କନକ ବ୍ୟୁରୋ : ନଦୀରେ ହାତ ଧରାଧରି ହୋଇ ଭାସି ଯାଉଥିଲେ ୩ଜଣ ଭାଇଭଉଣୀ । ଉଦ୍ଧାର ପାଇଁ ଚିତ୍କାର କରୁଥିବା ଶୁଣି ମାଛ ଧରୁଥିବା ନାବାଳକ ସତ୍ୟ ପ୍ରକାଶ ଧାଇଁ ଆସିଥିଲେ । ନିଜ ହାତରେ ଥିବା ବନିସୀ ପକାଇ ଦୁଇ ଭାଇ ଭଉଣୀଙ୍କ ଜୀବନ ବଞ୍ଚାଇ ଦେଇଛନ୍ତି । ଦୁର୍ଭାଗ୍ୟ ବଶତଃ ଅନ୍ୟ ଜଣେ ନାବାଳିକା ଭାସି ପ୍ରାଣ ହରାଇଛନ୍ତି । ତେବେ ଦୁଇଟି ଜୀବନ ବଞ୍ଚାଇ ସାହସକିତା ଦେଖାଇଥିବା ଅଷ୍ଟମ ଶ୍ରେଣୀର ଛାତ୍ର ସତ୍ୟଙ୍କୁ ବିଭିନ୍ନ ଆଡ଼ୁ ଛୁଟୁଛି ଶୁଭେଚ୍ଛାର ସୁଅ । 

Advertisment

ଯାଜପୁର ଦଶରଥପୁର ବ୍ଲକ୍ ତଳିହା ପଞ୍ଚାୟତ ସିଦ୍ଧେଶ୍ଵର ନିକଟ ଗାରଡ଼େଶ୍ଵର ବୈତରଣୀ ଘାଟରେ ଘଟିଯାଇଛି ଏହି ଅଘଟଣ । ନଦୀରେ ଭାସିଯାଇ ଜୀବନ ହାରିଛନ୍ତି ସପ୍ତମ ଶ୍ରେଣୀ ଛାତ୍ରୀ ପ୍ରୀତିପ୍ରଜ୍ଞା ମିଶ୍ର । ନାବାଳିକାଙ୍କ ମୃତଦେହ ଉଦ୍ଧାର ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ଏପଟେ ନଦୀରୁ ଆଉ ଦୁଇଟି ଜୀବନ ବଞ୍ଚାଇଥିବା ନାବାଳକ ସତ୍ୟ ପ୍ରକାଶ ସେଠୀଙ୍କ ସାହସିକତାକୁ ନେଇ ଚର୍ଚ୍ଚା ଚାଲିଛି । 

ଅଧିକ ପଢ଼ନ୍ତୁ--ପ୍ରଖ୍ୟାତ ବଲିଉଡ୍ ଅଭିନେତ୍ରୀ ଓ କଣ୍ଠଶିଳ୍ପୀ ସୁଲକ୍ଷଣା ପଣ୍ଡିତଙ୍କ ପରଲୋକ: ୭୧ ବର୍ଷ ବୟସରେ ହୃଦ୍‌ଘାତରେ ମୃତ୍ୟୁ

ବିରଜାପୁର ନୋଡାଲ ଉପ୍ରା ବିଦ୍ୟାଳୟର ଛାତ୍ରୀ ପ୍ରୀତିପ୍ରଜ୍ଞା, ଗାରଡ଼େଶ୍ଵର ନିଜ ମାମୁ ଘରକୁ ବୁଲି ଆସିଥିଲେ । ଗୁରୁବାର ସକାଳେ ଗାରଡ଼େଶ୍ବର ଘାଟକୁ ଗାଧୋଇବାକୁ ଯାଇଥିଲେ । ସାଙ୍ଗରେ ସମ୍ପର୍କୀୟ ଭାଇ ରୁଦ୍ରନାରାୟଣ ମିଶ୍ର ଏବଂ ଭଉଣୀ ଅର୍ପିତା ମିଶ୍ର ଥିଲେ । ଅସାବଧାନତା କାରଣରୁ ୧୦ ବର୍ଷୀୟ ରୁଦ୍ର ପାଣିରେ ବୁଡ଼ି ଯାଇଥିଲେ । ତାଙ୍କୁ ଉଦ୍ଧାର କରିବାକୁ ଯାଇ ପ୍ରୀତିପ୍ରଜ୍ଞା ଏବଂ ଅର୍ପିତା ମଧ୍ୟ ଗଭୀର ପାଣିକୁ ଭାସିଯାଇଥିଲେ । ଏହି ସମୟରେ ଘାଟ ନିକଟରେ ମାଛ ଧରୁଥିବା ସତ୍ୟପ୍ରକାଶ ୩ ଜଣ ପାଣିରେ ବୁଡ଼ି ଯାଉଥିବା ଦେଖି ସାହାସ ଦେଖାଇଥିଲେ । ମାଛଧରା ବନିସୀ ସାହାଯ୍ୟରେ ରୁଦ୍ର ଓ ଅର୍ପିତାଙ୍କୁ ଉଦ୍ଧାର କରିଥିଲେ । ପ୍ରୀତିପ୍ରଜ୍ଞାଙ୍କୁ ଉଦ୍ଧାର କରିନପାରି ଲୋକଙ୍କୁ ଡାକ ପକାଇଥିଲେ । ଲୋକେ ପହଞ୍ଚି ଖୋଜାଖୋଜି କରିଥିଲେ ହେଁ ପ୍ରୀତିପ୍ରଜ୍ଞାଙ୍କ ପତ୍ତା ମିଳିନଥିଲା ।ତେବେ କୁନି ପିଲାର ଏପରି ସାହସିକତାକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି । ଜିଲ୍ଲା ପ୍ରଶାସନ ମଧ୍ୟ ଏପରି ପିଲାଙ୍କୁ ସମ୍ମାନିତ ଓ ସମ୍ବର୍ଦ୍ଧିତ କରିବାକୁ ଦାବି ହୋଇଛି । କିଛି ସାମାଜିକ ଅନୁଷ୍ଠାନ ସତ୍ୟକୁ ସମ୍ବର୍ଦ୍ଧିତ କରିବା ନିଷ୍ପତି ନେଇଛନ୍ତି ।