Bangladeshi people Photograph: (Kanak News)
କନକ ବ୍ୟୁରୋ : ଜଗତସିଂହପୁର ଜିଲ୍ଲାରେ ସନ୍ଦିଗ୍ଧ ବାଂଲାଦେଶୀ ଧରାପଡ଼ିବା ପରେ ଆକ୍ସନ ମୋଡରେ ସରକାର । କେନ୍ଦ୍ରାପଡ଼ା ପରେ ଆଜି ଭଦ୍ରକ ଜିଲ୍ଲାରେ ଯାଞ୍ଚ କରିବା ସହ କିଛି ଲୋକଙ୍କୁ ଅଟକ ରଖିଛି ପୁଲିସ୍ । ଏପଟେ ରାଜ୍ୟରେ ଥିବା ଅନୁପ୍ରବେଶକାରୀଙ୍କୁ ତଡ଼ିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି କହିଛନ୍ତି ଆଇନମନ୍ତ୍ରୀ ।
ଜଗତସିଂହପୁରରୁ ସନ୍ଦିଗ୍ଧ ବାଂଲାଦେଶୀ ଚିହ୍ନଟ ହେବା ପରେ ସଜାଗ ହୋଇଛି ପୁଲିସ୍ । ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢ଼ାଉ ସହ କେନ୍ଦ୍ରାପଡ଼ା ଓ ଭଦ୍ରକରେ ଚାଲିଛି ଯାଞ୍ଚ । ବେହେରାମପୁର, ଜଗତସିଂହପୁର ଧନୀପୁର ପରେ ଆଜି ଜିଲ୍ଲାର ଅନ୍ୟ ସ୍ଥାନରେ ଚଢ଼ାଉ କରିଛି ପ୍ରଶାସନ । ସନ୍ଦିଗ୍ଧଙ୍କ ଆଧାର କାର୍ଡ ଓ ପରିଚୟପତ୍ରର ଯାଞ୍ଚ କରାଯାଉଛି । ବାଂଲାଦେଶୀଙ୍କୁ ଆଶ୍ରୟ ଦେଇଥିବା ଫେରାର ଅଭିଯୁକ୍ତ ସିକନ୍ଦର ଆଲମ ଓରଫ୍ ସିକୁକୁ ମଧ୍ୟ ଖୋଜୁଛି ପୁଲିସ୍ ।
ଅଧିକ ପଢ଼ନ୍ତୁ : ବାଂଲାଦେଶୀ ନାବାଳିକା ଚାଲାଣ ମାମଲା; ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କଲା ଏନଆଇଏ
ଜଗତସିଂହପୁରରୁ ଅନୁପ୍ରବେଶକାରୀ ଖସିଯିବା ପରେ କେନ୍ଦ୍ରାପଡ଼ାରେ ସୁରକ୍ଷାକୁ କଡ଼ାକଡ଼ି କରାଯାଇଛି । ବିଭିନ୍ନ ସ୍ଥାନରେ ବ୍ଲକିଂ ଚେକିଂ ଚାଲିଛି । ଆଜି ଭଦ୍ରକ ସହରର ଆଖପାଖକୁ ଲାଗି ରହିଥିବା ଟାଉନ୍ ଥାନା, ପୁରୁଣା ବଜାର ଥାନା, ଗ୍ରାମାଞ୍ଚଳ ଥାନା ଅଞ୍ଚଳରୁ ୧୭ ଜଣଙ୍କୁ ଅଟକ ରଖିଛି ପୁଲିସ୍ । ସେମାନଙ୍କ ଆଧାର କାର୍ଡ, କେବେ ଠାରୁ ଭଦ୍ରକରେ ରହୁଥିବା ତାର ଖୋଳତାଡ଼ କରିଛି ।
ବିଭିନ୍ନ ଜିଲ୍ଲାରେ ଅନୁପ୍ରବେଶକାରୀଙ୍କୁ ତଡ଼ିବା ପାଇଁ ଚଢ଼ାଉ ଚାଲିଥିବାବେଳ ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ । କହିଛନ୍ତି, ବାଂଲାଦେଶୀ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି । ରାଜ୍ୟରୁ ବାହାରିବେ ବାଂଲାଦେଶୀ ଅନୁପ୍ରବେଶକାରୀ । ତେବେ ୧୧ବର୍ଷ ଶାସନ ଭିତରେ ମୋଦୀ ସରକାର କାହିଁକି ସେମାନଙ୍କୁ ବାହାର କରୁନଥିଲେ ସେ ନେଇ ପ୍ରଶ୍ନ ଉଠାଇଛନ୍ତି ବିଜେଡି ବିଧାୟକ ।
ବେଆଇନ ଭାବେ ଓଡ଼ିଶାରେ ରହୁଛନ୍ତି ହଜାର ହଜାର ବେଆଇନ ବାଂଲାଦେଶୀ । କିନ୍ତୁ ସେମାନଙ୍କୁ ତଡ଼ିବା ପାଇଁ ଏଯାଏଁ କୌଣସି ଠୋସ୍ ପଦକ୍ଷେପ ନେଇନାହାନ୍ତି ସରକାର । ପ୍ରଶ୍ନ ଉଠୁଛି, ଅନୁପ୍ରବେଶକାରୀଙ୍କୁ କିଏ ଦେଉଛି ସୁରକ୍ଷା ? ତଡ଼ିବାକୁ ନିର୍ଦ୍ଦେଶ ପରେ ବି କାହିଁ ହାତବାନ୍ଧି ବସିଛି ପୁଲିସ୍ ?
Follow Us