କୁନି ଝିଅର ଗୋଟେ କଲ୍ … ପ୍ରଶାସନକୁ ଦୋହଲାଇଦେଲା

୧୦ ବର୍ଷର ଝିଅ ଚାଇଲ୍ଡ ଲାଇନ ନମ୍ବର ୧୦୯୮ରେ କଲ୍ କଲା, ପୂରା ପ୍ରଶାସନରେ ହଇଚଇ ସୃଷ୍ଟି କରିଦେଲା । ଘରେ ଆସି ପହଞ୍ଚିଲେ ପୁଲିସ ସହ ଶିଶୁ ବିକାଶ ବିଭାଗ ଅଧିକାରୀ ...

Girl  Calls Helpline

କୁନି ଝିଅର ଗୋଟିଏ କଲ୍ Photograph: (Kanak digital)

କନକ ବ୍ୟୁରୋ:  ’ହାଲୋ… ମୁଁ ଆଉ ଆମ ଘରେ ରହିବିନି । ମୋତେ ଏଠୁ ନେଇଯାଅ ପ୍ଲିଜ୍’
ଏଇ ଗୋଟିଏ କଲ୍ ପୂରା ପ୍ରଶାସନକୁ ଦୋହଲାଇଦେଲା । ହିମାଚଳପ୍ରଦେଶ ବିଲାସପୁରର ୧୦ ବର୍ଷର ଝିଅ ଚାଇଲ୍ଡ ଲାଇନ ନମ୍ବର ୧୦୯୮ରେ କଲ୍ କରିବା  ପରେ ଏକ ପ୍ରକାର ହଇଚଇ ସୃଷ୍ଟି ହୋଇଛି । 

ହିମାଚଳପ୍ରଦେଶ ବିଲାସପୁରର ୧୦ ବର୍ଷର କୁନି ଝିଅ ନିଜ ବାପା, ମାଆଙ୍କ ବିରୋଧରେ ଆଣିଛି ଶାରୀରିକ ଓ ମାନସିକ ନିର୍ଯାତନା ଅଭିଯୋଗ । ୧୦ ବର୍ଷର ଝିଅ ହେଲ୍ପଲାଇନ୍ ନମ୍ବରରେ କଲ୍ କରି କହିଛି , ତାଙ୍କ ଘରେ ବାପା, ମାଆଙ୍କ ଭିତରେ ଅଧିକାଂଶ ସମୟରେ ଝଗଡ଼ା ହେଉଛି । ସେମାନେ ରାଗିକି ତା ଉପରେ ରାଗ ସୁଝାଉଛନ୍ତି । ମାରପିଟ କରୁଛନ୍ତି । ସେ ଆଉ ଘରେ ରହିବାକୁ ଚାହୁନି । ଫୋନରେ ଝିଅ ଏକଥା କହିବା ପରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ଏ ଘଟଣାକୁ ମହିଳା ଓ ଶିଶୁ ବିକାଶ ବିଭାଗ ଗୁରୁତର ସହ ନେଇଛି ।

ବିଶ୍ବ ଦେଖିଲା ଅସମ୍ଭବ ଦୃଶ୍ୟ; ଚର୍ଚ୍ଚାରେ ଆମେରିକାର ‘ହରିକେନ୍ ହଣ୍ଟର୍ସ’

ଏହାପରେ ପୁଲିସକୁ ମଧ୍ୟ ଖବର ଦିଆଯାଇଥିଲା । ଜଣେ ମହିଳା ଅଧିକାରୀଙ୍କ  ତତ୍ତ୍ବାବଧାନରେ ପୂରା ଟିମ୍ ଆସି ଝିଅକୁ ଓ ବାପା, ମାଆଙ୍କ ଅଲଗା ଅଲଗା ପଚରାଉଚରା କରିଥିଲେ । ଯାଞ୍ଚ ସମୟରେ ଜଣାପଡ଼ିଲା, କୁନି ଝିଅ ତା ବାପା, ମାଆଙ୍କୁ ପୂରା ଡରିକି ଅଛି । ଅଧିକାରୀଙ୍କ ଆଗରେ ଝିଅ ସଫା ସଫା କହିଥିଲା , ସେ ଆଉ ଘରେ ରହିବାକୁ ଚାହୁନି । ଝିଅକୁ ଅନେକ ବୁଝାସୁଝା କରାଯାଇଥିଲା  । ଆଗକୁ ଝିଅକୁ ଯେପରି ମାଡ଼ ଗାଳି ନପଡ଼େ ସେନେଇ ବାପା, ମାଆଙ୍କୁ ମଧ୍ୟ କଡ଼ା ଚେତାବନୀ ଦିଆଗଲା । ତାଙ୍କ ଘରକୁ ଗ୍ରାମ ପଞ୍ଚାୟତ ସଦସ୍ୟଙ୍କୁ ଡକରାହେଲା । ପୁଲିସ ଓ ଶିଶୁ ବିକାଶ ବିଭାଗୀୟ ଅଧିକାରୀ ସେମାନଙ୍କ ସହ ଆଲୋଚନା କରିବା ପରେ ଝିଅର ସୁରକ୍ଷା ସୁନିଶ୍ଚିତ କରିବାକୁ କହିଥିଲେ । କିନ୍ତୁ ଝିଅର ଗୋଟିଏ ଜିଦ୍ ସେ ଆଉ ସେ ଘରେ , ସେ ବାପା, ମାଆଙ୍କ ପାଖରେ ରହିବିନି । ବାରମ୍ବାର ଝିଅର ଏଭଳି ଅନୁରୋଧ ଆଉ ବିକଳ କାନ୍ଦ ଦେଖି ତାକୁ ନିଜ ସୁରକ୍ଷାରେ ନେଇଛି ହିମାଚଳ ମହିଳା ଓ ଶିଶୁ ବିକାଶ ବିଭାଗ । ଝିଅକୁ ଏବେ ସୁରକ୍ଷିତ ସ୍ଥାନରେ ରଖାଯାଇଛି । ଯେପରି ତା’ର ମାନସିକ ସ୍ଥିରତା ଫେରିଆସିବ ସେଥିପାଇଁ ଏଠାରେ ତାର କାଉନସେଲିଂ କରାଯିବ । 

ପୁଲିସର କହିବା ଅନୁସାରେ, ଝିଅର ପରିବାରରେ ତା ବାପା, ମାଆଙ୍କ ସହ ସାନ ଭାଇ ଓ ଜେଜେମାଆ ରହୁଛନ୍ତି । ଏବେ ଏହି ପରିବାର ପୁଲିସ ନଜରରେ ଅଛି । ଏ ଘଟଣା କେବଳ ଗୋଟିଏ ପରିବାରର ନୁହେଁ  ବରଂ ଆମ ଦେଶରେ ଅନ୍ୟ ପରିବାରଗୁଡିକରେ ମଧ୍ୟ ଘଟୁଛି । ଆଉ ଅତି ଖରାପ ସ୍ଥିତିର ଶିକାର ହେଉଛନ୍ତି କୋମଳମତି ଶିଶୁ, ଯାହା ସେମାନଙ୍କ ଭବିଷ୍ୟତ ଅନ୍ଧାର କରିଦେବାକୁ ଯଥେଷ୍ଟ । ଆଉ ଏ ୧୦ ବର୍ଷର ଝିଅର କଲ୍  ଏକ ନୂଆ ସଚେତନତାକୁ ଇଙ୍ଗିତ କରୁଛି । ନିର୍ଯାତନା ଓ ଅପରାଧ ବିରୋଧରେ ସ୍ବର ଉଠାଇବାକୁ ବାର୍ତ୍ତା  ଦେଉଛି । କୁନି ଝିଅର ଏହି ଗୋଟିଏ କଲ୍ ସାରା ଦେଶରେ ଏଭଳି ଅବହେଳିତ ହୋଇ ରହିଥିବା ପିଲାଙ୍କୁ ବଳ  ଓ ସାହାସ ଦେଇଛି । ହେଲେ ସେମାନଙ୍କୁ ଏଭଳି ପଙ୍କରୁ ଉଦ୍ଧାର କରିବା ପ୍ରଶାସନର ବି ସବୁଠୁ ଗୁରୁଦାୟିତ୍ବ ନିଶ୍ଚୟ । ନଚେତ୍ ପ୍ରଶାସନର ହେଳା ଭେଳା ବୁଡ଼ାଇଦେବ ।

 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Subscribe