Dropout Photograph: (KanakNews)
କନକ ବ୍ୟୁରୋ: ଓଡ଼ିଶାରେ ପୁଣି ଉପରମୁହାଁ ଡ୍ରପ୍ଆଉଟ ହାର । ଅଧାରୁ ପାଠପଢ଼ା ଛାଡ଼ୁଥିବା ପିଲାଙ୍କ ସଂଖ୍ୟା ପ୍ରତି ୧୦୦ରେ ୧୫ ଜଣ । ଆଜି ବିଧାନସଭାରେ ଗଣଶିକ୍ଷା ମନ୍ତ୍ରୀଙ୍କ ଉତ୍ତର ସାରା ରାଜ୍ୟରେ ଉଦବେଗ ସୃଷ୍ଟି କରିଛି । ଶିକ୍ଷାକୁ ନେଇ ଏବେ ବି ଲୋକଙ୍କୁ ସଚେତନ କରାଯାଇପାରୁନି କାହିଁକି? କାହିଁକି ହାଇସ୍କୁଲରେ ପଢ଼ୁଥିବା ବହୁ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେବା ଆଗରୁ ବହି ବସ୍ତାନିରେ ଡୋରି ବାନ୍ଧୁଛନ୍ତି, ଏହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ଶିକ୍ଷାବିତ୍ ।
ମାଟ୍ରିକ ପରୀକ୍ଷାର ପ୍ରଥମ ଦିନରେ ୧୨ହଜାର ଛାତ୍ରଛାତ୍ରୀ ପରୀକ୍ଷା ନଦେବାର କାରଣ ଖୋଜା ଭିତରେ ସାମନାକୁ ଆସିଛି ସାଂଘାତିକ ତଥ୍ୟ। ଏବେ ବି ରାଜ୍ୟର ୧୫ ପ୍ରତିଶତ ପିଲା ଅଧାରୁ ପାଠ ଛାଡୁଛନ୍ତି । ବିଧାନସଭାରେ ଗଣଶିକ୍ଷା ମନ୍ତ୍ରୀ ଦେଇଥିବା ତଥ୍ୟ ଅନୁସାରେ, ରାଜ୍ୟରେ ୧୨ ପ୍ରତିଶତରୁ ଡ୍ରପ୍ଆଉଟ୍ ହାର ବଢ଼ି ୧୫ ପ୍ରତିଶତରେ ପହଞ୍ଚିଛି। ୨୦୨୪-୨୫ ଶିକ୍ଷାବର୍ଷରେ ନବମ ଓ ଦଶମ ଶ୍ରେଣୀରେ ସବୁଠୁ ଅଧିକ ପିଲା ଛାଡ଼ିଛନ୍ତି ପାଠପଢ଼ା । ଝିଅଙ୍କ ତୁଳନାରେ ଅଧିକ ପୁଅ ନାଁ ଲେଖାଇ ସ୍କୁଲକୁ ଆସୁନାହାନ୍ତି । ନବମ ଓ ଦଶମ ଶ୍ରେଣୀରେ ମୋଟ ୧୫ ପ୍ରତିଶତ ପିଲା ପାଠ ଛାଡ଼ିଛନ୍ତି । ସେମାନଙ୍କ ମଧ୍ୟରୁ ୧୨.୫ ପ୍ରତିଶତ ଝିଅ ଓ ୧୭.୩ ପ୍ରତିଶତ ପୁଅ ଅଛନ୍ତି । ଷଷ୍ଠରୁ ଅଷ୍ଟମ ମଧ୍ୟରେ ଡ୍ରପ୍ଆଉଟ୍ ହାର ୩.୨ ପ୍ରତିଶତ ରହିଛି। ୨.୬ ପ୍ରତିଶତ ଝିଅ ଓ ୩.୭ ପ୍ରତିଶତ ପୁଅ ପାଠପଢ଼ା ଛାଡ଼ିଛନ୍ତି । ପ୍ରଥମରୁ ପଞ୍ଚମ ଭିତରେ ପାଠ ଛାଡ଼ିଛନ୍ତି ୦.୭ ପ୍ରତିଶତ ଛାତ୍ରଛାତ୍ରୀ ।
ଅଧିକ ପଢନ୍ତୁ: ସ୍କୁଲ ଡ୍ରପ୍ଆଉଟ୍ ରୋକିବାକୁ ସରକାରଙ୍କ ବଡ଼ ପଦକ୍ଷେପ : ୭ ଦିନ ଅନୁପସ୍ଥିତ ରହିଲେ ଛାତ୍ରଛାତ୍ରୀଙ୍କ ଘରକୁ ଯିବେ ଶିକ୍ଷକ
୨୦୨୦-୨୧ରୁ ୨୦୨୩-୨୪ ମଧ୍ୟରେ କ୍ରମାଗତ ଡ୍ରପଆଉଟ ହାର ହ୍ରାସ ପାଇଥିବା ବେଳେ ୨୦୨୪-୨୫ ଶିକ୍ଷାବର୍ଷରେ ଏହା ପୁଣିଥରେ ବୃଦ୍ଧି ପାଇଛି । ସେହିଭଳି ୨୦୨୪-୨୫ ଶିକ୍ଷା ବର୍ଷଠାରୁ ଅଦ୍ୟାବଧି ପ୍ରାଥମିକସ୍ତରରେ କୌଣସି ନୂତନ ପଦବୀ ସୃଷ୍ଟି କରାଯାଇନାହିଁ । ୩୧ ଅକ୍ଟୋବର ୨୦୨୫ ସୁଦ୍ଧା ୯୦ ହଜାରରୁ ଅଧିକ ପୁଷ୍ଟିକର ମଧ୍ୟାହ୍ନ ଭୋଜନ ଠାରୁ ଆରମ୍ଭ କରି, ଅନୁସୂଚିତ ଜନଜାତି ଛାତ୍ରଛାତ୍ରୀଙ୍କୁ ସହିଦ ମାଧୋ ସିଂ ହାତ ଖର୍ଚ୍ଚ । ଏଥିସହ ଶିକ୍ଷକଙ୍କ ଦ୍ୱାରା ଘରକୁ ଘର ବୁଲି ସର୍ଭେ ଓ ସଚେତନତା । ପିଲାଙ୍କୁ ସ୍କୁଲକୁ ଫେରାଇ ଆଣିବା ପାଇଁ ଅନେକ ଯୋଜନା ଚଳାଇଛନ୍ତି ସରକାର । ତଥାପି ଡ୍ରପ୍ଆଉଟ ବଢ଼ିବା ପଛରେ କ'ଣ ହୋଇପାରେ କାରଣ? ଦୁର୍ବଳ ଭିତ୍ତିଭୂମି ଓ ଶିକ୍ଷକଙ୍କ ଅଭାବକୁ ନେଇ ସବୁବେଳେ ସମାଲୋଚନାର ଶିକାର ହେଉଥିବା ଗଣଶିକ୍ଷା ବିଭାଗ, ପୁଣି ଥର ଅପବାଦ ମୁଣ୍ଡାଇଛି । ଛାତ୍ରଛାତ୍ରୀଙ୍କ ପରିବାରର ଆର୍ଥିକ ସ୍ଥିତି, କମ୍ ବୟସରୁ ରୋଜଗାର ପାଇଁ ଇଚ୍ଛା ବା ଚାପ, ବହୁ ଦୂରରେ ସ୍କୁଲ ଏବଂ କୁସଙ୍ଗରେ ପଡ଼ିବା ଆଦି ମଧ୍ୟ ଡ୍ରପ୍ ଆଉଟ ବୃଦ୍ଧିର କେତେକ କାରଣ ବୋଲି ମତ ପ୍ରକାଶ ପାଇଛି ।
Follow Us