ବୟସର ଅପରାହ୍ନରେ ବିତୁଛି ଦୟନୀୟ ଜୀବନ ; ସହାୟତା ଅପେକ୍ଷାରେ ବୃଦ୍ଧା

ଜର୍ଜରିତ ଜୀବନ ଜିଉଁଛନ୍ତି ଚାନ୍ଦବାଲି ଅନ୍ତର୍ଗତ ତିହିଡ଼ି ବ୍ଲକ ନରେନ୍ଦ୍ରପୁର ପଞ୍ଚାୟତ ନଛିବିନ୍ଧା ଗାଁର ଅସହାୟ ବୃଦ୍ଧା ମାତାଜୀ ବାରିକ । ଏବେ ମାତାଜୀଙ୍କ କାନ୍ଧରେ ଦିବ୍ୟାଙ୍ଗ ଝିଅ ବିନତିର ବୋଝ । ମାତାଜୀଙ୍କ ବୟସ ୬୨ ଟପିଲାଣି ।

Helpless

Helpless Photograph: (kanak news)

କନକ ବ୍ୟୁରୋ : ଜୀବନ ଠିକ୍‌ ଭାବେ ଜିଇଁନପାରିଲେ, ତାହା ପାଲଟିଯାଏ ଯନ୍ତ୍ରଣା । ଆଉ ସେହି ଯନ୍ତ୍ରଣାରେ ଯୁଝି ହେଉଥାଏ ମଣିଷ । ଠିକ୍‌ ସେମିତି ଯନ୍ତ୍ରଣା ଜର୍ଜରିତ ଜୀବନ ଜିଉଁଛନ୍ତି ଚାନ୍ଦବାଲି ଅନ୍ତର୍ଗତ ତିହିଡ଼ି ବ୍ଲକ ନରେନ୍ଦ୍ରପୁର ପଞ୍ଚାୟତ ନଛିବିନ୍ଧା ଗାଁର ଅସହାୟ ବୃଦ୍ଧା ମାତାଜୀ ବାରିକ । ଏବେ ମାତାଜୀଙ୍କ କାନ୍ଧରେ ଦିବ୍ୟାଙ୍ଗ ଝିଅ ବିନତିର ବୋଝ । ମାତାଜୀଙ୍କ ବୟସ ୬୨ ଟପିଲାଣି । ବୟସର ଅପରାହ୍ନରେ ଅତି ଦୟନୀୟ ଆଉ ଅସହାୟ ଜୀବନ ବିତାଉଛନ୍ତି । ଓଳିଏ ଖାଇଲେ ଓଳିଏ ଉପାସ । ସରକାରୀ ସହାୟତା କହିଲେ ରାସନ ଚାଉଳ ୫ କେଜି ଓ ଭତ୍ତା ହଜାରେ ଟଙ୍କା । 

ସେହିପରି ଦିବ୍ୟାଙ୍ଗ ଝିଅ ବିନତି ସରକାରଙ୍କ ଠାରୁ ୯୦ ପ୍ରତିଶତ ଦିବ୍ୟାଙ୍ଗ ପ୍ରମାଣ ପତ୍ର ପାଇଥିଲେ ବି ଭତ୍ତା ବାବଦରେ ପାଉଛନ୍ତି ମାତ୍ର ୧୨ଶହ ଟଙ୍କା । ମାତାଜୀଙ୍କର ନା ଘର ଅଛି ନା ବାଡ଼ି । ସ୍ୱାମୀ ୪୪ ବର୍ଷ ହେବ ଛାଡ଼ି ପଳାଇଛନ୍ତି । ସେବେଠାରୁ ଦିବ୍ୟାଙ୍ଗ ଝିଅକୁ ଧରି ଖୋଲା ଆକାଶ ତଳେ ଦିନ କାଟୁଛନ୍ତି । ନିଜର ଘର ନ ଥିବାରୁ ଗାଁର ପରିତ୍ୟକ୍ତ କ୍ଲବ ଘରେ ଦିନ କାଟୁଛନ୍ତି ଏହି ଅସହାୟ ମା’-ଝିଅ । ପୂର୍ବରୁ ମାତାଜୀଙ୍କ ସହ ତାଙ୍କ ବିଧବା ମା’ ଆଉ ଦିବ୍ୟାଙ୍ଗ ଝିଅ ରହୁଥିଲେ । ସେତେବେଳେ ତାଙ୍କ ମା’ଙ୍କୁ ଭତ୍ତାରେ ୩୦୦ ଟଙ୍କା ଆଉ ୩୫କେଜି ଚାଉଳ ମିଳୁଥିଲା । ଯେମିତି ସେମିତିରେ ୩ ପ୍ରାଣୀ ଚଳିଯାଉଥିଲେ । ଆର୍ଥିକ ଅଭାବ ବଢ଼ିବାରୁ ଶେଷରେ ଘରଡିହ ବିକି ନିଃସ୍ବ ହୋଇଯାଇଥିଲେ । ମୁଣ୍ଡଗୁଞ୍ଜିବାକୁ ଜାଗା ନ ଥିବାରୁ ପ୍ରଥମେ ଅନାବାଦୀରେ ଏକ କୁଡ଼ିଆ କରି ରହୁଥିଲେ । ହେଲେ ନିଆଁ ଲାଗି ତା’ ବି ଜଳିଗଲା । ନିଆଁ ଆଁରେ ଘରେ ଥିବା ଧାନ ଚାଉଳ ଲୁଗାପଟା ପଇସା ସବୁ ପାଉଁଶ ହୋଇଗଲା । 

ଅଧିକ ପଢ଼ନ୍ତୁ--‘ଅପେକ୍ଷା କରନ୍ତୁ, ମୁଁ କଲ୍ କରିବି...’କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ କଳି ଭିତରେ ଡିକେଙ୍କୁ ରାହୁଲଙ୍କ ଉତ୍ତର

ସେବେଠୁ ଏହି ପରିତ୍ୟକ୍ତ କ୍ଲବ ଏମାନଙ୍କ ଠିକଣା । କିଛି ଦିନ ପରେ ମାତାଜୀଙ୍କ ମା’ଙ୍କର ବି ମୃତ୍ୟୁ ଘଟିଲା । ଆଉ ମା’ଙ୍କ ସହ ଚାଲିଗଲା ସରକାରୀ ସାହାଯ୍ୟ ଭାବେ ମିଳୁଥିବା ଚାଉଳ ଆଉ ଭତ୍ତା । ଏବେ କେବଳ ୫ କେଜି ରାସନ ଚାଉଳ ହିଁ ଭରସା । ଝିଅର ଚିକିତ୍ସା ଓ ଭତ୍ତା ପାଇଁ ବାରମ୍ବାର ତିହିଡି ବ୍ଲକ ଠାରୁ ମେଡିକାଲ ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି । ହେଲେ କେହି ତାଙ୍କ ଗୁହାରି ଶୁଣୁନାହାନ୍ତି । ଘର ପାଇଁ ଆବେଦନ କରିଥିଲେ । ମାତ୍ର ତାଙ୍କର ଜମି ନ ଥିବାରୁ ଘର ମଧ୍ୟ ମିଳିଲା ନାହିଁ । ଏହି ଅସହାୟ ବୃଦ୍ଧାଙ୍କୁ ସାହାଯ୍ୟ ଯୋଗାଇବାକୁ ନିବେଦନ କରିଛନ୍ତି ଗ୍ରାମବାସୀ ।

ସାହାଯ୍ୟ ପାଇଁ ଠିକଣା - 

ମାତାଜୀ ବାରିକ, ନଛିବିନ୍ଧା ହଳଦିଆ, ଗଦି, ପିନ୍‌-756129
ୟୁକୋ ବ୍ୟାଙ୍କ ଆକାଉଣ୍ଟ ନମ୍ବର- 11570110083277
IFSC No-UCBA0001157

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe