Photograph: (KANAKNEWS)
କନକବ୍ୟୁରୋ : ପଶ୍ଚିମବଙ୍ଗରେ ଆଉ କିଛି ମାସରେ ହେବ ବିଧାନସଭା ନିର୍ବାଚନ । ଏଥିପାଇଁ ଭୋଟର ଲିଷ୍ଟ ଯାଞ୍ଚ କରାଯିବା ସହ ତ୍ରୁଟି ସଂଶୋଧନ କରାଯାଉଛି । SIR ରେ ସଂଶୋଧନକୁ ତ୍ବରାନ୍ବିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିସନର । ହେଲେ ୟା ଭିତରେ ଏମିତି ଖବର ଆସୁଛି ଯାହା ଶୁଣିଲେ ଯେତିକି ଆଶ୍ଚର୍ଯ୍ୟ ଲାଗୁଛି ସେତିକି ହସ ବି ଲାଗୁଛି । ପୂର୍ବ ଭୋଟର ତାଲିକା ତଥ୍ୟ କହୁଛି ଏଠି ଜଣେ ଲୋକର ଶହ ଶହ ପିଲା , କଥାଟା ଅଜବ ଲାଗୁଛି ନା ହେଲେ କଥା ଜମା ମିଛ ନୁହେଁ ।
ଅଧିକ ପଢନ୍ତୁ ..ବିଲ୍ ଗେଟ୍ସଙ୍କ ବିରୋଧରେ ଗୁରୁତର ଅଭିଯୋଗ: ରୁଷ ମହିଳାଙ୍କ ସହ ସମ୍ପର୍କ ନେଇ ଖୁଲାସା
୨୦୨୫ରେ ସଂଶୋଧନ ହୋଇଥିବା ଭୋଟର ତାଲିକା ଅନୁସାରେ , ଆସନସୋଲ ଜିଲ୍ଲାର ବାରାବନି ବିଧାନସଭା ନିର୍ବାଚନ କ୍ଷେତ୍ର ନଂ ୨୮୩ ରେ ୩୮୯ ଜଣଙ୍କ ବାପା ଠିକଣାରେ ଲେଖାଅଛି ଜଣେ ବ୍ୟକ୍ତିଙ୍କ ନାଁ । ଭୋଟର ତାଲିକା ସଂଶୋଧନରେ ଏଭଳି ଗୁରୁତର ତ୍ରୁଟିକୁ ନେଇ ଇଲେକ୍ସନ୍ କମିସନ ସୁପ୍ରିମକୋର୍ଟକୁ ଜଣାଇବା ପରେ ରାଜ୍ୟ ସରକାରଙ୍କୁ ଓ ଭୋଟରଙ୍କୁ ବି ତାଗିଦ କରିଛନ୍ତି ।
ଏଭଳି ତ୍ରୁଟିକୁ ’ସାଧାରଣ ଜ୍ଞାନ ଅଭାବ’ ବୋଲି କହିଛନ୍ତି ଇଲେକ୍ସନ୍ କମିସନର୍ କାଉନସେଲ୍ ରାକେଶ ଦ୍ବିବେଦୀ । ସେ କହିଛନ୍ତି, ଏଭଳି ତ୍ରୁଟି ନଜରକୁ ଆସିବା ପରେ ଭୋଟରଙ୍କୁ ନୋଟିସ୍ ଜାରି ହୋଇଛି । ସେମାନଙ୍କ ଭୋଟ ପରିଚୟ ତୁରନ୍ତି ସଂଶୋଧନ କରାଇବାକୁ ନିଜର ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ଭାବି ଏହି କାମକୁ ଯଥାଶୀଘ୍ର ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେମାନଙ୍କ ବାପାଙ୍କ ନାଁ ଠିକ ଭାବେ ଉଲ୍ଲେଖ କରାଇବାକୁ ବିଶେଷ ନିର୍ଦ୍ଦେଶ ରହିଛି ।
ଏ ଘଟଣା ପଶ୍ଚିମବଙ୍ଗରେ ନୂଆ କି ପ୍ରଥମ ଘଟଣା ନୁହେଁ । ହାଓଡ଼ା ଜିଲ୍ଲା ବାଲିର ୧୬୯ ନଂ ନିର୍ବାଚନ କ୍ଷେତ୍ର ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କୁ ୩୧୦ ଜଣ ଭୋଟରଙ୍କ ବାପା ବୋଲି ଲେଖାଯାଇଛି । ଭୋଟର ତଥ୍ୟ ଅନୁସାରେ, ପ୍ରତି ୭ ଜଣରେ ଜଣେ ବ୍ୟକ୍ତିଙ୍କର ୧୦୦ରୁ ଅଧିକ ସନ୍ତାନ ଥିବା ଉଲ୍ଲେଖ କରାଯାଇଛି । ୧୦ଜଣ ବ୍ୟକ୍ତିଙ୍କୁ ଏଭଳି ଚିହ୍ନଟ କରାଯାଇଛି ଯେଉଁମାନଙ୍କର ୫୦ରୁ ଅଧିକ ପିଲା ଥିବା ଉଲ୍ଲେଖ କରାଯାଇଛି । ଆଉ ୧୦ ଜଣଙ୍କର ୪୦ରୁ ଅଧିକ ପିଲା, ୧୪ଜଣଙ୍କର ୩୦ରୁ ଅଧିକ ପିଲାଙ୍କୁ ଭୋଟର ଭାବେ ଦର୍ଶଯାଇଛି । ୫୦ରୁ ଅଧିକ ବ୍ୟକ୍ତିଙ୍କର ୨୦ରୁ ଅଧିକ ସନ୍ତାନ । ଏଭଳି ୨ ଲକ୍ଷ ୬ ହଜାର ୫୬ ଜଣଙ୍କୁ ଭୁଲ ଭାବରେ ଏକାଧିକ ଭୋଟରଙ୍କ ବାପା ଭାବରେ ଦର୍ଶଯାଇଛି । ଏଭଳି ତ୍ରୁଟଇ ବାରମ୍ବାର ହେଉଥିବାରୁ ଏହାକୁ ବରଦାସ୍ତ କରାଯାବନି ବୋଲି କହିଛନ୍ତି ରାଜ୍ୟ ନିର୍ବାଚନ ଅଧିକାରୀ ।
ଭୋଟର ତାଲିକାରେ ଏଭଳି ତ୍ରୁଟି ୨୦୦୨ରୁ ଲଗାତାର ହେଉଛି , ଯାହା ନିର୍ବାଚନୀ ବିଶ୍ବସନୀୟତା ଉପରେ ବଡ଼ ପ୍ରଶ୍ନ ଉଠାଉଛି । ଲକ୍ଷ ଲକ୍ଷ ଭୋଟରଙ୍କ ପାରିବାରିକ ବିବରଣୀ ବିଶେଷ କରି ସେମାନଙ୍କର ବାପା, ମାଆ ତଥ୍ୟରେ ଗୁରୁତର ତ୍ରୁଟି ଦେଖିବାକୁ ମିଳୁଛି । ଏହି ଭୁଲ ତଥ୍ୟ କେବଳ ନା କେବଳ ବୈଷୟିକ ତ୍ରୁଟି ଆଡ଼କୁ ଇସାରା କରୁଛି ବରଂ ବଡ଼ ଷଡଯନ୍ତ୍ରକୁ ବି ସ୍ପଷ୍ଟ କରୁଛି ।
Follow Us