Sundargarh Photograph: (Kanak News)
କନକ ବ୍ୟୁରୋ : ସୁନ୍ଦରଗଡ଼ ଡିଏମଏଫ୍ ପାଣ୍ଠିର ଦୁରୁପଯୋଗ । ଖଣି ପାଣ୍ଠିକୁ ମିଳିମିଶି ଖାଇଗଲେ । ସୁନ୍ଦରଗଡ ବିଜୁଳିବନ୍ଧ ନାଁରେ ୧୪ କୋଟି ଚଳୁ କରି ଖାଇଗଲା ପରେ ବି ଅସଂପୂର୍ଣ୍ଣ ପ୍ରକଳ୍ପ । ୭ ବର୍ଷ ବିତିଗଲା ସଂପୂର୍ଣ୍ଣ ହୋଇପାରିଲା ନାହିଁ ସୁନ୍ଦରଗଡର ସ୍ୱପ୍ନର ପ୍ରକଳ୍ପ ବିଜୁଳି ବନ୍ଧ ପାର୍କ । ସେପଟେ ବିଭାଗ କେବଳ ଠିକା ସଂସ୍ଥାକୁ କଳା ତାଲିକା ଭୁକ୍ତ କରି ଚୂପ୍ ବସିଛି ।
କୌଣସି ଉପାନ୍ତ ଅଞ୍ଚଳର କଥା ନୁହେଁ, ସୁନ୍ଦରଗଡ଼ ସହରର ଛାତି ଉପରେ ଥିବା ବିଜୁଳି ବନ୍ଧକୁ ଆଳ କରି ହରିଲୁଟ୍ । ଦିନଥିଲା, ସୁନ୍ଦରଗଡ଼ ରାଜା ଏଠାରୁ ବିଜୁଳି ଉତ୍ପାଦନ କରି ସାରା ସହରକୁ ଆଲୋକିତ କରୁଥିଲେ । ସେହି ଐତିହାସିକ ବିଜୁଳି ବନ୍ଧକୁ ରୂପାନ୍ତରୀକରଣ ନାଁରେ କୋଟିକୋଟି ଖାଇବା ପରେ ଛାଡ଼ିଦେଲେ । ବିଜୁଳି ସୌନ୍ଦର୍ଯୀକରଣ ପାଇଁ ପ୍ରଥମେ ୨୫ କୋଟି ୯୦ ଲକ୍ଷ ଟଙ୍କା ବ୍ୟୟ ଅଟକଳ । କାର୍ଯ୍ୟ ଆରମ୍ଭର ୭ ମାସ ପରେ ଅନୁଦାନ ବଢ଼ି ହେଲା ୩୦ କୋଟି ୪୨ ଲକ୍ଷ । ୨୦୨୦ ମସିହା ଅକ୍ଟୋବର ମାସରୁ କାମ ଆରମ୍ଭ ହୋଇ ୨୦୨୩ରେ ସରିବା କଥା, ହେଲେ ଏ ଯାଏ ସରିଲା ନାହିଁ । ଦିଲ୍ଲୀର ଏକ ନିର୍ମାଣକାରୀ ସଂସ୍ଥା କାମ ହାତକୁ ନେଇଥିଲା । ପ୍ରକଳ୍ପ ନିର୍ମାଣ ସିନା ଆଗେଇ ପାରୁନି, କିନ୍ତୁ କମ୍ପାନି ରନିଙ୍ଗ ବିଲ ଭାବରେ ୧୪ କୋଟି ଉଠାଇ ନେଇଥିବା ଜଣାପଡିଛି ।
ଅଧିକ ପଢ଼ନ୍ତୁ : ବସନ୍ତରୁ ଡରାଇଲାଣି ଜଳକଷ୍ଟ; ନଦୀ ପାଣିରେ ମେଣ୍ଟାଉଛି ଶୋଷ
୧୪ କୋଟି ଟଙ୍କା ନେଲା ପରେ ମଧ୍ୟ କାର୍ଯ୍ୟ ଅଗ୍ରଗତି ନହୋଇ ପଡିରହିଲା, ଫଳରେ କାର୍ଯ୍ୟ ସମ୍ପାଦନକାରୀ ସଂସ୍ଥାକୁ କଳା ତାଲିକା ଭୁକ୍ତ କରିଛି ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ । ହେଲେ ୨୦୨୩ ଜାନୁଆରି ଶେଷ ସୁଦ୍ଧା ସରିବାକୁ ଥିବା ପ୍ରକଳ୍ପ ୨୦୨୬ ମାର୍ଚ୍ଚ ସୁଦ୍ଧା ଅଧା ହେଲା ନାହିଁ । ୨୦୨୪ ଜିଲ୍ଲା ପ୍ରଶାସନ ଏକ ବୈଠକ କରି ବିଜୁଳୀ ବନ୍ଧ ସୌନ୍ଦର୍ଯୀକରଣ କାମ ତ୍ୱରାନ୍ୱିତ କରିବାକୁ ଆଲୋଚନା କରିଥିଲା ଜିଲ୍ଲା ପ୍ରଶାସନ । ତାହା କେବଳ ବୈଠକରେ ହିଁ ସୀମିତ ରହିଗଲା । ସ୍ଥାନୀୟ ଲୋକେ ଏହାକୁ ବେଇ କ୍ଷୋଭ ପ୍ରକାଶ କରିବା ସହ ସଂପୃକ୍ତ ସଂସ୍ଥା ନେଇଥିବା ଟଙ୍କା ଫେରାଇବ ନା ନାହିଁ ବୋଲି ପ୍ରଶ୍ନ କରିଛନ୍ତି ।
ଏନେଇ ଜିଲ୍ଲପାଳ, ଡିଏମ୍ଏଫ ଅଧିକାରୀଙ୍କ ପ୍ରତିକ୍ରିୟା ପାଇଁ ଚେଷ୍ଟା କରିଥିଲେ ଆମ ସୁନ୍ଦରଗଡ଼ ପ୍ରତିନିଧି, ହେଲେ ସେମାନେ କ୍ୟାମେରା ସମ୍ମୁଖରେ କିଛି ବି କହିବା ପାଇଁ ମନା କରିଦେଇଛନ୍ତି । ପ୍ରାଶାସନିକ ବାବୁଙ୍କ ନୀରବତା ଭିତରେ କିଛି ପ୍ରଶ୍ନ ଉଠୁଛି । କାମ ନକରି ଠିକାସଂସ୍ଥା କୋଟିକୋଟି ଟଙ୍କା ନେଲା କେମିତି ? ଠିକାସଂସ୍ଥା ଟଙ୍କା ନେବା ସମୟରେ ନିରୀକ୍ଷଣ ସଂସ୍ଥା କରୁଥିଲା କ'ଣ ? ବର୍ତ୍ତମାନର ଜିଲ୍ଲପାଳ ଚୁପ୍ କାହିଁକି ?
Follow Us