କନକ ବ୍ୟୁରୋ : ୨୦୨୫ ବିଦାୟ ନେବାକୁ ଯାଉଛି । ଦରଦୀ ବନ୍ଧୁଠୁ ଅଧିକ ଦୁଃଖ ଦେଇ ବାଏ ବାଏ କରିବାକୁ ଯାଉଛି ପଚିଶି । କାରଣ ଏହି ବର୍ଷ ଦେଖିଛି ଅନେକ ପ୍ରାକୃତିକ ବିପର୍ଯ୍ୟୟ । କେଉଁଠି ବାତ୍ୟା ବନ୍ୟା ତ କେଉଁଠି ଭୂସ୍ଖଳନ ଆଉ କେଉଁଠି ଭୂମିକମ୍ପ ସେ ଭୟଙ୍କର ଚିତ୍ର ପଚିଶିର ପୃଷ୍ଠାରେ ପାଦ ଚିହ୍ନ ଛାଡ଼ି ଯାଇଛି । କେବଳ ଭାରତ ନୁହେଁ ପଡ଼ୋଶୀ ଦେଶଠୁ ଆରମ୍ଭ କରି ବିଦେଶ ବି ଦେଖିଛି ପ୍ରକୃତିର କରାଳ ରୂପ । ଅନେକଙ୍କ ଜୀବନ ଯାଇଛି, ଅନେକ ବାସହରା ହୋଇଛନ୍ତି । ଏବେ ବି ଆଉ ଅନେକ ଏ ପ୍ରାଣନିଆ ପଚିଶିକୁ ମନେପକାଇ ଥରି ଉଠୁଛନ୍ତି ।
-ଅଗଷ୍ଟ ୫ ୨୦୨୫... ଉତ୍ତରାଖଣ୍ଡର ଉତ୍ତରକାଶୀର ପ୍ରଳୟ, ଧରାଲି ଏବଂ ହର୍ଷିଲ ଅଞ୍ଚଳରେ ଘଟିଥିଲା ଭୟଙ୍କର ଭୂସ୍ଖଳନ । ଉଜୁଡ଼ି ଗଲା ଶହ ଶହ ଘର , ଚାଲିଗଲା ୭୦ ଲୋକଙ୍କ ଜୀବନ । ପୋତି ହୋଇ ରହିଥିଲେ ୧୩ଶହରୁ ଅଧିକ ଲୋକ ,ଯେଉଁମାନଙ୍କୁ ଉଦ୍ଧାର କରିବାକୁ ଲାଗିଗଲା ଏକ ସପ୍ତାହରୁ ଅଧିକ ଦିନ । ଗୋଟିଏ ବନ୍ୟା ଅନେକ ଲୋକଙ୍କୁ ବେସାହାରା କରିବା ସହ ଅନେକଙ୍କ ଜୀବନ ବି ନେଇଯାଇଥିଲା ।
-ଏହା ବ୍ୟତୀତ ଅକ୍ଟୋବର ୮ ତାରିଖରେ ହିମାଚଳ ପ୍ରଦେଶର ବିଳାସପୁର ନିକଟରେ ଏକ ଯାତ୍ରୀବାହୀ ବସ୍ ଭୂସ୍ଖଳନ ଯୋଗୁଁ ମାଟି ତଳେ ଚାପି ହୋଇଯାଇଥିଲା, ଯେଉଁଥିରେ ୧୫ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଥିଲା । ଜୁନ୍ ମାସରେ ମଧ୍ୟ ହିମାଚଳ ପ୍ରଦେଶରେ ପ୍ରବଳ ବର୍ଷା ଯୋଗୁଁ ହୋଇଥିବା ଆକସ୍ମିକ ବନ୍ୟା ଓ ଭୂସ୍ଖଳନରେ ପ୍ରାୟ ୧୭ ଜଣ ଲୋକ ପ୍ରାଣ ହରାଇଥିଲେ ।
ଅଧିକ ପଢ଼ନ୍ତୁ---ବିପର୍ଯ୍ୟୟ ମୁକାବିଲା ପାଇଁ ମାଷ୍ଟରପ୍ଲାନ, ନିର୍ମାଣ ହେବ ବିପର୍ଯ୍ୟୟ ଭବନ
-ସେହିପରି ଅଗଷ୍ଟ ୧୪ ତାରିଖରେ ଜାମ୍ମୁ-କାଶ୍ମୀରର କିସ୍ତୱାର ଜିଲ୍ଲାସ୍ଥିତ ମଚୈଲ ମାତା ଯାତ୍ରା ଶିବିରରେ ମେଘଫଟା ବର୍ଷା ଯୋଗୁଁ ପ୍ରବଳ କ୍ଷୟକ୍ଷତି ଘଟିଥିଲା ।
-୨୦୨୫ ଶେଷ ଭାଗରେ ସାମୁଦ୍ରିକ ବାତ୍ୟା ଦେଶକୁ କ୍ଷତି ପହଞ୍ଚାଇଥିଲା । ପ୍ରଥମେ ବାତ୍ୟା ମୋନ୍ଥା ଆନ୍ଧ୍ର ଉପକୂଳରେ ତାଣ୍ଡବ ରଚି ଓଡ଼ିଶା ଉପକୂଳ ଛୁଇଁଥିଲା । ଯାହାର ପ୍ରଭାବ ଅନେକ କ୍ଷୟକ୍ଷତି ସହିବାକୁ ପଡ଼ିଥିଲା ।
-୨୦୨୫ରେ ଭାରତ ମଧ୍ୟ ଭୟଙ୍କର ବନ୍ୟାର ପ୍ରକୋପ ସହିଥିଲା, ଯେଉଁଥିରେ ପଞ୍ଜାବ, ହରିୟାଣା ଏବଂ ହିମାଚଳ ପ୍ରଦେଶ ଭଳି ରାଜ୍ୟଗୁଡ଼ିକ ଗୁରୁତର ଭାବେ ପ୍ରଭାବିତ ହୋଇଥିଲେ । ସତଲେଜ ଏବଂ ବ୍ୟାସ ନଦୀ ଉପରେ ନିର୍ମିତ ବନ୍ଧଗୁଡ଼ିକ ଭାଙ୍ଗିଯିବା ଫଳରେ ଶହ ଶହ ଗାଁ ବନ୍ୟା ଜଳରେ ବୁଡ଼ି ଯାଇଥିଲା । ଚାଷୀଙ୍କ ଫସଲ ନଷ୍ଟ ହୋଇଗଲା ।
-ସେହିପରି ସେପ୍ଟେମ୍ବର ମାସରେ ଯମୁନା ବିପଦ ସଙ୍କେତ ଅତିକ୍ରମ କରିଥିଲା । ଜଳସ୍ତର ୨୦୭.୪୮ ମିଟରରେ ପହଞ୍ଚିଥିଲା, ଯାହା ୧୯୬୩ ମସିହା ପରଠାରୁ ତୃତୀୟ ସର୍ବୋଚ୍ଚ ସ୍ତର ଥିଲା । ହାଥନୀକୁଣ୍ଡ ବ୍ୟାରେଜରୁ ଆସିଥିବା ବନ୍ୟା ଜଳ ରିଙ୍ଗ ରୋଡ୍, ସିଭିଲ୍ ଲାଇନ୍ସ ଏବଂ ମୟୂର ବିହାର ଭଳି ଅଞ୍ଚଳକୁ ବୁଡ଼ାଇ ଦେଇଥିଲା । ଏଥିଯୋଗୁଁ ୧୨୦୦୦ ଲୋକ ବାସହରା ହୋଇଥିଲେ ଏବଂ ରେଳ ପୋଲ ବନ୍ଦ କରାଯାଇଥିଲା ।
-ତେବେ ଖାଲି ଭାରତରେ ନୁହେଁ ଭାରତ ବାହାରେ ମଧ୍ୟ ପ୍ରାକୃତିକ ବିପର୍ଯ୍ୟୟର କରାଳ ରୂପ ଦେଖିବାକୁ ମିଳିଥିଲା । ବାତ୍ୟା 'ଡିଟୱା' ଶ୍ରୀଲଙ୍କାରେ ତାଣ୍ଡବ ରଚିଥିଲା । ପ୍ରବଳ ବର୍ଷା ଏବଂ ବନ୍ୟା ପରିସ୍ଥିତି ଯୋଗୁଁ ଶହ ଶହ ଲୋକଙ୍କୁ ନିଜ ଘରୁ ବିସ୍ଥାପିତ ହେବାକୁ ପଡ଼ିଥିଲା ।
-ବର୍ଷ ୨୦୨୫ରେ ଆଫଗାନିସ୍ତାନର ଦୁଇଟି ପୃଥକ ଅଞ୍ଚଳରେ ଭୀଷଣ ଭୂକମ୍ପ ଅନୁଭୂତ ହୋଇଛି, ଯେଉଁଥିରେ ପ୍ରାୟ ୨୦୦୦ ଲୋକଙ୍କର ପ୍ରାଣହାନି ଘଟିଛି । ଏହି ଭୂକମ୍ପର ତୀବ୍ରତା ପ୍ରାୟ ୬.୦ ଥିଲା । ପ୍ରଥମ ଭୂକମ୍ପ କୁନାର ପ୍ରଦେଶରେ ହୋଇଥିବା ବେଳେ ଏହାର କିଛି ସମୟ ପରେ ଉତ୍ତର ଆଫଗାନିସ୍ତାନର ବଲ୍ଖ ପ୍ରଦେଶରେ ୬.୨ ତୀବ୍ରତାର ଦ୍ୱିତୀୟ ଭୂକମ୍ପ ଆସିଥିଲା, ଯାହାଫଳରେ ସେଠାରେ ବ୍ୟାପକ ବିନାଶ ଘଟିଛି ।
-୨୦୨୫ରେ ଆମେରିକାରେ ଆସିଥିବା 'ହରିକେନ ମେଲିସା' ଏତେ ଶକ୍ତିଶାଳୀ ସାମୁଦ୍ରିକ ଝଡ଼ ଥିଲା ଯେ, ଏହାର ଝଟକା ପୃଥିବୀର ଅଭ୍ୟନ୍ତର ପର୍ଯ୍ୟନ୍ତ ଅନୁଭୂତ ହୋଇଥିଲା । ଏହି ତୋଫାନ ନିଜର ପ୍ରଚଣ୍ଡ ତୀବ୍ରତା ଏବଂ ଭୟଙ୍କର ବିନାଶ ପାଇଁ ସମଗ୍ର ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/12/27/year-ender-2025-2025-12-27-11-22-17.jpg)