ଦିଲ୍ଲୀବାସୀଙ୍କ ପାଖରେ କେବେ ପହଞ୍ଚିବ ପାଣି: ନାଲିଫିତା ତଳେ ୨୯ ବର୍ଷ ଧରି ଅଟକି ରହିଛି ଯମୁନା ଜଳ ଯୋଜନା

Advertisment

ଯମୁନା ଓ ଏହାର ଶାଖା ନଦୀଗୁଡ଼ିକରେ ଜଳ ପ୍ରବାହ ନିଶ୍ଚିତ କରିବା ପାଇଁ କୌଣସି କାର୍ଯ୍ୟ ଆରମ୍ଭ ହୋଇନାହିଁ । ଦିଲ୍ଲୀ ସରକାର ତିନୋଟି ଡ୍ୟାମ୍ ପାଇଁ ୨୩୦.୭୩ କୋଟି ଟଙ୍କା ଦେଇ ସାରିଛନ୍ତି। କିନ୍ତୁ ପ୍ରକଳ୍ପ ଅଟକି ରହିଛି ।

ଯମୁନା ଓ ଏହାର ଶାଖା ନଦୀଗୁଡ଼ିକରେ ଜଳ ପ୍ରବାହ ନିଶ୍ଚିତ କରିବା ପାଇଁ କୌଣସି କାର୍ଯ୍ୟ ଆରମ୍ଭ ହୋଇନାହିଁ । ଦିଲ୍ଲୀ ସରକାର ତିନୋଟି ଡ୍ୟାମ୍ ପାଇଁ ୨୩୦.୭୩ କୋଟି ଟଙ୍କା ଦେଇ ସାରିଛନ୍ତି। କିନ୍ତୁ ପ୍ରକଳ୍ପ ଅଟକି ରହିଛି ।

water problem

water problem Photograph: (Google)

କନକ ବ୍ୟୁରୋ: ଦିଲ୍ଲୀର ଜଳକଷ୍ଟ ଦୂର କରିବା ପାଇଁ ରେଣୁକାଜୀ, କିଶୌ ଓ ଲଖୱାର ଡ୍ୟାମ୍‌ରେ ମୌସୁମୀ ଜଳପ୍ରବାହକୁ ବ୍ୟବହାର କରିବା ଲାଗି ୨୯ ବର୍ଷ ପୂର୍ବେ ଦିଲ୍ଲୀ, ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡ ସରକାର ଏକ ବୁଝାମଣାପତ୍ର (ଏମଓୟୁ)ସ୍ୱାକ୍ଷର କରିଥିଲେ। ତେବେ ଆଜି ପର୍ଯ୍ୟନ୍ତ ଏହି ଯୋଜନା ‌କାଗଜପତ୍ରରେ ନାଲିଫିତା ତଳେ ରହିଛି । ଯମୁନା ଓ ଏହାର ଶାଖା ନଦୀଗୁଡ଼ିକରେ ଜଳ ପ୍ରବାହ ନିଶ୍ଚିତ କରିବା ପାଇଁ କୌଣସି କାର୍ଯ୍ୟ ଆରମ୍ଭ ହୋଇନାହିଁ । ଦିଲ୍ଲୀ ସରକାର ତିନୋଟି ଡ୍ୟାମ୍ ପାଇଁ ୨୩୦.୭୩ କୋଟି ଟଙ୍କା ଦେଇ ସାରିଛନ୍ତି। କିନ୍ତୁ ପ୍ରକଳ୍ପ ଅଟକି ରହିଛି । ଅଧିକାରୀମାନେ ଆକଳନ କରିଛନ୍ତି, ଏହି ତିନୋଟି ଜଳଭଣ୍ଡାର ଆଗାମୀ ୨୫ ବର୍ଷ ପାଇଁ ରାଜଧାନୀର ପାନୀୟ ଜଳ ଆବଶ୍ୟକତା ପୂରଣ କରିପାରିବ । 

ନିୟନ୍ତ୍ରକ ଓ ଅଡିଟର ଜେନେରାଲ (ସିଏଜି) ସମ୍ପ୍ରତି ଦିଲ୍ଲୀ ଜଳ ବୋର୍ଡ (ଡିଜେବି) ଅଡିଟରେ ପ୍ରକଳ୍ପରେ ଅହେତୁକ ବିଳମ୍ବ ହୋଇଥିବା ସୂଚିତ କରିଛନ୍ତି । ପ୍ରକଳ୍ପଗୁଡ଼ିକ ଜାତୀୟ ଗୁରୁତ୍ୱ ସ୍ଥିତି ସତ୍ତ୍ୱେ, ଉପର ଯମୁନା ନଦୀ ବୋର୍ଡ ଓ ଜାତୀୟ ସବୁଜ ଟ୍ରିବ୍ୟୁନାଲ(ଏନ୍‌ଜିଟି)ର ଅନୁମୋଦନ ଅପେକ୍ଷାରେ ଥିବାରୁ ନିର୍ମାଣ ଏପର୍ଯ୍ୟନ୍ତ ଆରମ୍ଭ ହୋଇନାହିଁ। ମୌସୁମୀ ସମୟରେ ନଦୀରଜଳ ସ୍ରୋତକୁ ଉପଯୋଗ କରିବା ପାଇଁ, ଅବବାହିକା ରାଜ୍ୟଗୁଡ଼ିକ ଦ୍ୱାରା ଯମୁନା ନଦୀରେ ଦୁଇଟି ବନ୍ଧ ନିର୍ମାଣ ପାଇଁ ଏକ ବୁଝାମଣାପତ୍ର ନଭେମ୍ବର ୧୯୯୪ରେ ସ୍ୱାକ୍ଷରିତ ହୋଇଥିଲା । ଗୋଟିଏ ହିମାଚଳ ପ୍ରଦେଶର ରେଣୁକାଜୀରେ ଓ ଅନ୍ୟଟି ଉତ୍ତରାଖଣ୍ଡର କିଶୌରେ। ଦିଲ୍ଲୀ ଜଳ ବୋର୍ଡ ପକ୍ଷରୁ ତିନିଟି ଡ୍ୟାମ୍ ନିର୍ମାଣ ପାଇଁ ହିମାଚଳପ୍ରଦେଶ ଓ ଉତ୍ତରାଖଣ୍ଡ ସରକାରଙ୍କୁ ମାର୍ଚ୍ଚ ୨୦୨୨ରେ ୨୩୦.୭୩ କୋଟି ଟଙ୍କା ପ୍ରଦାନ କରାଯାଇଥିଲା। ସେଥିମଧ୍ୟରୁ ରେଣୁକାଜୀ ଡ୍ୟାମ୍ ପାଇଁ ୨୨୪.୮୪ କୋଟି ଟଙ୍କା, କିଶୌ ଡ୍ୟାମ୍ ପାଇଁ ୮.୧୦ କୋଟି ଟଙ୍କା ଓ ଲଖୱାରରେ ଅନ୍ୟ ଏକ ଡ୍ୟାମ୍ ନିର୍ମାଣ ପାଇଁ ୭.୭୯ କୋଟି ଟଙ୍କା ଆବଣ୍ଟିତ ହୋଇଥିଲା। ଏହି ପ୍ରକଳ୍ପଗୁଡ଼ିକୁ ଜାତୀୟ ଗୁରୁତ୍ୱ ପ୍ରକଳ୍ପ ଭାବରେ ଘୋଷଣା କରାଯାଇଥିଲା । 

ଅଧିକ ପଢନ୍ତୁ: ଗୁରୁବାର ଦିଲ୍ଲୀରେ ଜାନୁଆରିର ସବୁଠୁ ଥଣ୍ଡା ଦିନ, ୨.୯ ଡିଗ୍ରି ତାପମାତ୍ରାରେ ଥରିଲା ରାଜଧାନୀ

ତଥାପି, ରେଣୁକା ଡ୍ୟାମ୍, ଲଖୱାର ଏବଂ କିଶୌ ଡ୍ୟାମ୍‌ର କାମ ଉପର ଯମୁନା ନଦୀ କମିସନ (ୟୁୱାଇଆର୍‌ସି) ସହିତ ଯୋଜନା ଓ ଅନୁମୋଦନ ପର୍ଯ୍ୟାୟରେ ରହିଛି । ତେଣୁ ନିକଟ ଭବିଷ୍ୟତରେ ଯମୁନା ନଦୀରୁ ଜଳ ଉପଲବ୍ଧତା ବୃଦ୍ଧି ହେବାର ସମ୍ଭାବନା ନାହିଁ ବୋଲି ସିଏଜି ଉଲ୍ଲେଖ କରିଛନ୍ତି। ସମ୍ପୂର୍ଣ୍ଣ ହେବା ପରେ, ଲଖୱାର ଡ୍ୟାମ୍ ଦିଲ୍ଲୀକୁ ପ୍ରାୟ ୧୩୫ ଏମ୍‌ଜିଡି ଜଳ ଯୋଗାଣ କରିପାରିବ। ସେହିପରି ରେଣୁକାଜୀ ଏବଂ କିଶୌ ପ୍ରକଳ୍ପଗୁଡ଼ିକ ଯଥାକ୍ରମେ ୨୭୫ ଏମ୍‌ଜିଡି ୩୭୨ ଏମ୍‌ଜିଡି ଜଳ ଯୋଗାଇ ପାରିବ। ଯମୁନାର ଏକ ପ୍ରମୁଖ ଉପନଦୀ ଟନ୍ସ ନଦୀ ଉପରେ ପରିକଳ୍ପନା କରାଯାଇଥିବା କିଶାଉ ବହୁମୁଖୀ ପ୍ରକଳ୍ପରେ ୧,୩୨୪ ନିୟୁତ ଘନ ମିଟର ଜଳ ସଂରକ୍ଷଣ କ୍ଷମତା ଥିବା ୨୩୬ ମିଟର ଉଚ୍ଚତା ବିଶିଷ୍ଟ ଏକ ବନ୍ଧ ନିର୍ମାଣ କରାଯାଇଛି । ଆନ୍ତଃରାଜ୍ୟ ବିବାଦ ଓ ଆର୍ଥିକ ଆହ୍ବାନ ଯୋଗୁ ପ୍ରକଳ୍ପ କ୍ଷେତ୍ରରେ ବିଳମ୍ବ ହୋଇଛି । 

ଲଖୱାର ପ୍ରକଳ୍ପ ଉତ୍ତରାଖଣ୍ଡର ଡେରାଡୁନ ଜିଲ୍ଲାର ଲୋହାରି ଗାଁ ନିକଟରେ ଯମୁନା ନଦୀ ଉପରେ ୨୦୪ ମିଟର ଉଚ୍ଚ କଂକ୍ରିଟ୍ ବନ୍ଧ ନିର୍ମାଣ କରାଯାଉଛି। ୧୯୭୬ ମସିହାରେ ଏହାର କଳ୍ପନା କରାଯାଇଥିଲା । ନିର୍ମାଣ ଆରମ୍ଭ ହୋଇଥିଲା କିନ୍ତୁ ପାଣ୍ଠି ସଙ୍କଟ ଯୋଗୁ ୧୯୯୨ରେ ଏହା ବନ୍ଦ ହୋଇଯାଇଥିଲା । ହିମାଚଳ ପ୍ରଦେଶର ସିରମୋର ଜିଲ୍ଲାରେ ଗିରି ନଦୀ ଉପରେ ପ୍ରସ୍ତାବିତ ରେଣୁକାଜି ୧୪୮ ମିଟର ଉଚ୍ଚ ବନ୍ଧକୁ ଯୋଜନା କରାଯାଇଛି। ଜଳ ସଂରକ୍ଷଣ ସହିତ ଏହା ୪୦ ମେଗାୱାଟ ଜଳବିଦ୍ୟୁତ ଉତ୍ପାଦନ କରିବା ପାଇଁ ଡିଜାଇନ୍ କରାଯାଇଛି। ଏହା ଦ୍ବାରା ଦିଲ୍ଲୀ, ହରିୟାଣା, ରାଜସ୍ଥାନ ଓ ଉତ୍ତର ପ୍ରଦେଶ ମଧ୍ୟରେ ଜଳ ଆବଣ୍ଟିତ କରାଯାଇପାରିବ। ଅଧିକାରୀମାନେ କହିଛନ୍ତି, ଲଖୱାର ଆଂଶିକ ଭାବରେ ନିର୍ମିତ ହୋଇଛି । ପ୍ରାୟ ୧୩ ପ୍ରତିଶତ କାର୍ଯ୍ୟ ସମାପ୍ତ ହୋଇଛି। ରେଣୁକାଜି ଟେଣ୍ଡର ପର୍ଯ୍ୟାୟରେ ପ୍ରବେଶ କରିଛି । ଅପରପକ୍ଷରେ କିଶାଉ ଆନ୍ତଃରାଜ୍ୟ ଚୁକ୍ତିନାମା ଓ ଅନୁମୋଦନ ପର୍ଯ୍ୟାୟରେ ରହିଛି। ସିଏଜି କହିଛନ୍ତି, ଡିଜେବି ଦ୍ୱାରା ହିମାଚଳ ପ୍ରଦେଶକୁ ବୁଝାମଣାପତ୍ର କାର୍ଯ୍ୟକାରୀ କରିବା ପାଇଁ ବାରମ୍ବାର ଅନୁରୋଧ କରାଯିବା ସତ୍ତ୍ୱେ ଚୁକ୍ତିନାମା କାର୍ଯ୍ୟକାରୀ ହୋଇନାହିଁ । ଫଳରେ ଦିଲ୍ଲୀବାସୀଙ୍କ ପାଖରେ କେବେ ଏହି ପ୍ରକଳ୍ପର ପାଣି ପହଞ୍ଚିବ ତାହା ଅନିଶ୍ଚିତତା ମଧ୍ୟରେ ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe