କନକ ବ୍ୟୁରୋ : ଯେତେବେଳେ ବି ବୈଭବ ସୂର୍ଯ୍ୟବଂଶୀ କ୍ରିଜକୁ ଓହ୍ଲାନ୍ତି ବୋଲରଙ୍କ ପାଇଁ ପରିସ୍ଥିତି କଷ୍ଟକର ହୋଇପଡ଼େ । ଯଦି ଏହି ବ୍ୟାଟର ଆରମ୍ଭରୁ ଆଉଟ୍ ନ ହୁଅନ୍ତି ତେବେ ଛକା ବର୍ଷା ହେବା ଏକପ୍ରକାର ନିଶ୍ଚିତ । ଆଉ ଯଦି ବଡ଼ ବଡ଼ ଖେଳାଳିଙ୍କୁ କାଟି ଏହି କମ୍ ବୟସ୍କ କ୍ରିକେଟର ଆଗୁଆ ହୁଅନ୍ତି ତେବେ ଚର୍ଚ୍ଚା ହେବା ତ ସାଧାରଣ କଥା । ୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ କ୍ରିକେଟର କିମ୍ବଦନ୍ତୀଙ୍କୁ ପଛରେ ଛାଡ଼ିବା କିଛି କମ୍ କଥା ନୁହେଁ । ଯେତେବେଳେ ଆମେ ଭାରତୀୟ କ୍ରିକେଟ କିମ୍ବଦନ୍ତୀଙ୍କ କଥା କହୁଛୁ ତାହେଲେ ବିରାଟ କୋହଲିଙ୍କ ନାଁଟି ପ୍ରଥମେ ମୁଣ୍ଡକୁ ଆସିଥାଏ । ପାଠକବନ୍ଧୁ ହଁ କିଙ୍ଗ୍ କୋହଲି ଅର୍ଥାତ କୋଟି କୋଟି କ୍ରିକେଟପ୍ରେମୀଙ୍କ ପ୍ରିୟର ଚିକୁଙ୍କ ରେକର୍ଡକୁ ଭାଙ୍ଗିଛନ୍ତି କମ୍ ବୟସ୍କ କ୍ରିକେଟର ବୈଭବ । ସେ ଏବେ ୧୯ ବର୍ଷରୁ କମ୍ ଯୁବ ଦିନିକିଆରେ ଭାରତ ପାଇଁ ସର୍ବାଧିକ ରନ ସ୍କୋରର ଭାବରେ କୋହଲିଙ୍କୁ ପଛରେ ପକାଇ ଦେଇଛନ୍ତି । ବିରାଟ ୨୮ ବର୍ଷରୁ କମ୍ ୧୯ ଯୁବ ଦିନିକିଆରେ ମୋଟ ୯୭୮ ରନ୍ କରି ୬ ଟି ଅର୍ଦ୍ଧଶତକ ଏବଂ ଗୋଟିଏ ଶତକ କରିଥିବା ବେଳେ ବୈଭବ ଏବେ ଏହି କ୍ଷେତ୍ରରେ ତାଙ୍କୁ ପଛରେ ଛାଡ଼ି ଦେଇଛନ୍ତି । ଏହା ବ୍ୟତୀତ ବୈଭବ ସୂର୍ଯ୍ୟବଂଶୀ ଶତକ କ୍ଷେତ୍ରରେ ମଧ୍ୟ ବିରାଟଙ୍କୁ ପଛରେ ପକାଇ ଦେଇଛନ୍ତି । ତାଙ୍କର ଯୁବ ଦିନିକିଆରେ ମୋଟ ତିନୋଟି ଶତକ ଏବଂ ପାଞ୍ଚଟି ଅର୍ଦ୍ଧଶତକ ରହିଛି । ଏହି ଯୁବ ଭାରତୀୟ ସେନସେସନ୍ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହାସଲ କରିଛନ୍ତି ।
ଆଗକୁ ପଢ଼ନ୍ତୁ : ୩ୟ ଦିନିକିଆ ପୂର୍ବରୁ ଉଜ୍ଜୟିନୀ ଯାଇ ମହାକାଳଙ୍କ ଦର୍ଶନ କଲେ ବିରାଟ କୋହଲି
ଆପଣଙ୍କୁ କହିରଖୁଛୁ ଯେ ବିଜୟ ଜୋଲ ଭାରତର ୧୯ ବର୍ଷରୁ କମ୍ ଦିନିକିଆରେ ସର୍ବାଧିକ ରନ କରିବାର ରେକର୍ଡ ରଖିଛନ୍ତି । ସେ ୩୬ଟି ମ୍ୟାଚରେ ମୋଟ ୧୪୦୪ ରନ କରିଛନ୍ତି । ତାଲିକାରେ ଜୟସୱାଲ ଦ୍ୱିତୀୟ ସ୍ଥାନରେ ଅଛନ୍ତି । ଯଶସ୍ୱୀ ଜୟସୱାଲ ୨୭ ମ୍ୟାଚରେ ୧୩୮୬ ରନ କରିଛନ୍ତି । ତନ୍ମୟ ଶ୍ରୀବାସ୍ତବ ୩୪ ମ୍ୟାଚରେ ୧୩୧୬ ରନ କରି ତୃତୀୟ ସ୍ଥାନରେ ଅଛନ୍ତି । ଉନ୍ମୁକ୍ତ ଚାନ୍ଦ ୨୧ ମ୍ୟାଚରେ ୧,୧୪୯ ରନ କରିଛନ୍ତି । ଶୁଭମନ ଗିଲ ୧୬ ମ୍ୟାଚରେ ୧,୧୪୯ ରନ କରିଛନ୍ତି । ସରଫରାଜ ଖାନ ୩୩ ମ୍ୟାଚରେ ୧,୦୮୦ ରନ କରିଛନ୍ତି ଏବଂ ବୈଭବ ମ୍ୟାଚ୍ରେ ୭୨ ରନର ଏକ ଇନିଂସ ଖେଳିଥିଲେ ।
ଏହା ଉଲ୍ଲେଖ କରିବା ଉଚିତ ଯେ ବୈଭବ ସୂର୍ଯ୍ୟବଂଶୀ ୧୪ ବର୍ଷ ୨୯୪ ଦିନ ବୟସରେ ତାଙ୍କର U19 ବିଶ୍ୱକପରେ ଡେବ୍ୟୁ କରିଥିଲେ । ସେ ୧୫ ବର୍ଷ ବୟସ ପୂର୍ବରୁ ବିଶ୍ୱକପ୍ ମ୍ୟାଚ୍ ଖେଳିଥିବା ପ୍ରଥମ ଭାରତୀୟ । ପୂର୍ବରୁ U19 ବିଶ୍ୱସ୍ତରୀୟ ଟୁର୍ଣ୍ଣାମେଣ୍ଟରେ ଡେବ୍ୟୁ କରିଥିବା ସବୁଠାରୁ କମ ବୟସ୍କ ଭାରତୀୟ ଥିଲେ କୁମାର କୁଶାଗ୍ର ଯିଏ ୨୦୨୦ ରେ ୧୫ ବର୍ଷ ୮୮ ଦିନ ବୟସରେ ଶ୍ରୀଲଙ୍କା ବିପକ୍ଷରେ ଏକ ମ୍ୟାଚ୍ ଖେଳିଥିଲେ । ୧୯ ବର୍ଷରୁ କମ୍ ବିଶ୍ୱକପରେ ବୈଭବ ତାଙ୍କର ପ୍ରଥମ ମ୍ୟାଚରେ ଆମେରିକା ବିପକ୍ଷରେ କେବଳ ଦୁଇଟି ରନ୍ କରିପାରିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/media_files/2026/01/20/virat-vaibhav-2026-01-20-11-02-22.jpg)