କନକ ବ୍ୟୁରୋ : ପୋଖରୀ ପୁନରୁଦ୍ଧାର ପାଇଁ ଖର୍ଚ୍ଚ ହେଲା ଲକ୍ଷଲକ୍ଷ ଟଙ୍କା ଆସିଲା। ଏସବୁ ଖର୍ଚ୍ଚ କରି ସୌନ୍ଦର୍ଯ୍ୟୀକରଣ କରାଗଲା। କିନ୍ତୁ ୨ ବର୍ଷ ବି ଯାଇନି ପୁଣି ପୁନରୁଦ୍ଧାର ଖୋଜୁଛି କନ୍ଧମାଳ ଜିଲ୍ଲା ଫୁଲବାଣୀର ପିଅନପଡ଼ା ପୋଖରୀ। ଆଉ ଏବେ ପୁଣି ପୁନଉଦ୍ଧାର ପାଇଁ ଆସିଛି ୩ କୋଟି ଟଙ୍କା। ଏହି ଟଙ୍କାକୁ ପୋଖରୀ କାର୍ଯ୍ୟରେ ଠିକ୍ ଭାବେ ଲଗାଇବା ପାଇଁ ଦାବି ହୋଇଛି। ପିଅନପଡ଼ା ପୋଖରୀ। ଫୁଲବାଣୀ ସହରର ମଧ୍ୟଭାଗରେ ଥିବା ବହୁ ପୁରାତନ ପୋଖରୀ। ପିଅନପଡ଼ା ବାସୀଙ୍କ ଜୀବନ ଓ ଜୀବିକା। ଦୂରରୁ ଅତ୍ୟନ୍ତ ସୁନ୍ଦର ଦେଖାଯାଉଥିବା ପୋଖରୀକୁ ପାଖରୁ ଦେଖିଲେ ଆପଣ ଜାଣିପାରିବେ ପ୍ରକୃତ ସ୍ଥିତି କ’ଣ। ୨ ବର୍ଷ ହେଲାଣି ଏହା ନିଜର ସୌନ୍ଦର୍ଯ୍ୟ ହରାଇବସିଛି। ପଙ୍କରେ ଭର୍ତ୍ତି, ଅପରିଷ୍କାର ପାଣି। ଚାରିପଟେ ଅଳିଆ ଆବର୍ଜନା। ଆଉ ଏହା ଲୋକଙ୍କ କୌଣସି କାମରେ ଆସୁନି। ଚତୁଃପାର୍ଶ୍ବରେ ହୋଇଥିବା ତାର ବାଡ଼ ଚୋରି ହୋଇଗଲାଣି। ଚଲା ରାସ୍ତା ଓ ଲୁହା ଗ୍ରୀଲ ବି ଭାଙ୍ଗିଗଲାଣି। ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡା ପାଲଟିଛି ଏହି ସ୍ଥାନ।

Advertisment

ଅଧିକ ପଢ଼ନ୍ତୁ :  କେବେ ସରିବ ଜରି ପୋଖରୀ ସୌନ୍ଦର୍ଯ୍ୟୀକରଣ ? ଅଧାରେ ପଡ଼ିଛି କୋଟିକୋଟିର ପ୍ରକଳ୍ପ


ପୋଖରୀର ସୌନ୍ଦର୍ଯ୍ୟୀକରଣ ଓ ପଙ୍କ ଉଦ୍ଧାର ପାଇଁ ୯୦ ଲକ୍ଷ ୭୦ ହଜାର ୭୮୮ ଟଙ୍କା ଫୁଲବାଣୀ ପୌର ପରିଷଦ ପୂର୍ତ୍ତ ବିଭାଗକୁ ପ୍ରଦାନ କରିଥିଲା। କିନ୍ତୁ ଯାହା କାମ ହୋଇଥିଲା ତାର ଅବସ୍ଥା ଆପଣଙ୍କ ସାମନାରେ। ଯାହା ଦୁର୍ନୀତି ଆଡ଼କୁ ଇଙ୍ଗିତ କରିବା ସହ କାର୍ଯ୍ୟର  ତଦନ୍ତ ପାଇଁ ଦାବି ଜୋର୍‌ ଧରିଛି। ଆଉ ଏବେ ପୁଣି ପୋଖରୀର ସୌନ୍ଦର୍ଯ୍ୟୀକରଣ  ପାଇଁ ରାଜ୍ୟ ସରକାର ୩ କୋଟି ଟଙ୍କା ପ୍ରଦାନ କରିଛନ୍ତି। ଏଥିରେ ପୋଖରୀରୁ ପଙ୍କ ଉଦ୍ଧାର କରାଯାଇ, ଚାରିପଟେ ପାଚେରୀ କରିବା ସହ ପାର୍କ ଓ ବୋଟିଂର ବ୍ୟବସ୍ଥା କରିବା ନେଇ ଡିପିଆର୍‌ ପ୍ରସ୍ତୁତି ହୋଇଛି।  ପୁଣି ମରାମତି ପାଇଁ ଆଉ ଟଙ୍କା ଖର୍ଚ୍ଚ ହେବ, ପୁଣି ସେଇ ଲୋକଙ୍କ ପକେଟ୍‌ରୁ। ଏହା ଲୋକଙ୍କ ଟଙ୍କାର ଅପଚୟ ନୁହେଁ ତ’ ଆଉ କ’ଣ? ଭାଙ୍ଗିଥିବା କାମର ଦାୟିତ୍ବ କିଏ ନେବ, ଠିକାଦାର ନା ପ୍ରଶାସନ? କେବେ ହେବ ତଦନ୍ତ? କେବେ ଦୁର୍ନୀତିଖୋରଙ୍କ ବିରୁଦ୍ଧରେ ହେବ କାର୍ଯ୍ୟାନୁଷ୍ଠାନ ?