କନକ ବ୍ୟୁରୋ : ବାଲେଶ୍ୱର ରେମୁଣା ବ୍ଲକ ଅନ୍ତର୍ଗତ ଆଲଦା ଗାଁ ପାତି ସିଂ । ଗୋଡ଼ରୁ ପାଦ କଟିଯାଇଛି , ଗୁରୁଣ୍ଡି ଗୁରୁଣ୍ଡି ଚାଲୁଛନ୍ତି । ଦିବ୍ୟାଙ୍ଗ ନାତି ସହ ଅଧା ଭଙ୍ଗା କାନ୍ଥର ଦଦରା ଘରେ ରହୁଛନ୍ତି । ଚଳିବାକୁ ଭରସା କେବଳ ହଜାରେ ଟଙ୍କାର ବାର୍ଦ୍ଧକ୍ୟ ଭତ୍ତା । ଯାହାକୁ ଜାଣିଲେ ଆପଣ ଅନୁଭବ କରିବେ କେତେ କଷ୍ଟକର ଦିବ୍ୟାଙ୍ଗଙ୍କ ଜୀବନ ।

Advertisment

ଜୀବନ ଯନ୍ତ୍ରଣାର କରୁଣ କାହାଣୀ , ଗୁରୁଣ୍ଡି ଗୁରୁଣ୍ଡି ଗଲେ ମିଳିବ ଭତ୍ତା । ପୁଣି ବର୍ଦ୍ଧିତ ନୁହେଁ, ହଜାରେ ଟଙ୍କା । ଘରଠାରୁ କିଛି ବାଟ ଏମିତି ଗଲେ, ଅଟୋ କିମ୍ବା କାହାକୁ ବାଟ ଖର୍ଚ୍ଚ ଦେଲେ ୫ କିଲୋମିଟର ଦୂର ବ୍ୟାଙ୍କକୁ ନେଇଯିବ । ଭତ୍ତା ଟଙ୍କା ଆଣିଲେ, ଦିବ୍ୟାଙ୍ଗ ନାତି ଓ ଜେଜେମାଆ ଚଳିବେ । ଯେତେବେଳେ ଦାରିଦ୍ର୍ୟ, ଅସହାୟତା ଓ ଅକ୍ଷମତା ମଣିଷକୁ କବଳିତ କରେ, ସରକାର ଅଣଦେଖା କରନ୍ତି ସେତେବେଳେ ପାତି ସିଂ ଭଳି ବୃଦ୍ଧାଙ୍କ କାହାଣୀ ସାମ୍ନାକୁ ଆସେ ।

ଋଷ ପରମାଣୁ ବାହିନୀର ସମରାଭ୍ୟାସ, କଣ ଚାହୁଛନ୍ତି ପୁଟିନ୍‌?

ଦିନେ ସ୍ୱାମୀ, ଦୁଇ ପୁଅ ବୋହୂ ନାତିଙ୍କୁ ନେଇ ଥିଲା ପାତିଙ୍କ ସଂସାର । ସମୟ ଚକ୍ରରେ ସବୁ ବଦଳିଯାଇଛି । ସ୍ୱାମୀ, ସାନପୁଅ-ବୋହୂ ଆରପାରିରେ । ବଡ଼ପୁଅ, ବୋହୂ ଅଲଗା ରୁହନ୍ତି, ମାଆ କଥା ବୁଝନ୍ତି ନାହିଁ । ଏଭଳି ସ୍ଥିତିରେ ଦିବ୍ୟାଙ୍ଗ ନାତି ସହ ଦଦରା ଘରେ ରହି ପ୍ରତିଦିନ ବଞ୍ଚିବା ପାଇଁ ସଂଗ୍ରାମ କରୁଛନ୍ତି ବୃଦ୍ଧା ଜଣଙ୍କ । ବୃଦ୍ଧାଙ୍କ ପାଖରେ ଦିବ୍ୟାଙ୍ଗ ସାର୍ଟିଫିକେଟ୍‌ ନାହିଁ କି ନାତିକୁ ବି ଭତ୍ତା ମିଳୁନି । ଏଠାରେ ପ୍ରଶ୍ନ ଉଠୁଛି, ଅସହାୟଙ୍କୁ ଘରେ ଯାଇ ଭତ୍ତା ଦେବାର ବ୍ୟବସ୍ଥା ଥିଲେ ବି ଏହି ବୃଦ୍ଧାଙ୍କୁ ଅଣଦେଖା କାହିଁକି ? କାହିଁକି ଓ କେଉଁ ପରିସ୍ଥିତିରେ ସେ, ଏମିତି ଗୁରୁଣ୍ଡିଗୁରୁଣ୍ଡି ଯିବାକୁ ବାଧ୍ୟ ହେଲେ ? ତାର ତଦନ୍ତ କରି ତୁରନ୍ତ ପାତି ସିଂ ଓ ତାଙ୍କ ନାତୀର ଭତ୍ତା ବ୍ୟବସ୍ଥା କରାଯାଉ ।