କନକ ବ୍ୟୁରୋ : ସରକାରୀ ସୁବିଧାର ଲାଭ ପ୍ରକୃତରେ କିଏ ପାଉଛି । କାହା ପାଇଁ ବାର୍ଦ୍ଧକ୍ୟ ଭତ୍ତା ଯୋଜନା । ଗଞ୍ଜାମ ଜିଲ୍ଲା ଧରାକୋଟର ୯୬ ବର୍ଷୀୟ ବୃଦ୍ଧ ଶୁକ୍ର ଭତ୍ତା ପାଇଁ ଆବେଦନ କରି କରି ୨୫ ବର୍ଷ ବିତିଗଲାଣି । ଏହାରି ଭିତରେ ପୁଅ ବି ଭତ୍ତା ପାଇଁ ଆବେଦନ କଲେଣି । କିନ୍ତୁ ବାପାଙ୍କୁ ଭତ୍ତା ମିଳିପାରିନି । ଏଇ ଜଣେ ନୁହେଁ, ଗଞ୍ଜାମରେ ଏମିତି ଅନେକ ଯୋଗ୍ୟ ହିତାଧିକାରୀ ଭତ୍ତା ପାଇବାରୁ ବଞ୍ଚିତ ହୋଇ ରହିଛନ୍ତି ।

Advertisment

ବୟସ ୯୬ ଚର୍ମ ଧୁଡ଼ୁଧୁଡ଼ୁ । ଚଳିବାକୁ ଦେହରେ ବଳ ନାହିଁ । ଆଖିକୁ ଭଲରେ ଦିଶୁନି । ଘର ଭିତରେ ବଙ୍କୁଲି ବାଡ଼ି ସାହାରା । ବାହାରକୁ ଗଲେ ଅନ୍ୟର ଆଶ୍ରୟ ଲୋଡ଼ନ୍ତି । ଏ ବୃଦ୍ଧ ଜଣକ ଧରାକୋଟ ବ୍ଳକ ବାହାରପୁର ପଞ୍ଚାୟତ ସୁନ୍ଦରଗଡ଼ ଗାଁର ଶୁକ୍ର ଗମାଙ୍ଗ । ୨୦୦୦ ମସିହାରୁ ଭତ୍ତା ପାଇଁ ଆବେଦନ କରିଛନ୍ତି । ପଞ୍ଚାୟତ ଠାରୁ ଆରମ୍ଭ କରି ବ୍ଳକ କାର୍ଯ୍ୟାଳୟକୁ ସବୁ ଦୁଆର ବୁଲିଛନ୍ତି । ଆଜି ଯାଏଁ ସରକାରଙ୍କ ବାର୍ଦ୍ଧକ୍ୟ ଭତ୍ତା ଯୋଜନାରେ ସାମିଲ ହୋଇପାରିନାହାନ୍ତି ।

ଅଧିକ ପଢ଼ନ୍ତୁ : ଶ୍ରମିକଙ୍କୁ ଲୁଟିନେଲେ ଦଲାଲ; ବଞ୍ଚି ଥାଉଥାଉ ମାରିଦେଲେ !

ଗତ ୨୦୨୨ରୁ ଶୁକ୍ର ଆଉ ନିଜେ ବ୍ଳକକୁ ଯାଇପାରୁନାହାନ୍ତି, ପୁଅ ବି ଆବେଦନ କରି କରି ଆଶା ଛାଡ଼ିଦେଇଛନ୍ତି । ଏହାରି ଭିରେ ବଡ଼ ପୁଅ ଧନ୍ୟଙ୍କୁ ୬୧ ବର୍ଷ ହେବାରୁ ସେ ଭତ୍ତା ପାଇଁ ଆବେଦନ କରିଛନ୍ତି ।

କେବଳ ଶୁକ୍ର ଗମାଙ୍ଗ ନୁହଁନ୍ତି, ଗଞ୍ଜାମରେ ଅନେକ ଯୋଗ୍ୟ ହିତାଧିକାରୀ ଭତ୍ତା ପାଇବାରୁ ବଞ୍ଚିତ । ଜିଲ୍ଲାରେ ୭୧ ହଜାର ୧୬ଜଣ ଆବେଦନ‌କାରୀ ଆଜି ବି ଭତ୍ତା ଅପେକ୍ଷାରେ । ୩ ବର୍ଷ ହେଲା ଅତିରିକ୍ତ ଟାର୍ଗେଟ ମିଳିନି । କିଏ ମଲେ କି ନାଁ କଟିଲେ ଅନ୍ୟକୁ ଯୋଡ଼ାଯାଉଛି । ଫଳରେ ଅନେକ ଯୋଗ୍ୟ ଆବେଦନ କରି ନିରାଶ ହୋଇ ରହିଛନ୍ତି ।

ଯଦି ଶୁକ୍ରଙ୍କ ପରି ହିତାଧିକାରୀ ଭତ୍ତା ପାଇବାରୁ ବଞ୍ଚିତ । ତାହେଲେ କିଏ ପାଉଛି ସରକାରୀ ଯୋଜନାର ସୁବିଧା ? କେଉଁ ମାନଦଣ୍ଡ ଆଧାରରେ ଯୋଗ୍ୟ ବାଛୁଛନ୍ତି ବାବୁ ?