Pleads For Rice Photograph: (kanak news)
କନକ ବ୍ୟୁରୋ: ବ୍ୟବସ୍ଥା ଯେଉଁଠି ବାଟବଣା ହୁଏ, ସରକାରୀ ଯୋଜନା ଯେଉଁଠି ଯୋଗ୍ୟ ହିତାଧିକାରୀଙ୍କୁ ମିଳେନି ସେଠାରୁ ହିଁ ଆସେ ଏମିତି ଦୟନୀୟ ଖବର । ଚାଉଳ ପାଇଁ କାନ୍ଦି କାନ୍ଦି ବୃଦ୍ଧା ଜଣକ ଗୁହାରି କରିଛନ୍ତି । ତାହା ପୁଣି ମନ୍ତ୍ରୀଙ୍କ ସଭା ସ୍ଥଳରେ ଆଉ ଦଣ୍ଡ ପ୍ରଣାମ କରି ଦୁଃଖ ଜଣାଇଛନ୍ତି ବୃଦ୍ଧା ଜଣକ । ଚିଲିକା ଟାପୁର ଆସିଥିବା ଏଭଳି ଏକ ଭିଡିଓକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା । ଖାଦ୍ୟ ସୁରକ୍ଷା ଯୋଜନାରେ ମାତ୍ର ୫ କିଲୋ ଚାଉଳ ମିଳୁଛି । ସେଥିରେ ପେଟ ପୁରୁନି, ଚଳିବି କେମିତି? ଏଭଳି କିଛି ଅଭିଯୋଗ ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ସଭାରେ ଦଣ୍ଡ ପ୍ରଣାମ କରି ତଳେ ପଡ଼ି କାନ୍ଦି କାନ୍ଦି ଗୁହାରି କରିଛନ୍ତି ୭୬ ବର୍ଷିୟା ବୃଦ୍ଧା । ପୁରୀ ଜିଲ୍ଲା କୃଷ୍ଣପ୍ରସାଦରେ ନୂତନ ରାସନକାର୍ଡ ବାଣ୍ଟନ କାର୍ଯ୍ୟକ୍ରମ ସ୍ଥଳରେ ଆଜି ଏଭଳି ଦେଖିବାକୁ ମିଳିଛି । ବୃଦ୍ଧା ଜଣଙ୍କ ତଳେ ପଡ଼ିଥିବା ଦେଖି ତୁରନ୍ତ ତାଙ୍କ ସମସ୍ୟା ସଂପର୍କରେ ପଚାରି ବୁଝିଥିଲେ ମନ୍ତ୍ରୀ । ଆଉ ତ୍ୱରିତ ପଦକ୍ଷେପ ନେଇ ବୃଦ୍ଧାଙ୍କୁ ସହାୟତା ଦେବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ ।
ସେପଟେ କୃଷ୍ଣପ୍ରସାଦ ବ୍ଲକ ବ୍ରହ୍ମପୁର ପଞ୍ଚାୟତରେ ନୂତନ ରାସନ କାର୍ଡ ବାଣ୍ଟନ କାର୍ଯ୍ୟକ୍ରମରେ ଆୟୋଜନ କରାଯାଇଥିଲା । ଡଙ୍ଗା ସାହାଯ୍ୟରେ ଚିଲିକାର ଏହି ଟାପୁ ଅଞ୍ଚଳରେ ପହଞ୍ଚିଥିଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ସାଥିରେ ଥିଲେ ବ୍ରାହ୍ମଗିରୀ ବିଧାୟିକା ଉପାସନା ମହାପାତ୍ର । ଆଉ ଏତିକି ବେଳେ ଅସହାୟ ବୃଦ୍ଧା ଜଣକ ନିଜ ଦୁଃଖ ଜଣାଇବାକୁ ଦଣ୍ଡପ୍ରଣାମ କରିଥିଲେ । ସଙ୍ଗେ ସଙ୍ଗେ ଉପାସନା ତାଙ୍କୁ ବୁଝାଇ ସୁଝାଇ ଚେୟାର ଉପରେ ବସାଇଥିଲେ । ତାଙ୍କ ସମସ୍ୟା ସମାଧାନ କରିବାକୁ ସ୍ଥାନୀୟ ପ୍ରଶାସନକୁ ନିର୍ଦ୍ଦେଶ ଦେଇ ବଡ଼ପଣ ଦେଖାଇଛନ୍ତି ମନ୍ତ୍ରୀ ।
ଅଧିକ ପଢ଼ନ୍ତୁ---ମୋବାଇଲ ଖୋଲି ଦେଲା ଶିକାରୀଙ୍କ ଗୁମର ; ଫୋନ୍ ଯାଞ୍ଚ ବେଳେ ପଦାକୁ ଆସିଲା ସତ
Follow Us