କନକ ବ୍ୟୁରୋ: ଛୁଆ ମରିଯାଇଛି ହେଲେ ମାଆ ମନ ମାନୁନି । କାଳେ କେଉଁଠି ଜୀବନ ଟିକେ ଅଟକିଯାଇଛି କି? କାଳେ ନିସ୍ତେଜ ଦେହଟାରେ ପବନ ଟିକେ ବଞ୍ଚିଛି କି? କିଏ ଟିକେ ଆସନ୍ତା, ପିଲାଟାକୁ ତା’ର ଦେଖନ୍ତା । ତା ଆଶା ଟିକକ ପୁଣି ଜୀଇଁଉଠନ୍ତା । ବୋଧେ ଏମିତି ଭାବି ଭାବି ପାଗେଳିଙ୍କ ଭଳି ଏପଟ ସେପଟ ହେଉଛି ମାଆ ହାତୀ । କେମିତି ବା ବୁଝନ୍ତା। ଏ ମା’ର ଯନ୍ତ୍ରଣା ସବୁ ମାଙ୍କ ଠାରୁ ବହୁତ ବେଶୀ ।
ଖାଇବାକୁ ମିଳୁନି ଖାଦ୍ୟ ; ରାସ୍ତାରେ ଗାଡ଼ି ଅଟାକାଇ ଖାଦ୍ୟ ମାଗୁଛି ଭୋକିଲା ହାତୀ
୯ ମାସ କି ବର୍ଷେ ନୁହେଁ ପୂରା ୨୨ ମାସ ଗର୍ଭରେ ଧରି ଜନ୍ମ ଦେଇଥିଲା। ସବୁ ମାଙ୍କ ପରି ତାର ବି ଇଚ୍ଛା ଥିଲା ଆଉ କିଛି ଘଣ୍ଟା ପରେ ତା ଛୁଆ ଉଠି ଛିଡ଼ା ହେବ । ଆଉ ତା ପରଦିନ ଥିରି ଥିରି ଚାଲିଥାନ୍ତା । ଆଉ ତା ପରେ ତ ପୂରା ଦଳରେ ସାମିଲ ହୋଇ ମା କଡ଼େ କଡ଼େ କେତେ କୁଆଡ଼େ ଘୁରି ବୁଲିଥାନ୍ତା । ଏ ମାର ଯନ୍ତ୍ରଣା କିନ୍ତୁ ଟିକେ ବି ଲାଘବ ହେଲାନି ବରଂ ଶହେ ହଜାର ଗୁଣ ବଢ଼ିଗଲା । ଛୁଆଟା ଜନ୍ମ ହେବା ପରଠୁ ସେମିତି ପଡ଼ିଛି ଯେ ପଡ଼ିଛି । ହଲ ଚଲ ନାହିଁ । ଦେହରେ ଜୀବନ ନାଇଁ ହେଲେ ଏ ଅମାନିଆ ମାଆ ତା’ର ପାଗେଳି ହୋଇଯାଇଛି ।
ଏ ହେଉଛି ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ରେଞ୍ଜ ବ୍ରାହ୍ମଣ ଗାଁ ପଞ୍ଚାୟତ ସାତଭାୟା ଶିମିଳିପାଳ ଜଙ୍ଗଲ ଦୃଶ୍ୟ । ଜନ୍ମ ହେଲା ପରେ ଛୁଆ ହାତୀର ମୃତ୍ୟୁ ହୋଇଛି । କିନ୍ତୁ ମା ଏହାକୁ ଗ୍ରହଣ କରିବାକୁ ନାରାଜ । ମଲା ଛୁଆ କୁ ଛାଡି ଯାଉନାହିଁ ମା ହାତୀ । ନବଜାତ ହାତୀ ଛୁଆ ଟି କିଛି କ୍ଷଣ ଜୀବିତ ପରେ ବୁଧବାର ସନ୍ଧ୍ୟା ସମୟରେ ମରିଯାଇଛି । ଅବଶ୍ୟ ବନବିଭାଗର ଏକ ଟିମ୍ ଆଜି ଘଟଣାସ୍ଥଳକୁ ଆସିବା ପରେ ପୋଷ୍ଟ ମର୍ଟମ ପାଇଁ ହାତୀ ଛୁଆକୁ ନିଆଯାଇଛି । ବ୍ୟବଚ୍ଛେଦ ପରେ ହାତୀ ଛୁଆର ମୃତ୍ୟୁର କାରଣ ଜଣାପଡ଼ିବ ।
ମାଆ ସବୁବେଳେ ମାଆ । ମଣିଷ ହେଉ କି ପଶୁ ମାର ଅର୍ଥ ସମସ୍ତଙ୍କ ପାଇଁ ସମାନ । ପିଲାପାଇଁ ମାଆର ମନ ସବୁବେଳେ ବିକଳ । ନିଜଠାରୁ ଗୋଟେ ଅଂଶ ସୃଷ୍ଟି କଲା ପରେ ସେ ପାଏ ପୂର୍ଣ୍ଣତା । ଆଉ ନିଜ ନିଜ ପିଲା ଉପରେ ସବୁ ଅଯାଚିତ ସ୍ନେହ ଢାଳିଦେଇ ତା ପିଲାକୁ ପୂର୍ଣ୍ଣତା ଆଡ଼କୁ ନେବାକୁ କରିଥାଏ ଅହରହ ଚେଷ୍ଟା । ଏ ବାଟରେ ଅନେକ କଣ୍ଟା , ଅନେକ ପ୍ରତିଘାତ  । ତଥାପି ପିଲାକୁ ଦେଖି ତା ମରେ ଯେମିତି କେଉଁଠୁ ଯୋଗାଡ଼ ହୋଇଯାଏ ସାହାସ ଆଉ ଧୈର୍ଯ୍ୟ । ହେଲେ ଯଦି ସେ ଛୁଆ ତା ହାତ ଛାଡ଼ି ଚାଲିଯାଏ, ଓଃ ସେ ଯନ୍ତ୍ରଣାକୁ  ଭାଷାରେ କହିବା କଷ୍ଟ । ଏ ମାଆକୁ ଦେଖିଲେ ସେ କଷ୍ଟ ବାରି ହୋଇଯାଉଛି । 
   
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/10/31/elephant-2025-10-31-10-10-00.jpg)