କନକ ବ୍ୟୁରୋ: ପ୍ରଥମ ଭାରତୀୟ ଭାବେ ଅଲିମ୍ପିକ୍ସରେ ବ୍ୟକ୍ତିଗତ ସ୍ବର୍ଣ୍ଣ ପଦକ ଜିତିଥିବା ଅଭିନବ ବିନ୍ଦ୍ରା ସସମ୍ମାନେ ଅନ୍ତର୍ଜାତୀୟ ଅଲିମ୍ପିକ୍ସ କମିଟିର ଆଥଲେଟ୍ସ କମିସନ୍‌ ଭୂମିକାରୁ ବିଦାୟ ନେଇଛନ୍ତି । ଗର୍ବର ସହିତ ଏହି ମର୍ଯ୍ୟାଦାଜନକ ଦାୟିତ୍ୱରୁ ମୁଁ ବିଦାୟ ନେଉଛି ବୋଲି ମଧ୍ୟ ୪୩ ବର୍ଷୀୟ ବିନ୍ଦ୍ରା ପ୍ରକାଶ କରିଛନ୍ତି । 

Advertisment

ଏହା ବି ପଢ଼ନ୍ତୁ: ଭାରତ କେମିତି ଖେଳିପାରିବ ସେମିଫାଇନାଲ୍‌ ?

ଇଟାଲିରେ ଚାଲିଥିବା ଶୀତକାଳୀନ ଅଲିମ୍ପିକ୍ସ ଅବସରରେ ବିନ୍ଦ୍ରାଙ୍କ ବଦଳରେ କେନିୟାର ରଗ୍‌ବି ତାରକା ହମ୍ଫରେ କାୟାଙ୍ଗେଙ୍କୁ ଆଇଓସି ଆଥଲେଟ୍ସ କମିସନ୍‌ରେ ସାମିଲ କରାଯାଇଛି । ଏହି ଭୂମିକା ମୋ କ୍ରୀଡ଼ା ଜୀବନଯାତ୍ରାରେ ଅର୍ଥପୂର୍ଣ୍ଣ ରହିଥିଲା ବୋଲି ବିନ୍ଦ୍ରା ସ୍ବୀକାର କରିଛନ୍ତି । ବିଶ୍ବବ୍ୟାପୀ କ୍ରୀଡ଼ାବିତ୍‌ଙ୍କ ସେବା କରିବା, ସେମାନଙ୍କ ଚିନ୍ତାକୁ ଅନୁଭବ କରିବା, ସ୍ବର ଉଠାଇବା, ଆଶାକୁ ଜାଗ୍ରତ ରଖିବା ଓ ସ୍ବପ୍ନକୁ ସାକାର କରିବା ଦିଗରେ ମୋ ଦାୟିତ୍ୱକୁ ମୁଁ କେବେ ହାଲକାରେ ଦେଖିନାହିଁ । ପ୍ରତିଟି ଆଲୋଚନା, ପ୍ରତିଟି ନିଷ୍ପତ୍ତି, ପ୍ରତିଟି ମୁହୂର୍ତରେ ଗୋଟିଏ ବିଶ୍ବାସ ରଖିଥିଲି ଯେ ଖେଳାଳିମାନେ ଯେଭଳି ଅଲିମ୍ପିକ୍‌ ଆନ୍ଦୋଳନର କେନ୍ଦ୍ରରେ ରହିବେ । ଖେଳାଳିମାନଙ୍କ ପ୍ରତିନିଧିତ୍ବକୁ ଦୃଢ଼ କରିବା ଏବଂ ସେମାନଙ୍କ ସ୍ବରକୁ ସମ୍ମାନର ସହ ଶୁୁଣିବାକୁ ସବୁମତେ ପ୍ରୟାସ କରାଯାଇଥିଲା ବୋଲି ୮ ବର୍ଷର ଆଇଓସି ଦାୟିତ୍ୱ ଶେଷ ହେବା ପରେ ବିନ୍ଦ୍ରା ପ୍ରକାଶ କରିଥିଲେ ।