କନକ ବ୍ୟୁରୋ : ଜିଲ୍ଲାର ସୌନ୍ଦର୍ଯ୍ୟୀକରଣକୁ ନେଇ ସରକାର ଅନେକ ଯୋଜନା କରୁଛନ୍ତି । ହେଲେ କିଛି ସରକାରୀ ବାବୁଙ୍କ ମନମୁଖୀ କାମ ପାଇଁ ପ୍ରକଳ୍ପ କାମ ଆରମ୍ଭ ହୋଇଯାଉଛି ସତ, ହେଲେ ବର୍ଷ ପରେ ବର୍ଷ ବିତିଲା ପରେ ବି କାମ ସରୁନି । ଅଧାରେ ପଡ଼ିରହୁଛି ପ୍ରକଳ୍ପ କାମ । ଏହାର ଜ୍ୱଳନ୍ତ ଉଦାହରଣ ପାଲଟିଛି ଖୋର୍ଦ୍ଧା ସହର ସାମନ୍ତରାପୁରରେ ଥିବା ଜରି ପୋଖରୀ । ଅଧାରେ ପଡ଼ିଛି ଜରି ପୋଖରୀ ସୌନ୍ଦଯ୍ୟୀକରଣ ।

Advertisment

ପ୍ରହସନ ପାଲଟିଛି ସୌନ୍ଦର୍ଯ୍ୟୀକରଣ କାମ । ଅବଧି ପରେ ବି ଅଧାରେ ପଡିଛି ଖୋର୍ଦ୍ଧା ସହର ସାମନ୍ତରାପୁରର ଜରି ପୋଖରୀ ପ୍ରକଳ୍ପ । ୨୦୨୧ ନଭେମ୍ବରରେ ଜରି ପୋଖରୀର ସୌନ୍ଦର୍ଯ୍ୟୀକରଣ ପାଇଁ କାର୍ଯ୍ୟାଦେଶ ମିଳିଥିଲା । ଏଥିପାଇଁ ୨ କୋଟି ୪୬ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା । ପୋଖରୀ ପରିସରରେ ଫୁଡ ପ୍ଲାଜା, ପିଲାଙ୍କ ପାଇଁ ପାର୍କ, ପାଦଚଲା ରାସ୍ତା, ଫ୍ଲୋଟିଙ୍ଗ ଫାଉଣ୍ଟେନ, ଆଲୋକୀକରଣ, ବସିବା ପାଇଁ ଚେୟାର ପରି ଅନେକ କାମ ନେଇ ଯୋଜନା କରାଯାଇଥିଲା । ୨୦୨୩ ସୁଦ୍ଧା କାମ ସରିବ ବୋଲି ସମୟସୀମା ଧାର୍ଯ୍ୟ କରାଯାଇଥିଲା । ହେଲେ ଅବଧି ସରିଯାଇଥିଲେ ବି ଏପର୍ଯ୍ୟନ୍ତ କାମ ସରିବାର ନାଁ ନାହିଁ । ପ୍ରକଳ୍ପ କାର୍ଯ୍ୟ ଅଧପନ୍ତରିଆ ଭାବେ ପଡି ରହିଥିବାରୁ ଅସନ୍ତୋଷ ବଢିଚାଲିଛି ।

ସହରବାସୀଙ୍କ ଆମୋଦ ପ୍ରମୋଦ ପାଇଁ ପୋଖରୀର ସୌନ୍ଦଯ୍ୟୀକରଣ କରାଯାଉଥିଲା । ହେଲେ କାମ ଶେଷ ନହେବା କାରଣରୁ ଏହା ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡାସ୍ଥଳୀ ପାଲଟିଛି  । ଲୋକେ ଏଠାରେ ଗାଡ଼ି ମଟର ସର୍ଭିସିଂ କରୁଛନ୍ତି । ଅଳିଆ ଆବର୍ଜନା, ଘାସ ଲତାରେ ପରିପୂର୍ଣ୍ଣ ହୋଇପଡ଼ିରହିଛି ଜରି ପୋଖରୀ । ଯେଉଁ ଅନୁସାରେ ଟଙ୍କା ଖର୍ଚ୍ଚ ହୋଇଛି ସେଭଳି ଆଖି ଦୃଶିଆ କାମ ହୋଇପାରିନଥିବା ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ ।

ତେବେ ଜରି ପୋଖରୀ ସୌନ୍ଦର୍ଯ୍ୟୀକରଣରେ କ’ଣ ବାଧା ସାଜୁଛି, କାହିଁକି ମନ୍ଥର ଗତିରେ କାମ କରୁଛି ଖୋର୍ଦ୍ଧା ପୌର ପ୍ରଶାସନ । ଏହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।