କନକ ବ୍ୟୁରୋ: ବନ ବିଭାଗ କାର୍ଯ୍ୟାଳୟରେ ଥାନା ଅଧିକାରୀଙ୍କ ଦବଙ୍ଗଗିରି । କାର୍ଯ୍ୟାଳୟରେ ପଶି ଏସିଏଫ୍ ଓ ରେଞ୍ଜ୍ ଅଫିସରଙ୍କ ଉପରେ ବର୍ଷିଲେ ଆଇଆଇସି । କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାର ଆଇଆଇସି ବନ୍ଦନା ପାତ୍ର ମଙ୍ଗଳବାର ଅପରାହ୍ନରେ ରାଜନଗର ରେଞ୍ଜ କାର୍ଯ୍ୟଲୟରେ ପହଞ୍ଚିଥିଲେ। ରେଞ୍ଜ ଅଫିସ ଭିତରେ ଥିଲେ ଏସିଏଫ ଗଗନ ବିହାରୀ ମଲ୍ଲିକ ଓ ରେଞ୍ଜ ଅଫିସର ଚିତ୍ତ ରଞ୍ଜନ ବେହୁରା । ବଜ୍ରକାପ୍ତା କାତି ସହ ଧରାପଡିଥିବା ପଟ୍ଟାମୁଣ୍ଡାଇର ଏସ୍.କେ. ବରଖାଇତୁଲ୍ଲା, ଷଣ୍ଢପଲ୍ଲୀ ଗାଁର ଅଭିରାମ ମଲ୍ଲିକ ଓ ରାଜକିଶୋର ମଲ୍ଲିକକୁ ପଚରାଉଚରା କରୁଥିଲେ । ହଠାତ କାର୍ଯ୍ୟାଳୟ ଭିତରକୁ ପଶି ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଆଇଆଇସି ଏସିଏଫ ଓ ରେଞ୍ଜ ଅଫିସରଙ୍କ ଉପରେ ଭୀଷଣ ବର୍ଷିଥିଲେ । ଶାଳୀନତା ଭୁଲି ଅଭିଯୁକ୍ତଙ୍କ ସାମ୍ନାରେ ବନ ବିଭାଗର ଦୁଇ ବରିଷ୍ଠ ଅଧିକାରୀଙ୍କ ଉପରେ ବର୍ଷିବା ସହିତ, କାହିଁକି ମୋତେ ନଜଣାଇ ମୋ ଥାନା ଅନ୍ତର୍ଗତ ଅଞ୍ଚଳରୁ ଲୋକଙ୍କୁ ଉଠାଇଲ ବୋଲି ପ୍ରଶ୍ନ କରିଥିଲେ ଆଇଆଇସି ।
୩ ଜଣଙ୍କୁ ମୋ ଥାନା ଏରିଆରୁ ଉଠାଇବା ପୂର୍ବରୁ ଓ ପରେ କାହିଁକି ଜଣାଇଲନି ବୋଲି କହି ଗର୍ଜିଥିଲେ। ଅଭିଯୁକ୍ତମାନଙ୍କୁ ପଚରାଉଚରା କରାଯାଉଛି ବୋଲି ଏସିଏପ୍ କହୁଥିଲେ ବି ଆଇଆଇସି ଶୁଣିନଥିଲେ। ଅଭିଯୁକ୍ତ ମାନଙ୍କ ସମ୍ମୁଖରେ ମନଇଚ୍ଛା ଗାଳିକରିବା ସହ ମୁଁ ତୁମ ନାଁରେ କେସ୍ କରିବି ବୋଲି କହିଥିଲେ । ଏସଂପର୍କରେ ଆଇଆଇସି ବନ୍ଦନା ପାତ୍ରଙ୍କୁ ଏସିଏଫଙ୍କ କାହିଁକି ବର୍ଷୁଥିଲେ ବୋଲି ପଚାରିବାରୁ କୌଣସି ଉତ୍ତର ଦେଇନାହାନ୍ତି । ରେଞ୍ଜ ଅଫିସରଙ୍କ କାର୍ଯ୍ୟଳୟ ଭିତରେ ପଶି ଆଇଆଇସିଙ୍କ ଦବଙ୍ଗଗିରି ଘଟଣାକୁ ନେଇ ବନବିଭାଗ କର୍ମଚାରୀ ଓ ଅଧିକାରୀ ମହଲରେ ତୀବ୍ର ପତିକ୍ରିୟା ପ୍ରକାଶ ପାଇଛି । ୧୯୭୨ ବନ୍ୟପ୍ରାଣୀ ଆଇନ ଅନୁସାରେ ବନବିଭାଗ କାହାକୁ ଗିରଫ କଲେ ବା ଅଟକ ରଖିଲେ ସେ ସମ୍ପର୍କରେ ପୋଲିସକୁ ଜଣାଇବାର କୌଣସି ନିୟମ ନାହିଁ । ଡିଏଫଓ ଏ ସମ୍ପର୍କରେ କେନ୍ଦ୍ରପଡା ଏସପିଙ୍କୁ ଜଣାଇଥିବା ସୂଚନା ମିଳିଛି। ଜଣେ କ୍ଲାସ ୱାନ୍ ଅଫିସରଙ୍କୁ ଏପରି ବ୍ୟବହାର କେତେଦୂର ଯୁକ୍ତିଯୁକ୍ତ ତାହାକୁ ନେଇ ଚର୍ଚ୍ଚା ସୃଷ୍ଟି ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2026/01/22/iic-2026-01-22-08-44-13.jpg)