• ଆଖି ନଷ୍ଟ କରୁଛି କାର୍ବାଇଡ୍ ବନ୍ଧୁକ 
  • ୧୪ ପିଲା ହରାଇଲେଣି ଦୃଷ୍ଟିଶକ୍ତି
  • ୧୨୨ରୁ ଅଧିକ ପିଲା ଗୁରୁତର 
Advertisment

କନକ ବ୍ୟୁରୋ: ପ୍ରତ୍ୟେକ ବର୍ଷ ଦୀପାବଳିରେ ନୂଆ ନୂଆ ବାଣର କ୍ରେଜ୍ ରହିଥାଏ । ନୂଆ ନୂଆ ବାଣ ଲୋକଙ୍କୁ ବେଶ ଆକୃଷ୍ଟ କରିଥାଏ । ଆଉ ଏଥର ବି ସେମିତି କିଛି ବାଣ ଟ୍ରେଣ୍ଡରେ ରହିଛି । ଆପଣମାନେ ସୋସିଆଲମିଡିଆରେ ଦେଖିଥିବେ ଲୋକମାନେ କେମିତି ଦେଶୀ ହାତ ତିଆରି ବନ୍ଧୁକରେ କାର୍ବାଇଡ୍ ବ୍ୟବହାର କରି ଏହାକୁ ଫୁଟାଉଛନ୍ତି । ଯାହା ବର୍ତ୍ତମାନ ମାରାତ୍ମକ ସାବ୍ୟସ୍ତ ହୋଇଛି । ଆଉ ଏଥିରେ ଅନେକ ଶିଶୁ ଦୃଷ୍ଟିଶକ୍ତି ହରାଇଥିବା ଖବର ସାମ୍ନାକୁ ଆସିଛି । 

ଦୀପାବଳିର କ୍ରେଜ୍ ବର୍ତ୍ତମାନ ମାରାତ୍ମକ ପାଲଟିଛି । "କାର୍ବାଇଡ୍ ବନ୍ଧୁକ" କିମ୍ବା "ଦେଶୀ ଆତସବାଜି ବନ୍ଧୁକ" ପିତାମାତାଙ୍କ ପାଇଁ ଏବେ ଦୁଃଖ ନେଇ ଆସିଛି ।  ମାତ୍ର ତିନି ଦିନ ମଧ୍ୟରେ, ମଧ୍ୟପ୍ରଦେଶର ୧୨୨ରୁ ଅଧିକ ପିଲାଙ୍କ ଆଖିରେ ଗୁରୁତର ଆଘାତ ଲାଗି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଆଉ ୧୪ ଜଣ ଆଖି ହରାଇଛନ୍ତି । ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ଜିଲ୍ଲା ହେଉଛି ବିଦିଶା, ଯେଉଁଠାରେ ଅକ୍ଟୋବର ୧୮ ତାରିଖରେ ସରକାରୀ ନିଷେଧ ସତ୍ତ୍ୱେ ସ୍ଥାନୀୟ ବଜାରରେ ଖୋଲାଖୋଲି ଭାବରେ ଏହି ଅଶୋଧିତ "କାର୍ବାଇଡ ବନ୍ଧୁକ" ବିକ୍ରି ହୋଇଥିଲା।

୧୫୦ରୁ ୨୦୦ ଟଙ୍କା ମୂଲ୍ୟର ଏହି ଅସ୍ଥାୟୀ ଉପକରଣଗୁଡ଼ିକୁ ଖେଳଣା ପରି ତିଆରି ଏବଂ ବିକ୍ରି କରାଯାଉଛି । କିନ୍ତୁ ଏହା ବୋମା ପରି ବିସ୍ଫୋରଣ କରିଥାଏ । ହାମିଦିଆ ହସ୍ପିଟାଲରେ ଜଣେ ୧୭ ବର୍ଷୀୟା ନାବାଳିକା ଚିକିତ୍ସିତ ହେଉଛନ୍ତି । ଏହି ବାଣରେ ଆହତ ହେବା ନେଇ ସେ କହିଛନ୍ତି, "ଆମେ ଏକ ଘରେ ତିଆରି କାର୍ବାଇଡ୍ ବନ୍ଧୁକ କିଣିଥିଲୁ । ଫୁଟାଇବା ବେଳେ ଏହା ବିସ୍ଫୋରଣ ହେଲା, ମୋର ଗୋଟିଏ ଆଖି ସମ୍ପୂର୍ଣ୍ଣ ଜଳିଗଲା । ମୋତେ ଏବେ ଠିକରେ ଦେଖାଯାଉନି । 

ଆଉ ଜଣେ ପୀଡିତ ରାଜ ବିଶ୍ୱକର୍ମା ସ୍ୱୀକାର କରି କହିଛନ୍ତି, "ମୁଁ ସୋସିଆଲ ମିଡିଆରେ ଭିଡିଓ ଦେଖିଥିଲି ଏବଂ ଘରେ ଏମିତି ଏକତ ବନ୍ଧୁକ ତିଆରି କରିବାକୁ ଚେଷ୍ଟା କରିଥିଲି । ଏହା ମୋ ମୁହଁରେ ବିସ୍ଫୋରଣ ହୋଇଗଲା ଏବଂ ମୁଁ ମୋର ଆଖି ହରାଇଲି ।

ବିଦିଶା ପୁଲିସ ଏହି ବାଣ ବନ୍ଧୁକଗୁଡ଼ିକୁ ବେଆଇନ ଭାବରେ ବିକ୍ରୟ କରିବା ଅଭିଯୋଗରେ ଛଅ ଜଣଙ୍କୁ ଗିରଫ କରିଛି । ଥାନା ଅଧିକାରୀ ଆରକେ ମିଶ୍ର କହିଛନ୍ତି, "ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏହି କାର୍ବାଇଡ୍ ବନ୍ଧୁକଗୁଡ଼ିକୁ ବିକ୍ରୟ କିମ୍ବା ପ୍ରୋତ୍ସାହନ ଦେବା ପାଇଁ ଦାୟୀ ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । 

ଗୁରୁଣ୍ଡି ଗୁରୁଣ୍ଡି ଗଲେ ମିଳିବ ଭତ୍ତା ; ପୁଣି ବର୍ଦ୍ଧିତ ନୁହେଁ, ହଜାରେ ଟଙ୍କା

ଭୋପାଳ, ଇନ୍ଦୋର, ଜବଲପୁର ଏବଂ ଗ୍ୱାଲିୟରର ସମସ୍ତ ଡାକ୍ତରଖାନାରେ, ଚକ୍ଷୁ ବିଭାଗଗୁଡ଼ିକ ଏହି ବନ୍ଧୁକ ଦ୍ୱାରା ଆହତ ହୋଇଥିବା ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । କେବଳ ଭୋପାଳର ହମିଦିଆ ହସ୍ପିଟାଲରେ, ୭୨ ଘଣ୍ଟା ମଧ୍ୟରେ ୨୬ ଜଣ ପିଲାଙ୍କୁ ଭର୍ତ୍ତି କରାଯାଇଥିଲା । ଡାକ୍ତରମାନେ ସ୍ପଷ୍ଟ ଶବ୍ଦରେ ପିତାମାତାଙ୍କୁ ଚେତାବନୀ ଦେଉଛନ୍ତି ଯେ ଏହା କୌଣସି ଖେଳଣା ନୁହେଁ, ବରଂ ଏକ ଇମ୍ପ୍ରୋଭାଇଜ୍ଡ ବିସ୍ଫୋରକ । ଏହି ଡିଭାଇସ୍ ଆଖିକୁ ସିଧାସଳଖ କ୍ଷତି ପହଞ୍ଚାଏ । ବିସ୍ଫୋରଣ ଧାତୁ ଖଣ୍ଡ ଏବଂ କାର୍ବାଇଡ୍ ବାଷ୍ପ ନିର୍ଗତ କରେ ଯାହା ରେଟିନାକୁ ପୋଡ଼ି ଦିଏ । ଆମେ ଏପରି ଅନେକ ମାମଲାର ଚିକିତ୍ସା କରୁଛୁ ଯେଉଁଠାରେ ପିଲାମାନଙ୍କର ଆଖି ନଷ୍ଟ ହୋଇଯାଏ ଆଉ ସବୁଦିନ ପାଇଁ ସେମାନେ ଦୃଷ୍ଟିଶକ୍ତି ହରାଇବସନ୍ତି । 

ସୋସିଆଲମିଡିଆରେ ଦେଖିବାକୁ ମିଳିଛି ପିଲାମାନେ ପ୍ଲାଷ୍ଟିକ୍ ପାଇପ୍ ବ୍ୟବହାର କରି "କାର୍ବାଇଡ୍ ବନ୍ଧୁକ" ତିଆରି କରୁଛନ୍ତି । ସେଥିରେ ବାରୁଦ, ଦିଆସିଲି କାଠି ମୁଣ୍ଡ ଏବଂ କ୍ୟାଲସିୟମ୍ କାର୍ବାଇଡ୍ ଭର୍ତ୍ତି କରୁଛନ୍ତି ଏବଂ ଏହାକୁ ପାଇପରେ ପୂରାଇ ଜଳାଉଛନ୍ତି । ଯାହାଫଳରେ ରାସାୟନିକ ପ୍ରତିକ୍ରିୟାରେ ଏକ ଘାତକ ମିଶ୍ରଣ ସୃଷ୍ଟି ହୋଇଥାଏ । ଯେତେବେଳେ ମିଶ୍ରଣଟି ଜଳେ, ଏହା ଏକ ପ୍ରବଳ ବିସ୍ଫୋରଣ ସୃଷ୍ଟି କରେ । ତେଣୁ ଏପରି ବିପଦପୂର୍ଣ୍ଣ ବାଣରୁ ଦୂରେଇ ରହିବାକୁ ସଚେତନ କରାଯାଉଛି ।