କନକ ବ୍ୟୁରୋ: ଖେଳରେ ହାର-ଜିତ୍ ତ ଲାଗିରହେ, କିନ୍ତୁ କିଛି ମୁହୂର୍ତ୍ତ ଏମିତି ଆସେ ଯାହା ସବୁଦିନ ପାଇଁ ସ୍ମରଣୀୟ ହୋଇ ରହିଯାଏ । ଠିକ୍ ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଟି-୨୦ ବିଶ୍ୱକପ୍ର ସୁପର-୮ ମୁକାବିଲାରେ, ଯେଉଁଠି ଇଡେନ ଗାର୍ଡେନ୍ରେ ଖେଳାଯାଇଥିବା ଏକ ରୋମାଞ୍ଚକର ମ୍ୟାଚରେ ଭାରତ ୱେଷ୍ଟଇଣ୍ଡିଜକୁ ୫ ୱିକେଟରେ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛି । ଏହି ବିଜୟର ମୁଖ୍ୟ ନାୟକ ଥିଲେ ସଞ୍ଜୁ ସାମସନ, ଯିଏକି ୯୭ ରନର ଏକ ଅପରାଜିତ ଓ ବିସ୍ଫୋରକ ଇନିଂସ ଖେଳି ଦଳକୁ ଜିତାଇଥିଲେ ।
ତେବେ ମ୍ୟାଚ୍ ଶେଷ ହେବା ପରେ ଯେଉଁ ଦୃଶ୍ୟଟି ସମସ୍ତଙ୍କ ହୃଦୟ ଜିତିଥିଲା, ତାହା ଥିଲା ୱେଷ୍ଟଇଣ୍ଡିଜର ତାରକା ଖେଳାଳି ସିମରନ୍ ହେଟମାୟରଙ୍କ ଖେଳୁଆଡ଼ ମନୋଭାବ । ନିଜ ଦଳ ହାରିଥିଲେ ମଧ୍ୟ ହେଟମାୟର ନିଜ ଆଇପିଏଲ୍ ବନ୍ଧୁ ତଥା ରାଜସ୍ଥାନ ରୟାଲ୍ସ ସାଥୀ ଖେଳାଳି ସଞ୍ଜୁଙ୍କୁ ଏହି ଚମତ୍କାର ଇନିଂସ ପାଇଁ ଖୁସିରେ ଆଲିଙ୍ଗନ କରି ଅଭିନନ୍ଦନ ଜଣାଇଥିଲେ । ସଞ୍ଜୁ ଚୌକା ମାରି ମ୍ୟାଚ୍ ଜିତାଇବା ମାତ୍ରେ ହେଟମାୟରଙ୍କ ଏହି ସ୍ନେହଭରା ବ୍ୟବହାର ଓ ମନଛୁଆଁ ଆଲିଙ୍ଗନର ଫଟୋ-ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ଟି-୨୦ ବିଶ୍ୱକପ୍ର ସୁପର-୮ ମୁକାବିଲାରେ ୱେଷ୍ଟଇଣ୍ଡିଜକୁ ୫ ୱିକେଟରେ ପରାସ୍ତ କରି ଭାରତ ସେମିଫାଇନାଲରେ ନିଜ ସ୍ଥାନ ପକ୍କା କରିଥିଲା । ଏହି ଐତିହାସିକ ବିଜୟର ମୁଖ୍ୟ ସୂତ୍ରଧର ସାଜିଥିଲେ ସଞ୍ଜୁ ସାମସନ। ପ୍ରଥମେ ବ୍ୟାଟିଂ କରି ୱେଷ୍ଟଇଣ୍ଡିଜ୍ ୪ ୱିକେଟ୍ ହରାଇ ୧୯୪ ରନ୍ର ଏକ ବିଶାଳ ସ୍କୋର କରିଥିଲା। ଜବାବରେ ଭାରତର ତାରକା ବ୍ୟାଟରମାନେ ଶସ୍ତାରେ ଆଉଟ୍ ହୋଇ ଚାପରେ ଥିବା ବେଳେ ସଞ୍ଜୁ ସାମସନ୍ ଓପନର୍ ଭାବେ ଆସି ପଡ଼ିଆର ଚାରିଆଡ଼େ ଚୌକା ଓ ଛକା ବର୍ଷା କରିଥିଲେ। ସଞ୍ଜୁ ତାଙ୍କର ୫୦ ବଲ୍ର ଇନିଂସରେ ୧୨ଟି ଚୌକା ଏବଂ ୪ଟି ଛକା ସହାୟତାରେ ୯୭ ରନ୍ କରି ଅପରାଜିତ ରହିଥିଲେ। ବିଶେଷ କରି ୧୯ତମ ଓଭରରେ ରୋମାରିଓ ସେଫର୍ଡଙ୍କୁ ଏକ ଦର୍ଶନୀୟ ଛକା ଓ ଚୌକା ମାରି ସେ ଭାରତକୁ ୪ ବଲ୍ ବାକି ଥାଇ ବିଜୟୀ କରାଇଥିଲେ ।
ୱେଷ୍ଟଇଣ୍ଡିଜ୍ ଦଳ ବିଶ୍ୱକପ୍ରୁ ବାଦ୍ ପଡ଼ିଥିବାରୁ ସିମରନ୍ ହେଟମାୟର ମର୍ମାହତ ଥିଲେ ସତ, କିନ୍ତୁ ନିଜ ଆଇପିଏଲ୍ ବନ୍ଧୁ ସଞ୍ଜୁଙ୍କ ସଫଳତାରେ ସେ ବହୁତ ଖୁସି ଥିଲେ। ସଞ୍ଜୁ ମ୍ୟାଚ୍ ଶେଷ କରିବା ମାତ୍ରେ ହେଟମାୟର ଦୌଡ଼ି ଆସି ତାଙ୍କୁ ଆଲିଙ୍ଗନ କରିଥିଲେ। ଏହି ମନଛୁଆଁ ମୁହୂର୍ତ୍ତ ସୂଚାଇ ଦେଇଥିଲା ଯେ ଖେଳ ପଡ଼ିଆରେ ପ୍ରତିଦ୍ୱନ୍ଦ୍ୱିତା ଥାଇପାରେ, କିନ୍ତୁ ବନ୍ଧୁତା ସବୁଠାରୁ ଉପରେ ।
ମାର୍ଚ୍ଚ ୫ ତାରିଖରେ ଭାରତ ଇଂଲଣ୍ଡ ବିପକ୍ଷରେ ବିଶ୍ୱକପର ଦ୍ୱିତୀୟ ସେମିଫାଇନାଲ ଖେଳିବ । କ୍ରମାଗତ ତୃତୀୟ ଥର ପାଇଁ ଏହି ଦୁଇ ଦଳ ଟି-୨୦ ବିଶ୍ୱକପ୍ ସେମିଫାଇନାଲରେ ପରସ୍ପରକୁ ଭେଟିବାକୁ ଥିବାରୁ ଏହି ମୁକାବିଲାର ରୋମାଞ୍ଚ ଆହୁରି ବଢ଼ିଯାଇଛି । ଟି-୨୦ ଫର୍ମାଟରେ ଇଂଲଣ୍ଡ ବିପକ୍ଷରେ ଭାରତର ରେକର୍ଡ ବେଶ୍ ମଜଭୁତ ରହିଛି । ଦୁଇ ଦଳ ମଧ୍ୟରେ ଏପର୍ଯ୍ୟନ୍ତ ୨୯ଟି ମୁକାବିଲା ଖେଳାଯାଇଥିବା ବେଳେ ସେଥିମଧ୍ୟରୁ ଭାରତ ୧୭ଟି ଏବଂ ଇଂଲଣ୍ଡ ୧୨ଟି ମ୍ୟାଚ୍ ଜିତିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)
/kanak/media/media_files/2026/03/04/west-indies-happy-2026-03-04-16-19-54.jpg)