କନକ ବ୍ୟୁରୋ : ଅବହେଳିତ ହୋଇପଡ଼ିଛି ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ରାଧାନଗର ଐତିହାସିକ ପୀଠ । ଦିନେ ଏଇଠୁ ଚମକାଇ ଦେଲା ଭଳି ବୌଦ୍ଧକୀର୍ତ୍ତି ଆବିଷ୍କୃତ ହୋଇଥିଲା । ସାରା ବିଶ୍ୱର ଦୃଷ୍ଟି ଆକର୍ଷଣ କରିଥିଲା । ମାତ୍ର ଉତଖନନ ଓ ରକ୍ଷଣାବେକ୍ଷଣ ଅଭାବରୁ ପୋତିହୋଇ ପଡ଼ିଲାଣି ଏହି ଐତିହ୍ୟ ସ୍ଥଳ । ଅନେକ ଇତିହାସର ମୁକସାକ୍ଷୀ ଓ ସ୍ମାରକୀ ବହନ କରୁଥିବା ରାଧାନଗର ପର୍ଯ୍ୟଟନସ୍ଥଳର ସୁରକ୍ଷା ଓ ବିକାଶ ନେଇ ସରକାରୀ ଉଦାସୀନତା ଜଳଜଳ ହୋଇ ଦିଶୁଛି । ପରିତ୍ୟକ୍ତ ଓ ଅପନ୍ତରା ଦିଶୁଥିବା ଏହି ସ୍ଥାନଟି ହେଉଛି ଧର୍ମଶାଳା ବ୍ଲକର ରାଧାନଗର ଗାଁ । 

Advertisment

ପ୍ରାୟ କୋଡ଼ିଏ ବର୍ଷତଳେ ଏଠାରୁ ଅନେକ ବୌଦ୍ଧ କୀର୍ତ୍ତିର ସନ୍ଧାନ ମିଳିଥିଲା । ପ୍ରାଚୀନ କଳିଙ୍ଗର ୨ହଜାର ବର୍ଷ ପୂର୍ବର ସ୍ମାରକୀ ପୋତିହୋଇ ରହିଥିଲା । ୨୦୦୪ ମସିହାରେ ଦକ୍ଷିଣ-ପୂର୍ବ ଏସୀୟ ଗବେଷଣା ପ୍ରତିଷ୍ଠାନ ଓ ଉତ୍କଳୀୟ ନୌବାଣିଜ୍ୟ ପ୍ରତିଷ୍ଠାନ ମିଳିତ ଉଦ୍ୟମରେ ରାଧାନଗର ଐତିହ୍ୟସ୍ଥଳର ଉତଖନନ କରାଯାଇ ଅନେକ ବିରଳ କୀର୍ତ୍ତି ଆବିଷ୍କାର କରାଯାଇଥିଲା । ସେଗୁଡ଼ିକୁ ତରାପୁରସ୍ଥିତ ମ୍ୟୁଜିୟମରେ ରଖାଯାଇଥିବା ବେଳେ ବର୍ତ୍ତମାନ ସେଠାରେ ଆଠଫୁଟ ଉଚ୍ଚତାର ଏକ ବିଶାଳ ପ୍ରାଚୀର ରହିଛି । ରକ୍ଷଣାବେକ୍ଷଣ ଅଭାବ ଯୋଗୁଁ ତାହା ବି ଏବେ କଣ୍ଟାବଣରେ ପରିଣତ ହୋଇଛି । 

ଅଧିକ ପଢ଼ନ୍ତୁ---ଦୁର୍ନୀତିରେ ଜଡ଼ସଡ଼ ଗ୍ରାମ୍ୟ ଉନ୍ନୟନ ବିଭାଗ ! ବିଜୁ ସେତୁ ନିର୍ମାଣରେ ନିମ୍ନମାନର କାମ ଅଭିଯୋଗ

ଐତିହାସିକମାନଙ୍କ ମତରେ, ଏହି ରାଧାନଗର ଅଂଚଳ ଅଶୋକଙ୍କ କଳିଙ୍ଗ ଯୁଦ୍ଧ ପୂର୍ବରୁ ଏକ ସୁରକ୍ଷାଗଡ଼ ଭାବରେ ରହିଥିଲା । ଶତ୍ରୁମାନଙ୍କ ଆକ୍ରମଣକୁ ପ୍ରତିହତ କରିବା ପାଇଁ ଏହିଠାରେ ରାଧାନଗର ଗଡ଼ ରହିଥିଲା । ଶିଶୁପାଳଗଡ଼, ଜଉଗଡ଼ ଓ ଅସୁରଗଡ଼ ସହିତ ଏହି ରାଧାନଗର ଗଡ଼ର ସମ୍ପର୍କ ରହିଥିବାର ଅନୁମାନ କରାଯାଏ।  ଖ୍ରୀଷ୍ଟପୂର୍ବ ସମୟର ରୌପ୍ୟମୁଦ୍ରା, କୁଶାଣ ଶାସନ ସମୟର ସ୍ୱର୍ଣ୍ଣମୁଦ୍ରା ଓ ତାମ୍ରମୁଦ୍ରା, ଟେରାକୋଟା ଅଳଙ୍କାର, କଉଡ଼ି, ଇଟା, ମାଟିପାତ୍ର, ପ୍ରାଚୀନ ମୂର୍ତ୍ତି ଇତ୍ୟାଦି ଆବିଷ୍କୃତ ହୋଇ ପ୍ରମାଣ କରିଥିଲା ଯେ ରାଧାନଗର ଏକଦା ବିଶ୍ୱ ବାଣିଜ୍ୟ କେନ୍ଦ୍ର ଥିଲା । ମାତ୍ର ଗୋଟିଏ ଥର ଉତଖନନ ପରେ ରାଜ୍ୟ ସରକାରଙ୍କ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା ଏହାର ଉପଯୁକ୍ତ ରକ୍ଷଣାବେକ୍ଷଣ ଦିଗରେ ସେପରି ଆଗ୍ରହ ପ୍ରକାଶ କରୁନାହିଁ । ଯାହାଫଳରେ ଏହି ସ୍ଥାନଟି ଏବେ ଗୋରୁଗାଈଙ୍କ ଚରାଭୂଇଁ ପାଲଟିଛି । ଏହାର ସୁରକ୍ଷା ପାଇଁ ପାଚେରୀ ନିର୍ମାଣ କରାଯାଇନଥିବାରୁ ସ୍ଥାନୀୟ ଲୋକେ ଏହାକୁ ଶୌଚାଳୟ ଭାବରେ ବ୍ୟବହାର କରୁଛନ୍ତି ।  ସତେ ଯେମିତି ମାଟିତଳେ ପୋତିହୋଇ କାନ୍ଦୁଛି ଐତିହ୍ୟ ସ୍ଥଳ ।