କନକ ବ୍ୟୁରୋ : ସ୍ୱାସ୍ଥ୍ୟ କ୍ଷେତ୍ରକୁ ଆହୁରି ସୁଦୃଢ କରିବାକୁ ଅଣ୍ଟା ଭିଡ଼ିଛନ୍ତି ସରକାର । ନୂଆ ନୂଆ ହସ୍ପିଟାଲ ଖୋଲୁଛି, ଡାକ୍ତର ନିଯୁକ୍ତି ହେଉଛନ୍ତି । ହେଲେ ଏହା ଭିତରେ ସମସ୍ତ ଆନୁଷଙ୍ଗିକ ସୁବିଧା ଥାଇ ମଧ୍ୟ ଅଭିଶପ୍ତ ହୋଇ ପଡିରହିଛି କେନ୍ଦ୍ରାପଡ଼ାର ରେଡକ୍ରସ ହସ୍ପିଟାଲ

Advertisment

ଚାରିଆଡ଼େ ଅରମା ଜଙ୍ଗଲ । ତା’ ଭିତରେ ଅଧା ଭଙ୍ଗା ବିଲ୍ଡିଂ । କବାଟ ଖୋଲିଦେଲେ ଭିତରେ ପଡ଼ିଛି ଶହ ଶହ ଔଷଧ ପ୍ୟାକେଟ୍‌ ଓ ବିଭିନ୍ନ ମେଡିକାଲ ସରଞ୍ଜାମ । ଏଭଳି ପରିତ୍ୟକ୍ତ ବିଲ୍ଡିଂରେ ଏ ସବୁ ସାମଗ୍ରୀ କେମିତି ଆସିଲା ଏ ପ୍ରଶ୍ନ ମନରେ ଉଠିବ । ହେଲେ ଏହି ବିଲ୍ଡିଂର ଇତିହାସ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । କେନ୍ଦ୍ରାପଡ଼ାର ଟିକରପଙ୍ଗା ପଞ୍ଚାୟତର ଜାତୀୟ ରାଜପଥରେ ଥିବା ଏହି କୋଠା କିଛି ବର୍ଷ ପୂର୍ବେ ରେଡକ୍ରସ ଚିକିତ୍ସାଳୟ ଭାବେ ଜଣାଶୁଣା ଥିଲା । ଦୈନିକ ଶହ ଶହ ରୋଗୀ ଏଠାକୁ ଚିକିତ୍ସିତ ହେବାକୁ ଆସୁଥିଲେ । ରୋଗୀଙ୍କ ପାଇଁ ବେଡ୍‌ ଓ ଅପରେସନ ଗୃହ ଥିଲା । ଡାକ୍ତର, ଅନ୍ୟାନ୍ୟ କର୍ମଚାରୀଙ୍କ ପାଇଁ ଆବାସିକ ଘର ଥିଲା । ହେଲେ ହଜାର ହଜାର ରୋଗୀଙ୍କୁ ସେବା ଯୋଗାଉଥିବା ଏହି ହସ୍ପିଟାଲରେ ଏବେ ପାଦ ପକାଇବାକୁ ଭୟ କରୁଛନ୍ତି ଲୋକ ।

ଅଧିକ ପଢ଼ନ୍ତୁ : ବଜାରରେ ମିଳୁଛି ପୁଳାପୁଳା ନକଲି ମେଡିସିନ୍‌; ୪ ବର୍ଷରେ ୧୬୮ ନକଲି ଔଷଧ ଚିହ୍ନଟ

ମାର୍ଶାଘାଇରୁ ପାରାଦୀପ ମଧ୍ୟରେ ରାଜପଥରେ ଦୁର୍ଘଟଣାଗ୍ରସ୍ତଙ୍କୁ ସହାୟତା ଦେବାକୁ ୧୯୮୦ରେ ଏଠାରେ ରେଡକ୍ରସ୍ ଚିକିତ୍ସାଳୟ ନିର୍ମାଣ ହୋଇଥିଲା । ଅନେକବର୍ଷ ରୋଗୀଙ୍କୁ ଚିକିତ୍ସା ସେବା ଯୋଗାଇଥିଲା ଏହି ଚିକିତ୍ସାଳୟ । ହେଲେ ଡାକ୍ତର ଓ ନର୍ସଙ୍କ ଅବସର ପରେ ଏବେ ଏହା ଭୂତକୋଠି । ପ୍ରାୟ ତିନି ବର୍ଷ ହେବ ବନ୍ଦ ହୋଇପଡ଼ିଛି ହସ୍ପିଟାଲ । ଆଉ ତା ପରର ଅବସ୍ଥା ଏମିତି । ରାତି ହେଲେ ଏଠି ଜମେ ନିଶାଡିଙ୍କ ଆଡ୍ଡା । ସମସ୍ତ ଆନୁସଙ୍ଗିକ ସୁବିଧା ଥିଲେ ମଧ୍ୟ ହତଭାଗ୍ୟ ହୋଇ ପଡିରହିଛି ଏହି ଚିକିତ୍ସାଳୟ । ଏବେ ଏହାର ପୁନରୁଦ୍ଧାର ପାଇଁ ଦାବି ଉଠିଛି ।

ସରକାର ନୂଆ ହସ୍ପିଟାଲ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ କେନ୍ଦ୍ରାପଡ଼ାର ଏହି ପରିତ୍ୟକ୍ତ ହସ୍ପିଟାଲ ଉପରେ କେବେ ସରକାରଙ୍କ ନଜର ପଡ଼ିବ ? ତାକୁ ଅପେକ୍ଷା ।