ପୁଲଓ୍ୱାମା ବଳିଦାନକୁ ପୂରିଲା ୭ ବର୍ଷ: ସହିଦଙ୍କୁ ମନେପକାଉଛି ସାରା ଦେଶ

Advertisment

ମାତ୍ର କିଛି ମିନିଟ୍ ମଧ୍ୟରେ ସେହି ସ୍ଥାନଟି ଏକ ଶ୍ମଶାନରେ ପରିଣତ ହୋଇଗଲା । ରାସ୍ତାରେ ଚାରିଆଡେ ଯବାନଙ୍କ ରକ୍ତ ଏବଂ ଶରୀରର ଅଂଶ ବିଛାଡି ହୋଇ ପଡିଥିଲା । ଏହି କାପୁରୁଷୋଚିତ ଆକ୍ରମଣରେ ଭାରତ ମା’ର ୪୦ ଜଣ ବୀର ସନ୍ତାନ ସହିଦ ହୋଇଗଲେ ।

ମାତ୍ର କିଛି ମିନିଟ୍ ମଧ୍ୟରେ ସେହି ସ୍ଥାନଟି ଏକ ଶ୍ମଶାନରେ ପରିଣତ ହୋଇଗଲା । ରାସ୍ତାରେ ଚାରିଆଡେ ଯବାନଙ୍କ ରକ୍ତ ଏବଂ ଶରୀରର ଅଂଶ ବିଛାଡି ହୋଇ ପଡିଥିଲା । ଏହି କାପୁରୁଷୋଚିତ ଆକ୍ରମଣରେ ଭାରତ ମା’ର ୪୦ ଜଣ ବୀର ସନ୍ତାନ ସହିଦ ହୋଇଗଲେ ।

Pulwama Attack

Pulwama Attack Photograph: (Kanak news)

କନକ ବ୍ୟୁରୋ: ୧୪ ଫେବ୍ରୁଆରି, ୨୦୧୯ - ଏହି ତାରିଖଟି ଭାରତୀୟ ଇତିହାସର ପୃଷ୍ଠାରେ ଏକ 'କଳାଦିନ' ଭାବେ ଲିପିବଦ୍ଧ ହୋଇ ରହିଛି । ସାରା ବିଶ୍ୱ ଯେତେବେଳେ ଭାଲେନଟାଇନ୍ ଡେ’ ପାଳନ କରୁଥିଲା, ସେତେବେଳେ କାଶ୍ମୀରର ପୁଲୱାମା ମାଟି ଆମ ବୀର ଯବାନଙ୍କ ରକ୍ତରେ ଭିଜି ଯାଇଥିଲା । ଆଜି ସେହି ଭୟଙ୍କର ଆତଙ୍କବାଦୀ ଆକ୍ରମଣକୁ ୭ ବର୍ଷ ପୂରିଛି, କିନ୍ତୁ ସେହି କରାଳ ସ୍ମୃତି ଆଜି ବି ପ୍ରତିଟି ଭାରତୀୟଙ୍କ ଛାତିକୁ ଥରାଇ ଦିଏ ।

ସେଦିନର ଘଟଣା ଥିଲା ଅତ୍ୟନ୍ତ ହୃଦୟବିଦାରକ । ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥରେ ସିଆରପିଏଫର ୭୮ଟି ଗାଡ଼ିର ଏକ ବିଶାଳ କାଫିଲା ଯାଉଥିଲା । ସେଥିରେ ପ୍ରାୟ ୨୫୦୦ ଯବାନ ଟ୍ରାଞ୍ଜିଟ କ୍ୟାମ୍ପରୁ ଫେରୁଥିଲେ । ସବୁକିଛି ସ୍ୱାଭାବିକ ଥିଲା, ହେଲେ ଅପରାହ୍ନ ପ୍ରାୟ ୩ଟା ୧୫ ମିନିଟରେ ହଠାତ ଶୁଭିଥିଲା ଏକ ପ୍ରଚଣ୍ଡ ବିସ୍ଫୋରଣର ଶବ୍ଦ । ଆତଙ୍କବାଦୀ ଆଦିଲ ଅହମ୍ମଦ ଡାର୍ ବିସ୍ଫୋରକ ଭର୍ତ୍ତି ଏକ କାର୍ ନେଇ ଯବାନଙ୍କ ବସକୁ ଧକ୍କା ଦେଇଥିଲା । ଏହି ଆତ୍ମଘାତୀ ଆକ୍ରମଣ ଏତେ ଭୟଙ୍କର ଥିଲା ଯେ, ବିସ୍ଫୋରଣର ଶବ୍ଦ ପାଖାପାଖି ୧୦ କିଲୋମିଟର ପର୍ଯ୍ୟନ୍ତ ଶୁଭିଥିଲା।

ମାତ୍ର କିଛି ମିନିଟ୍ ମଧ୍ୟରେ ସେହି ସ୍ଥାନଟି ଏକ ଶ୍ମଶାନରେ ପରିଣତ ହୋଇଗଲା । ରାସ୍ତାରେ ଚାରିଆଡେ ଯବାନଙ୍କ ରକ୍ତ ଏବଂ ଶରୀରର ଅଂଶ ବିଛାଡି ହୋଇ ପଡିଥିଲା । ଏହି କାପୁରୁଷୋଚିତ ଆକ୍ରମଣରେ ଭାରତ ମା’ର ୪୦ ଜଣ ବୀର ସନ୍ତାନ ସହିଦ ହୋଇଗଲେ । ଓଡ଼ିଶାର ଦୁଇ ବୀର ସନ୍ତାନ ପ୍ରସନ୍ନ କୁମାର ସାହୁ ଏବଂ ମନୋଜ କୁମାର ବେହେରା ମଧ୍ୟ ଏହି ଆକ୍ରମଣରେ ନିଜ ଜୀବନ ବଳିଦାନ ଦେଇଥିଲେ ।

ଆହୁରି ପଢ଼ନ୍ତୁ... ଅଙ୍ଗନବାଡ଼ି କେନ୍ଦ୍ରର ଜାତିପ୍ରଥା ପ୍ରସଙ୍ଗ, ସଂସଦରେ ଉଠିବା ପରେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କ ତନାଘନା

ଏହି ଘଟଣା ପରେ ସାରା ଦେଶରେ କ୍ରୋଧ ଏବଂ ଶୋକର ଲହରୀ ଖେଳିଯାଇଥିଲା। ଶ୍ରୀନଗରରୁ ଦିଲ୍ଲୀ ପର୍ଯ୍ୟନ୍ତ ସବୁଠି ଏକ ପ୍ରକାର ନୀରବତା ଛାଇ ଯାଇଥିଲା । କିଏ ନିଜର ପୁଅକୁ ହରାଇଥିଲା ତ କିଏ ନିଜ ସ୍ୱାମୀକୁ, ଆଉ କିଏ ନିଜ ବାପାର ଛାୟା ହରାଇ ସାରା ଜୀବନ ପାଇଁ ଅନାଥ ହୋଇଯାଇଥିଲା । ସେହି ପରିବାର ଗୁଡିକ ପାଇଁ ସମୟ ଯେମିତି ସେଇଠି ଅଟକି ଯାଇଛି । ଆମେ ବର୍ଷକୁ ଥରେ ସେମାନଙ୍କୁ ସମ୍ମାନ ଜଣାଇ ନିଜ କାମ ସାରିଦେଉ, କିନ୍ତୁ ସେହି ସ୍ତ୍ରୀ ଓ ବୃଦ୍ଧ ପିତାମାତାଙ୍କ ଆଖିରୁ ଲୁହ ଆଜି ବି ଶୁଖିନି।

ପୁଲୱାମା ଆକ୍ରମଣ ଭାରତ ପାଇଁ କେବଳ ଏକ ଆଘାତ ନଥିଲା, ବରଂ ଏହା ଥିଲା ଶତ୍ରୁମାନଙ୍କୁ ଦୃଢ ଜବାବ ଦେବାର ଏକ ସଂକଳ୍ପ । ଏହି ବୀର ଯବାନଙ୍କ ବଳିଦାନ ଦେଶର ପ୍ରତିଟି ନାଗରିକଙ୍କୁ ଦେଶପ୍ରେମର ଶିକ୍ଷା ଦିଏ । ସେମାନେ ଚିରଦିନ ପାଇଁ ଆମ ମନରେ ଅମର ହୋଇ ରହିବେ । ଆଜିର ଦିନରେ ସେହି ପୁଲୱାମା ଶହୀଦଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହ ସେହି ଅମର ଆତ୍ମାଙ୍କୁ କୋଟି କୋଟି ପ୍ରଣାମ।  ଭାରତ କେବେ ବି ଭୁଲିବନି ଏହି ବଳିଦାନ, କେବେ ବି କ୍ଷମା କରିବନି ସେହି ସୈତାନଙ୍କୁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe