Govt School Photograph: (Kanak News)
କନକ ବ୍ୟୁରୋ : ସରକାରୀ ସ୍କୁଲର ପରିଚାଳନାରେ ଚରମ ଅବ୍ୟବସ୍ଥା । ବିଦ୍ୟାଳୟ ପରିଚାଳନା କମିଟି ସଭାପତିଙ୍କ ବିବାଦ । ଦୀର୍ଘ ୮ ମାସ ହେବ ପ୍ରଧାନ ଶିକ୍ଷକଙ୍କ ଦରମାରେ ମଧ୍ୟାହ୍ନ ଭୋଜନ ଖାଉଛନ୍ତି ପିଲା । ସେଥିରେ ପୁଣି ବର୍ଷ ସରିଗଲା, ହେଲେ ଆଜି ପର୍ଯ୍ୟନ୍ତ ପିଲାଙ୍କୁ ମିଳିଲାନି ସ୍କୁଲ ପୋଷାକ । ବାରମ୍ବାର ଅଭିଯୋଗ କରି ବ୍ଳକ ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଆଗରେ ଧାରଣା ଦେବା ପରେ ବ୍ଳକ ଗୋଷ୍ଠୀ ଶିକ୍ଷାଧିକାରୀ ଏବେ ତୁ ତୁ ମେଁ ମେଁ ହୋଇ ୭ ଦିନରେ ସମାଧାନ ହେବ ବୋଲି କହିଛନ୍ତି ।
ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଳକ ମନ୍ଦାରସାହି ଗାଁର କାର୍ତ୍ତିକ ଚନ୍ଦ୍ର ଉପ୍ରା ବିଦ୍ୟାଳୟରେ ଗତ ୨୦୨୫ ମେ ୧ ତାରିଖରେ ନୂତନ ପରିଚାଳନା କମିଟି ଗଠନ ହୋଇଥିଲା । ସର୍ବ ସମ୍ମତି କ୍ରମେ କମିଟିର ସଭାପତି ଭାବରେ ସପନ ଗାୟନଙ୍କୁ ଚୟନ କରାଯାଇଥିଲା । ମାତ୍ର ସଭାପତି ଦାୟିତ୍ୱ ନେବା ପୂର୍ବରୁ ତାଙ୍କର ମନମୁଖୀ କାର୍ଯ୍ୟକଳାପ ପାଇଁ ବିଦ୍ୟାଳୟର ଉନ୍ନତିମୂଳକ କାର୍ଯ୍ୟ ନହେବା, ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଦୁର୍ବ୍ୟବହାର କରିବା ଓ ବିଭିନ୍ନ ସମସ୍ୟା ଉପୁଜୁଥିବା ଯୋଗୁଁ ତାଙ୍କ ଉପରେ ଅସନ୍ତୁଷ୍ଟ ବଢ଼ିଲା । ଏହାକୁ ନେଇ ବିଦ୍ୟାଳୟ ପରିଚାଳନା କମିଟିର ୯ ଜଣ ସଭ୍ୟସଭ୍ୟା ସଭାପତି ପରିବର୍ତ୍ତନ ପାଇଁ ଭୋଗରାଇ ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀଙ୍କୁ ଲିଖିତ ଅଭିଯୋଗ କରିଥିଲେ ।
ଅଧିକ ପଢ଼ନ୍ତୁ : କାଠଚୂଲା ଭରସାରେ ମଧ୍ୟାହ୍ନଭୋଜନ; କାଠ ଚୂଲି ପାଇଁ ହେଉଥିବା ବାୟୁ ପ୍ରଦୂଷଣ ଲାଗି ଦାୟୀ କିଏ ?
ଫଳରେ ସଭାପତିଙ୍କ ନାଁରେ ନା କୌଣସି ଆକାଉଣ୍ଟ ଖୋଲାଗଲା ନା ଟଙ୍କା ଉଠାଯାଇ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଦିଆଯାଇପାରିଲା । ଶେଷରେ ସ୍କୁଲର ପ୍ରଧାନଶିକ୍ଷକ ନିଜ ହାତ ପାଣ୍ଠିରୁ ଅର୍ଥ ଖର୍ଚ୍ଚ କରି ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଖୁଆଇବା ଆରମ୍ଭ କଲେ । ଏନେଇ ବାରମ୍ବାର ପରିଚାଳନା କମିଟିର ସଭ୍ୟମାନେ ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ଠାରେ ଅଭିଯୋଗ କରିଥିଲେ । ହେଲେ କୌଣସି ସୁଫଳ ନ ପାଇ ଷ୍ଟାଣ୍ଡିଙ୍ଗ କମିଟିର ସଭାପତିଙ୍କ ପାଖରେ ଅଭିଯୋଗ କଲେ । ମାତ୍ର ଷ୍ଟାଣ୍ଡିଙ୍ଗ କମିଟିର ସଭାପତି ବ୍ଲକ ଶିକ୍ଷାଧିକାରୀଙ୍କୁ ଲିଖିତ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳିଲା ନାହିଁ । ଶେଷରେ ଷ୍ଟାଣ୍ଡିଙ୍ଗ କମିଟିର ସଭାପତି ଏକ ରିଜୋଲ୍ୟୁସନ କରି ସ୍କୁଲ ପରିଚାଳନା କମିଟି ଭଙ୍ଗ କରିଥିଲେ ।
ପରେ ଗତ ନଭେମ୍ବର ୧୯ ତାରିଖରେ ପତ୍ର ସଂଖ୍ୟା ୬୯୧ ମୂଳେ ନଭେମ୍ବର ୨୬ ତାରିଖରେ ନୂତନ ଭାବେ ସ୍କୁଲ ପରିଚାଳନା କମିଟି ଗଠନ ପାଇଁ ନିର୍ଦ୍ଦେଶ ଦେଲେ । ପୁଣି ନଭେମ୍ବର ୨୫ ତାରିଖରେ ଭୋଗରାଇ ଗୋଷ୍ଠୀ ଶିକ୍ଷାଧିକାରୀ ୨୬ ତାରିଖରେ କମିଟି ଗଠନ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଲେ । ପୁଣି ଗତ ଜାନୁଆରି ୮ ତାରିଖରେ ଚିଠି ନମ୍ବର ୬୫ ମୂଳେ ପ୍ରଧାନଶିକ୍ଷକ ଓ ସପନ ଗାୟନ ନାମରେ ସ୍କୁଲ ଆକାଉଣ୍ଟ୍ ଖୋଲିବା ପାଇଁ ଚିଠି ଆସିଥିଲା । ଯାହାକୁ ବିରୋଧ କରି ବ୍ଳକ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ SMC କମିଟି ସଭ୍ୟ/ସଭ୍ୟା, ଅଭିଭାବକ ଓ ଷ୍ଟାଣ୍ଡିଙ୍ଗ କମିଟି ସଭାପତି ଧାରଣାରେ ବସିଥିବା ସୂଚନା ମିଳିଛି ।
ଏହି ବିବାଦ ମଧ୍ୟରେ ଦୀର୍ଘ ୮ ମାସ ବିତିଗଲା । କିନ୍ତୁ ସଭାପତି ପଦ ବିବାଦ ଆଜି ପର୍ଯ୍ୟନ୍ତ ତୁଟିଲା ନାହିଁ । ଫଳରେ ୮ ମାସ ଧରି ପିଲାଙ୍କୁ ପ୍ରଧାନ ଶିକ୍ଷକ ନିଜ ଦରମା ଟଙ୍କାରେ ମଧ୍ୟାହ୍ନ ଭୋଜନ ଯୋଗାଉଛନ୍ତି । ଖାଲି ସେତିକି ନୁହେଁ ଏହି ବିବାଦ ଯୋଗୁ ବର୍ଷ ସରିଗଲା ହେଲେ ଆଜି ପର୍ଯ୍ୟନ୍ତ ପିଲାଙ୍କୁ ନୂଆ ପୋଷାକ ମିଳିଲା ନାହିଁ । ତେବେ କାହିଁକି ଏଭଳି ଘଟଣାରେ ଶିକ୍ଷା ବିଭାଗର ନିଦ୍ରା ଭଙ୍ଗ ହେଉନି ତାକୁ ନେଇ ପ୍ରଶ୍ନ ଉଠିଛି । ଏହି ଘଟଣାକୁ ନେଇ SMC ସଭାପତିଙ୍କୁ ପଚାରିବାରୁ ସେ କହିଛନ୍ତି ତାଙ୍କ ନାଁରେ ହୋଇଥିବା ଅଭିଯୋଗ ଭିତ୍ତିହୀନ ଏବଂ ସ୍କୁଲରେ ରାଜନୀତି କରାଯାଉଛି ।
Follow Us