କନକ ବ୍ୟୁରୋ : ରାଜଧାନୀ ଦିଲ୍ଲୀରେ ଜଣେ ୬ ବର୍ଷର ଶିଶୁକନ୍ୟାକୁ ଗଣଦୁଷ୍କର୍ମ କରାଯିବା ପରି ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଦୁଷ୍କର୍ମକାରୀ ୩ ବାଳକଙ୍କ ବୟସ ୧୦ରୁ ୧୪ ବର୍ଷ ମଧ୍ୟରେ ବୋଲି ଜଣାପଡ଼ିଛି । ଉତ୍ତର-ପୂର୍ବ ଦିଲ୍ଲୀର ଭଜନପୁରା ଅଞ୍ଚଳରେ ଜାନୁଆରି ୧୮ରେ ଏହି ଘଟଣା ଘଟିଥିବା ପୁଲିସ ମଙ୍ଗଳବାର ସୂଚନା ଦେଇଛି । ୨ ଜଣ ଶିଶୁଙ୍କୁ ଅଟକ ରଖାଯାଇଥିବାବେଳେ ଅନ୍ୟ ଜଣେ ନାବାଳକ ଓ ତାଙ୍କ ପରିବାର ଫେରାର୍‌ ଅଛନ୍ତି । ପୀଡ଼ିତା ତାଙ୍କ ବାପାମା’ ଓ ୩ ଭାଇଭଉଣୀଙ୍କ ସହିତ ରହୁଥିଲେ । ପୀଡ଼ିତାଙ୍କ ଅବସ୍ଥା ଏବେ ସ୍ଥିର ଥିବାବେଳେ ସେ ଘରେ ଅଛନ୍ତି । ଦୁଷ୍କର୍ମକାରୀ ନାବାଳକଙ୍କ ମଧ୍ୟରେ ଜଣଙ୍କ ବୟସ ୧୦ ବର୍ଷ ହୋଇଥିବାବେଳେ ଆଉ ଜଣଙ୍କ ବୟସ ୧୩ ଓ ଅନ୍ୟ ଜଣଙ୍କ ବୟସ ୧୪ ବର୍ଷ ବୋଲି ଜଣାପଡ଼ିଛି । ଉତ୍ତର-ପୂର୍ବ ଦିଲ୍ଲୀର ପୁଲିସ ଡେପୁଟି କମିସନର ଆଶିଷ ମିଶ୍ର ଘଟଣା ସମ୍ପର୍କରେ ସୂଚନା ଦେଇଥିବା‌ବେଳେ ଅଭିଯୁକ୍ତଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁ‌ଷ୍ଠାନ ଗ୍ରହଣ କରାଯାଇଥିବା ସୂଚନା ଦେଇଛନ୍ତି । 

Advertisment

ପୀଡ଼ିତାଙ୍କ ମା’ ସୂଚନା ଦେଇଛନ୍ତି ଯେ, ଜାନୁଆରି ୧୮ ସନ୍ଧ୍ୟା ୭ଟାରେ ଏହି ଗଣଦୁଷ୍କର୍ମ ଘଟଣା ଘଟିଥିଲା । ଶିଶୁଟି ଘରକୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଫେରିଥିଲେ । ଘରକୁ ଆସିବା ପରେ ସେ ଅଚେତ ହୋଇଯାଇଥିଲା । ପ୍ରଥମେ ଗଣଦୁଷ୍କର୍ମ ସମ୍ପର୍କରେ ପୀଡ଼ିତା କିଛି କହି ନଥିଲେ । ସେ ପଡ଼ିଯାଇଥିବା କହିଥିବାବେଳେ ପଡ଼ୋଶୀ ଘରର ୧୩ ବର୍ଷର ବାଳକ ଦୌଡ଼ି ଦୌଡ଼ି ଆସିବା ସହିତ ଝିଅ ପଡ଼ିଯାଇଥିବା କହିଥିଲା । କିନ୍ତୁ ଝିଅକୁ ବହୁତ ପଚରା ପଚରି କରିବା ପରେ ପଡ଼ୋଶୀ ଘରର ତିନି ଜଣ ନାବାଳକ ତାଙ୍କୁ ଚାଉମିନ୍‌ ଖାଇବାକୁ ଦେବାକୁ କହି ନିକଟରେ ଖାଲିଥିବା ଏକ ଦୁଇ ମହଲା କୋଠାକୁ ଡାକି ନେଇଥିବା କହିଥିଲେ । ସେମାନେ ତାଙ୍କର ହାତକୁ ବାନ୍ଧି ଦେବା ସହିତ ମୁହଁ ବନ୍ଦ କରି ଦୁଷ୍କର୍ମ କରିଥିବା କହିଥିଲେ । ଏହି ଘଟଣା ସମ୍ପର୍କରେ କାହାକୁ ନକହିବାକୁ ଅଭିଯୁକ୍ତ ୩ ଶିଶୁ ତାଙ୍କୁ ଧମକ ଦେଇଥିଲେ । ମେଡିକାଲ ରିପୋର୍ଟରୁ ଶିଶୁକନ୍ୟା ଦୁଷ୍କର୍ମ ପରେ ଚାଲି ପାରୁନଥିବା ଜଣାପଡ଼ିଛି । ତାଙ୍କର ପ୍ରବଳ ରକ୍ତସ୍ରାବ ହେଉଥିବା ତାଙ୍କ ମା’ ସୂଚନା ଦେଇଛନ୍ତି । ପୀଡ଼ିତାଙ୍କୁ ଜଗ୍‌ ପ୍ରବେଶ ଚନ୍ଦ୍ର ହସ୍ପିଟାଲରେ ତୁରନ୍ତ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ଦୁଷ୍କର୍ମ ସମ୍ପର୍କରେ ଜାଣିବା ପରେ ପୀଡ଼ିତାଙ୍କ ପରିବାର ପକ୍ଷରୁ ଜାଫ୍ରାବାଦ୍‌ ପୁଲିସ ଷ୍ଟେସନରେ ଅଭିଯୋଗ କରାଯାଇଥିଲା ।  

ଅଧିକ ପଢ଼ନ୍ତୁ---ଭଦ୍ରକ ଜିଲ୍ଲା ରାଜରାଜେଶପଲ୍ଲୀ ଗାଁରେ ନାବାଳିକା ନିଖୋଜ ଘଟଣା ଉପରୁ କେବେ ହଟିବ ପରଦା ?

ଭଜନପୁରା ପୁଲିସ ଷ୍ଟେସନ ପକ୍ଷରୁ ଘଟଣାସ୍ଥଳରେ ଛାନଭିନ୍ନ କରିବା ସହିତ ମାମଲାର ତଦନ୍ତ କରାଯାଉଛି । ଦୁଷ୍କର୍ମ ଘଟିଥିବା କୋଠାରୁ ଫୋରେନସିକ୍‌ ପ୍ରମାଣ ସଂଗ୍ରହ କରାଯାଇଛି ।  ପୁଲିସ ଜାନୁଆରି ୧୯ରେ ୧୦ ବର୍ଷ ଓ ୧୩ ବର୍ଷର ନାବାଳକଙ୍କୁ ଗିରଫ କରିବା ସହିତ ଉଭୟଙ୍କୁ ଶିଶୁ କଲ୍ୟାଣ କମିଟି ଆଗରେ ହାଜର କରିଛି । ଦୁଷ୍କର୍ମକାରୀମାନେ ତାଙ୍କ ପୁଅର ବନ୍ଧୁ ଥିଲେ ଓ ସେମାନେ ଏପରି କାଣ୍ଡ କିପରି ତାଙ୍କ ଝିଅ ସହିତ ଘଟାଇଲେ ବୋଲି ପୀଡ଼ିତାଙ୍କ ମା’ କହିଛନ୍ତି ।  ପୀଡ଼ିତାଙ୍କ ବାପା ଜଣେ ରିକ୍ସା ଚାଳକ ହୋଇଥିବାବେଳେ ୩ ଦୁଷ୍କର୍ମକାରୀଙ୍କୁ ସାବାଳକ ଭାବେ ଗ୍ରହଣ କରି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି ।