Anganbadi Photograph: (kanak news)
କନକ ବ୍ୟୁରୋ : କୋରାପୁଟ ଜିଲ୍ଲାରେ ଭୁଶୁଡ଼ି ପଡ଼ିଛି ଶିକ୍ଷା ବ୍ୟବସ୍ଥାର ମୂଳଦୁଆ । କୁନି କୁନି ପିଲାଙ୍କୁ ଶିକ୍ଷାଦାନ କରୁଥିବା ୪୮୪ ଅଙ୍ଗନବାଡ଼ି କେନ୍ଦ୍ରର ନିଜସ୍ୱ ଘର ନାହିଁ । କେଉଁଠି ଭଡ଼ା ଘରେ ଆଉ କେଉଁଠି ରାସ୍ତା କଡ଼ରେ ଶିଶୁଙ୍କୁ ଦିଆଯାଉଛି ଶିକ୍ଷାଦାନ । ଅସୁରକ୍ଷିତ ଶିଶୁ , ଅସୁରକ୍ଷିତ ଗର୍ଭବତୀ ଓ ପ୍ରସୂତୀ । ପ୍ରତିଶ୍ରୁତିରେ ଅଟକି ରହିଛି ପ୍ରସାଶନ । ଚାରିପଟେ ଚାଳ ବାଉଁଶ ତାଟିର କାନ୍ଥ । ତାଉପରେ ଢଙ୍କା ହୋଇଛି ସବୁଜ ପଲିଥିନ । ଏଠି କୁନି ପିଲାଙ୍କ ପାଠପଢ଼ା, ଏଠାରେ ଭୋଜନ । ଏଇଠି କାନ୍ଥରୁ ପ୍ଲାଷ୍ଟର ଛାଡ଼ିଗଲାଣି । ଆଜବେଷ୍ଟସ ବି ଭାଙ୍ଗିଲାଣି । କୋରାପୁଟ ଜିଲ୍ଲାରୁ ଆସିଛି ଅଙ୍ଗନବାଡ଼ି କେନ୍ଦ୍ରର ଏହି ଖବର । ଯେଉଁଠିକୁ ଭବିଷ୍ୟତ ଗଢ଼ିବାକୁ ଆସୁଛନ୍ତି କୋମଳମତି ଶିଶୁ । କେବଳ ଏହି ଦୁଇଟି କେନ୍ଦ୍ର ନୁହେଁ ଜିଲ୍ଲାର ଅଧିକାଂଶ ଅଙ୍ଗନବାଡ଼ି କେନ୍ଦ୍ର କାହା ଘର ବାରଣ୍ଡାରେ, ଗଛ ମୂଳେ ପୁଣି କେଉଁଠି ରାସ୍ତାକଡ଼ରେ ଚାଲିଛି । ଆଦିବାସୀ ଅଚଂଳର ଅଙ୍ଗନବାଡ଼ି କେନ୍ଦ୍ରର ଶୋଚନୀୟ ସ୍ଥିତିକୁ ନେଇ ଶିକ୍ଷାବିତ୍ ଓ ସମାଜସେବୀ ସ୍ୱର ଉଠାଇଛନ୍ତି ।
ଆଦିବାସୀ ଅଞ୍ଚଳରେ ଶିକ୍ଷା, ପୁଷ୍ଟିକର ଖାଦ୍ୟ ପ୍ରଦାନ, ଟିକାକରଣରେ ପ୍ରମୁଖ ଭୂମିକା ତୁଳାଉଥିବା ଅଙ୍ଗନବାଡ଼ି କେନ୍ଦ୍ର ଆଜି ବି ଅବହେଳିତ। ଯୋଜନାର ବୟସ ବଢ଼ିଛି କିନ୍ତୁ ଚିତ୍ର ବଦଳୁନାହିଁ । ଜିଲ୍ଲାର ଦିଶା ବୈଠକରେ ବିଭାଗୀୟ ଅଧିକାରୀ ଦେଇଥିବା ରିପୋର୍ଟ ଅନୁସାରେ ଜିଲ୍ଲାରେ ୨, ୯୧୩ଟି ଅଙ୍ଗନବାଡ଼ି କେନ୍ଦ୍ରର ନିଜସ୍ୱ ଗୃହ ନାହିଁ । ୧୫୦୦ରୁ ଅଧିକ କେନ୍ଦ୍ରରେ ଶୌଚାଳୟ, ପାନୀୟଜଳ, ବିଦ୍ୟୁତ୍ ବ୍ୟବସ୍ଥା ନାହିଁ । ୪୮୪ଟି କେନ୍ଦ୍ର ସ୍କୁଲ ବାରଣ୍ଡା, ଗାଁ ଘର ଏବଂ କିଛି ଗଛମୂଳେ ଚାଲିଛି । ଅନ୍ୟପଟେ ଅଧିକାରୀ କହୁଛନ୍ତି ଅନୁଦାନ ଆସିଛି, ଧିରେ ଧିରେ ସବୁ ଅଙ୍ଗୱାଡ଼ିର ନିଜସ୍ୱ ଘର ହୋଇଯିବ । ସମୟ ବଦଳୁଛି, ସରକାର ବଦଳୁଛନ୍ତି । ହେଲେ ଆଦିବାସୀ ବହୁଳ କୋରାପୁଟ ଜିଲ୍ଲା ବଦଳୁନି ପ୍ରାକ୍ ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର । ଯେଉଁଠି ଶିକ୍ଷାର ମୂଳଦୁଆ ଟାଣ ନାହିଁ, ସେଠାରେ ଶିକ୍ଷାର ବିକାଶ ହେବ କିପରି ?
ଅଧିକ ପଢ଼ନ୍ତୁ---ପୁଣି ଭକ୍ତଙ୍କ ଭାବନା ସହ ଖେଳ ; ଦେବଦେବୀଙ୍କ ମୂର୍ତ୍ତିରେ ବୋଳିଲେ ମଇଳା
Follow Us