Modi Photograph: (Kanak News)
କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ସଂସଦ ଭବନ ସେଣ୍ଟ୍ରାଲ ହଲରେ ରାଜ୍ୟଗୋଷ୍ଠୀ ଦେଶମାନଙ୍କ ବାଚସ୍ପତି ଓ ଅଧ୍ୟକ୍ଷ ସମ୍ମିଳନୀକୁ ଉଦଘାଟନ କରିଛନ୍ତି । ମୋଦୀ ସମ୍ମିଳନୀକୁ ସମ୍ବୋଧିତ କରି କହିଥିଲେ, ଭାରତ ଗଣତନ୍ତ୍ରର ଜନନୀ ଭାବେ ପରିଚିତ । ଗଣତାନ୍ତ୍ରିକ ଅନୁଷ୍ଠାନ ଓ ପ୍ରକ୍ରିୟା ସ୍ଥିରତା, ଗତି ତଥା ପରିଣାମ ପ୍ରଦାନ କରିପାରିବ । ୨୦୨୪ ସାଧାରଣ ନିର୍ବାଚନ କଥା ଉଠାଇ ପ୍ରଧାନମନ୍ତ୍ରୀ କହିଥିଲେ, ମାନବ ଇତିହାସରେ ଏହା ସବୁଠୁ ବଡ଼ ଗଣତାନ୍ତ୍ରିକ ପ୍ରକ୍ରିୟା ରହିଥିଲା । ଏହି ନିର୍ବାଚନରେ ୭୦୦ରୁ ଅଧିକ ରାଜନୈତିକ ଦଳମାନଙ୍କର ୮୦୦୦ ରୁ ଅଧିକ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରିଥିଲେ । ନିର୍ବାଚନରେ ବହୁ ସଂଖ୍ୟାରେ ମହିଳା ଭୋଟର ଅଂଶଗ୍ରହଣ କରିଥିଲେ । ଭାରତରେ ମହିଳା କେବଳ ନିର୍ବାଚନ ପ୍ରକ୍ରିୟାରେ ସାମିଲ ହେଉଛନ୍ତି, ତା’ ନୁହେଁ, ନେତୃତ୍ବ ମଧ୍ୟ ନେଉଛନ୍ତି । ଭାରତରେ ଏବେ ରାଷ୍ଟ୍ରପତି ଜଣେ ମହିଳା । ଦିଲ୍ଲୀରେ ଜଣେ ମହିଳା ମୁଖ୍ୟମନ୍ତ୍ରୀ ଅଛନ୍ତି। ସାରା ଦେଶରେ ୧.୫ ନିୟୁତ ନିର୍ବାଚିତ ମହିଳା ପ୍ରତିନିଧି ଅଛନ୍ତି । ଆମ ଦେଶର ବିବିଧତା ମଧ୍ୟରେ ଶହ ଶହ ଭାଷା ରହିଛି । ଭାରତରେ ଗଣତନ୍ତ୍ରର ମୂଳଦୁଆ ଦୃଢ଼ ଥିବାରୁ ଏପରି ବିବିଧତା ପାଳନ କରାଯାଇପାରୁଛି ।
ଭାରତ ଏବେ ବିଶ୍ବର ଦ୍ରୁତ ବିକାଶଶୀଳ ଅର୍ଥନୀତି ବୋଲି ମୋଦୀ କହିଛନ୍ତି । ୟୁପିଆଇ ବିଶ୍ବର ତୃତୀୟ ବୃହତ ଡିଜିଟାଲ ପେମେଣ୍ଟ ସିଷ୍ଟମ ହୋଇଥିବାବେଳେ ଭାରତ ବିଶ୍ବର ବୃହତ ଟିକା ଉତ୍ପାଦନକାରୀ ଦେଶ ବୋଲି ପ୍ରଧାନମନ୍ତ୍ରୀ ସମ୍ମିଳନୀରେ ଉଦ୍ବୋଧନ ଦେଇ କହିଥିଲେ । ଭାରତ ଦ୍ବିତୀୟ ବୃହତ ଷ୍ଟିଲ ଉତ୍ପାଦନକାରୀ ଦେଶ, ତୃତୀୟ ବୃହତ ଷ୍ଟାର୍ଟଅପ୍ ଇକୋସିଷ୍ଟମ ମଧ୍ୟ । ଭାରତରେ ବିଶ୍ବର ତୃତୀୟ ବୃହତ ଏଭିଏସନ ମାର୍କେଟ ହୋଇଥିବାବେଳେ ସରକାରଙ୍କ ଜନକଲ୍ୟାଣ ଯୋଜନା ଯୋଗୁ ୨୫ କୋଟି ଭାରତୀୟ ଦାରିଦ୍ର୍ୟରୁ ମୁକ୍ତି ପାଇଛନ୍ତି ବୋଲି ମଧ୍ୟ ପ୍ରଧାନମନ୍ତ୍ରୀ କହିଛନ୍ତି ।
ଅଧିକ ପଢ଼ନ୍ତୁ---ଦୁର୍ବ୍ୟବହାର କଲେ ଯାତ୍ରୀ; ବିମାନରୁ ଓହ୍ଲାଇ ଦେଲା ଇଣ୍ଡିଗୋ
ଏହାପୂର୍ବରୁ ମୋଦୀ ସଂସଦୀୟ ଗଣତନ୍ତ୍ରରେ ବାଚସ୍ପତିମାନଙ୍କ ଭୂମିକା ତଥା ସେଣ୍ଟ୍ରାଲ ହଲ୍ର ଇତିହାସ ସମ୍ପର୍କରେ କହିଥିଲେ । ଆପଣ ଯେଉଁଠି ବସିଛନ୍ତି ସେହି ସ୍ଥାନ ଖୁବ୍ ଗୁରୁତ୍ବପୂର୍ଣ୍ଣ । ପରାଧିନର ଶେଷ ବର୍ଷରେ ଏହି ସେଣ୍ଟ୍ରାଲ ହଲରେ ଭାରତର ସମ୍ବିଧାନର ଡ୍ରାଫ୍ଟିଂ ପାଇଁ ବୈଠକ ଅନୁଷ୍ଠିତ ହେଉଥିଲା । ୭୫ ବର୍ଷ ପର୍ଯ୍ୟନ୍ତ ଏହି କୋଠା ଭାରତର ସଂସଦ ଭାବେ କାର୍ଯ୍ୟ କରିଛି ବୋଲି କହିଥିଲେ । ଲୋକସଭା ବାଚସ୍ପତି ଓମ୍ ବିର୍ଲା ବାଚସ୍ପତି ସମ୍ମିଳନୀରେ ଅଧ୍ୟକ୍ଷତା କରିଥିବାବେଳେ ଏଥିରେ ୪୨ ରାଜ୍ୟଗୋଷ୍ଠୀ ଦେଶମାନଙ୍କରୁ ୬୧ ଜଣ ପ୍ରତିନିଧି ଅଂଶଗ୍ରହଣ କରିଥିଲେ । ଏହାସହିତ ୪ଟି ଅର୍ଦ୍ଧ ସ୍ବାୟତ୍ତ ସଂସଦର ପ୍ରତିନିଧି ମଧ୍ୟ ସାମିଲ ହୋଇଥିଲେ ।
Follow Us