୍ତାନ ପାଇଁ ବଡ଼ କ୍ଷତି ବୋଲି କହିପାରିବା କାରଣ ପାକିସ୍ତାନର ଔଷଧ ଅଧିକ ପରିମାଣରେ ଆଫଗାନିସ୍ତାନରେ ବିକ୍ରି କରାଯାଏ ,ପାକିସ୍ତାନରେ ବୋମା ପଡ଼ିଲେ ସରକାର ଆଫଗାନିସ୍ତାନ ର ହାତ ଅଛି ବୋଲି କୁହନ୍ତି ଆଉ ଏବେ ଆଫଗାନ ଔଷଧ ବନ୍ଦ କରି ସେହେବାଜଙ୍କୁ ଚିନ୍ତାରେ ପକାଇଦେଇଛନ୍ତି।