କନକ ବ୍ୟୁରୋ : ଶ୍ରମିକଙ୍କୁ ନେଇ ଦଲାଲଙ୍କ ସାଂଘାତିକ ଷଡ଼୍‌ଯନ୍ତ୍ର । ଜୀବିତ ଶ୍ରମିକକୁ ମୃତ ଦର୍ଶାଇ ମୃତ୍ୟୁ କାଳୀନ ସହାୟତା ରାଶି ହଡ଼ପ ଅଭିଯୋଗ । ଋଣ କରିଦେବା ବାହାନାରେ ଶ୍ରମିକଙ୍କ କାଗଜ ପତ୍ର ଆଣି ନକଲି କାଗଜ ତିଆରି କରି ଲୁଟୁଛନ୍ତି ଦଲାଲ ।

Advertisment

ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକ ରାଜୋଡ଼ା ପଞ୍ଚାୟତ ଠୁସିଗୁଡ଼ା ଗାଁର ପୂର୍ଣ୍ଣି ଭତରା । ଆପଣଙ୍କ ସାମ୍ନାରେ ଜୀବିତ ଥିବା ଏ ମଣିଷ ସରକାରୀ କାଗଜକଲମରେ ମୃତ । ଆଜ୍ଞା ହଁ, ପୂର୍ଣ୍ଣିଙ୍କ ମୃତ୍ୟୁ ୨୦୨୩ ଫେବ୍ରୁଆରି ୧୦ରୁ ହୋଇଥିବା ନେଇ ମୃତ୍ୟୁ ପ୍ରମାଣପତ୍ର ପଞ୍ଜୀକରଣ କରାଯାଇଛି । ତାଙ୍କ ସ୍ୱାମୀ ରବି ଭତ୍ରାଙ୍କ ନାମରେ ଉତ୍ତରାଧିକାରୀ ପ୍ରମାଣପତ୍ର କୋଡ଼ିଙ୍ଗା ତହସିଲ ପକ୍ଷରୁ ପ୍ରଦାନ କରାଯାଇଛି । ପ୍ରମାଣପତ୍ର ଆଧାରରେ ଶ୍ରମ ବିଭାଗ ୨ ଲକ୍ଷ ଟଙ୍କାର ସହାୟତା ମଞ୍ଜୁର କରିଛି । ଜଣେ ଦଲାଲ ଋଣ ଓ ଶ୍ରମିକ ପ୍ରମାଣପତ୍ର କରାଇଦେବା ବାହାନାରେ ପୂର୍ଣ୍ଣିଙ୍କ ସମସ୍ତ କାଗଜପତ୍ର ନେଇ ମୃତ୍ୟୁକାଳୀନ ସହାୟତା ରାଶି ଲୁଟିଥିବା ଅଭିଯୋଗ ହୋଇଛି । ଏନେଇ ଶ୍ରମ ବିଭାଗ ଜାଣିବା ପରେ ରବିଙ୍କ ଆକାଉଣ୍ଟକୁ ନିଷ୍କ୍ରିୟ କରିଦେଇଛନ୍ତି ।

ଅଧିକ ପଢ଼ନ୍ତୁ : କନ୍ଧମାଳରେ ବଡ଼ ଅପରେସନ: ୩୦ କୋଟିର ଗଞ୍ଜେଇ ଜବତ, ୭୪ ଗିରଫ

ପୂର୍ଣ୍ଣି ଭତ୍ରା ଜଣେ ଉଦାହରଣ ମାତ୍ର, ଜିଲ୍ଲାରେ ଏମିତି ଅନେକ ଘଟଣା ଲୋକଲୋଚନକୁ ଆସିଛି । ଶ୍ରମ ବିଭାଗର ତଥ୍ୟ ଅନୁସାରେ, ୨୦୨୦ରୁ ବର୍ତ୍ତମାନ ଯାଏଁ ୨ ହଜାର ୧୧୫ ଶ୍ରମିକଙ୍କୁ ମୃତ୍ୟୁକାଳୀନ ସହାୟତା ବାବଦରେ ୪୨ କୋଟି ୭୧ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ଶେଷକୃତ୍ୟ ପାଇଁ ୧ ହଜାର ୯୩୫ ଜଣଙ୍କୁ ୯୬ ଲକ୍ଷ ୭୫ ହଜାର ଟଙ୍କା ଦିଆଯାଇଛି । ପୂର୍ବରୁ ମଧ୍ୟ ଏଭଳି ଘଟଣାକୁ ନେଇ ପ୍ରଶାସନର କାର୍ଯ୍ୟାନୁଷ୍ଠାନ ପରେ ବି ପୁଣି ଏଭଳି ଘଟଣାର ପୁନରାବୃତ୍ତିର ତଦନ୍ତ ଦାବି କରିଛନ୍ତି ପୂର୍ବତନ ସାଂସଦ ପ୍ରଦୀପ ମାଝୀ ।

ଏହି ଖବରରୁ ଜଣାପଡ଼ୁଛି ଯେ ଆଜି ବି ଶ୍ରମ ବିଭାଗରେ କମିନାହିଁ ଦଲାଲଙ୍କ ପ୍ରାଦୁର୍ଭାବ ! ତେଣୁ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି ।