ନୂଆବର୍ଷର ନୂଆ ସକାଳ ଦେଖିଛି ସାରା ଓଡିଶା ! ଆଜିର ଦିନକୁ ସ୍ୱାଗତ କରିବା ପାଇଁ ସମସ୍ତେ ମସଗୁଲ

100

କନକ ବ୍ୟୁରୋ : ନୂଆବର୍ଷର ନୂଆ ସକାଳ ଦେଖିଛି ସାରା ଓଡିଶା । ୨୦୧୭କୁ ବିଦାୟ ଦେଇ ନୂଆବର୍ଷ ୨୦୧୮ତୁ ସ୍ୱାଗତ ଜଣାଇଛନ୍ତି ସମସ୍ତେ । ବିଶେଷ କରି ନୂତନବର୍ଷର ପ୍ରଥମ ଦିନରେ ଦେବାଳୟଗୁଡିକରେ ଭିଡ ଲାଗିଛି । ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ଓଡିଶାବାସୀଙ୍କୁ ଇଂରାଜୀ ନବବର୍ଷର ଶୁଭେଚ୍ଛା ଜଣାଇଛନ୍ତି । ୨୦୧୭କୁ ବିଦାୟ ଜଣାଇ ନୂଆ ବର୍ଷକୁ ସ୍ୱାଗତ କରିବା ଲାଗି ବିଭିନ୍ନ ହୋଟେଲ ଓ କ୍ଲବରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଡିଜେ ଧୁନରେ କମ୍ପିଥିଲା ଜିରୋ ନାଇଟ ସେଲିବ୍ରିସନ । ପୁରୁଣା ବର୍ଷକୁ ସ୍ୱାଗତ କରି ସମସ୍ତେ ନୂଆବର୍ଷକୁ ସ୍ୱାଗତ କରିଥିଲେ । ଜିରୋ ନାଇଟରେ ନୂଆବର୍ଷକୁ ସ୍ୱାଗତ କରିବା ପାଇଁ ସମସ୍ତେ ମସଗୁଲ ଥିଲେ ।

କେହି କେହି ହାତକୁ ଗୋଲାପୁ ଫୁଲଟିଏ ଦେଇ କହୁଥିଲେ ହ।ପି ନ୍ୟୁ ଇୟର । ବିଭିନ୍ନ କଲୋନୀ, ବସ୍ତି ଓ ଗାଁରେ ମଧ୍ୟ ନୂଆବର୍ଷକୁ ପାଳନ କରିବା ଲାଗି ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଆୟୋଜନ କରାଯାଇଥିଲା । ଜିରୋ ନାଇଟରେ ସମସ୍ତେ ମସଗୁଲ ଥିଲେ । ସେହିପରି କଟକ ସହରରେ ମଧ୍ୟ ହୋଟେଲ ଓ କ୍ଲବଗୁଡିକରେ ଜିରୋ ନାଇଟ ପାଳିଛନ୍ତି ସହରବାସୀ । ଏଠାରେ ମଧ୍ୟ ହିନ୍ଦୀ, ଓଡିଆ ଗୀତର ତାଳେତାଳେ ଝୁମିଥିଲେ ଲୋକେ । ନୂଆବର୍ଷକୁ ସ୍ୱାତର କରିବା ପାଇଁ ଉତ୍ସାହ, ଉଦ୍ଦିପନାର ସହ ଚାହିଁ ରହିଥିଲେ ।

ନୂଆବର୍ଷରେ ଶ୍ରୀମନ୍ଦିରରେ ସକାଳୁ ଭକ୍ତଙ୍କ ଭିଡ ଲାଗିରହିଛି । ସାଢେ ୪ କୋଟି ଓଡିଆଙ୍କ ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ଭକ୍ତଙ୍କ ପ୍ରବଳ ଭିଡ ଲାଗିରହିଛି । ମଧ୍ୟରାତ୍ରିରୁ ବର୍ତମାନ ଲକ୍ଷାଧିକ ଲୋକ ମହାପ୍ରଭୁଙ୍କ ଦର୍ଶନ କରିସାରିଛନ୍ତି । ଭକ୍ତଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସବୁପ୍ରକାରର ବ୍ୟବସ୍ଥା କରାଯାଇଛି । ଦର୍ଶନ ପାଇଁ ୱାନ ୱେ ବ୍ୟବସ୍ଥା ହୋଇଥିବାବେଳେ ସିଂହଦ୍ୱାର ଦେଇ ପ୍ରବେଶ ଓ ଅନ୍ୟ ୩ ଦ୍ୱାରରେ ପ୍ରସ୍ଥାନ ବ୍ୟବସ୍ଥା କରାଯାଇଛି । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ବାରିକେଡ ହୋଇଥିବା ବେଳେ ମନ୍ଦିର ଦ୍ୱାର ରାତି ଗୋଟାଏ ୨୫ ମିନିଟରେ ଖୋଲିବାକୁ ନୀତି ର୍ନିଘଂଟ ହୋଇଥିଲା । ପୂର୍ବରୁ ପହଲି ଭୋଗ ନୀତି ପାଇଁ ରାତି ୨ଟାରେ ଦ୍ୱାର ଫିଟୁଥିବା ବେଳେ ଏହି ନୂଆବର୍ଷ ପାଇଁ ୩୫ ମିନିଟ ପୂର୍ବରୁ ଦ୍ୱାର ଖୋଲିବାକୁ ନିର୍ଦ୍ଦେଶ ଦେଇଥିଲା ଶ୍ରୀମନ୍ଦିର ପ୍ରଶାସନ ।

ସେହିପରି ଆମ ଦେଶ ବ୍ୟତୀତ ଅନ୍ୟ ଦେଶ ଗୁଡ଼ିକରେ ମଧ୍ୟ ବେଶ ଧୁମଧାମରେ ପାଳିତ ହୋଇଛି ନବବର୍ଷ । ବିଦାୟ ନେଇଛି ୨୦୧୭ । ଆସିଛି ସମ୍ଭାବନାର ବର୍ଷ ୨୦୧୮ । ମଧ୍ୟରାତ୍ରିରେ ବିଶ୍ୱରେ ପ୍ରଥମେ ନୂଆବର୍ଷକୁ ସ୍ୱାଗତ କରିଛନ୍ତି ନ୍ୟୁଜିଲାଣ୍ଡର ଅକଲାଣ୍ଡ ବାସିନ୍ଦା । ଜିରୋ ନାଇଟକୁ କାଉଂଟ ଡାଉନ ସହ ସ୍ୱାଗତ କରିଛନ୍ତି ଅକଲାଣ୍ଡବାସୀ । ଅକଲାଣ୍ଡର ପ୍ରସିଦ୍ଧ କ୍ସାର୍ଡ ଟାୱାରରେ ନୂଆବର୍ଷକୁ ସ୍ୱାଗତ କରିବା ପାଇଁ ଏକାଠି ହୋଇଥିଲେ ଲକ୍ଷଲକ୍ଷ ଲୋକ । ନୂଆବର୍ଷ ପ୍ରବେଶ କରିବା ପରେ ଆତସବାଜୀରେ ଝଲସି ଉଠିଥିଲା ପୁରା ସହର । ଭାରତୀୟ ସମୟ ଠାରୁ ୭ ଘଂଟା ୩୦ ମିନିଟ ଆଗୁଆ ଥିବାରୁ ନ୍ୟୁଜିଲାଣ୍ଡରେ ପ୍ରଥମେ ପାଳିତ ହୋଇଛି ନୂଆବର୍ଷ ।

ଅକଲାଣ୍ଡରେ ନୂଆବର୍ଷ ପହଂଚିବାର ୨ ଘଂଟା ପରେ ଅଷ୍ଟ୍ରେଲିଆ ସିଡିନିରେ ଜିରୋ ନାଇଟ୍ ସେଲିବ୍ରେସନ କରାଯାଇଛି । ଆତସବାଜୀର ଶଦ୍ଧ ସାଙ୍ଗକୁ ସୁନ୍ଦର ଆଲୋକମାଳାରେ ୨୦୧୮କୁ ସ୍ୱାଗତ କରିଛନ୍ତି ସିଡନିବାସୀ । ପ୍ରତିବର୍ଷ ଏଠାରେ ନୂଆବର୍ଷ ପହଂଚିବାର ତିନି ଘଂଟା ପୂର୍ବରୁ ହୁଏ ସୁନ୍ଦର ଆତସବାଜି । ସିଡନିରେ ଥିବା ଓପେରା ହାଉସ ଓ ହାରବର ବ୍ରିଜ ଉପରେ ଲକ୍ଷ ଲକ୍ଷ ବାଣ ଏକସଙ୍ଗରେ ଫୁଟାଇ ନୂତନ ବର୍ଷକୁ ସ୍ୱାଗତ କରିବାର ପରମ୍ପରା ରହିଛି ।

ସେପଟେ ଜାପାନର ୟୋକୋହାମା ସହରବାସୀ ପୁରୁଣା ବର୍ଷକୁ ବିଦାୟ ଦେଇ ଧୁମଧାମରେ ନୂଆ ବର୍ଷକୁ ସ୍ୱାଗତ କରିଛନ୍ତି । ଲୋକେ ଜିରୋ ନାଇଟକୁ ଆନନ୍ଦ ଉଲ୍ଲାସର ସହ ପାଳନ କରିଛନ୍ତି । ଜାପାନର ଟୋକିଓ ସହରରେ ନୂଆବର୍ଷକୁ ସ୍ୱାଗତ କରିବା ଲାଗି ରହିଛି ସ୍ୱତନ୍ତ୍ର ପରମ୍ପରା । ନୂଆ ବର୍ଷର ପ୍ରଥମ ପ୍ରାର୍ଥନାରେ ଭାଗନେବା ପାଇଁ ହଜାରହଜାର ଲୋକ ସ୍ୱତନ୍ତ୍ରଧରଣର ପୋଷାକ ପିନ୍ଧି ରାଲି କରିଥାନ୍ତି । ମନ୍ଦିରର ପୂଜକମାନେ ମଧ୍ୟ ସ୍ୱତନ୍ତ୍ର ଧରଣର ପୋଷାକ ପିନ୍ଧି ଏକ ଧାଡିରେ ପ୍ରାର୍ଥନାସ୍ତଳ ଅଭିମୁଖେ ବାହାରିଥାନ୍ତି । ଆଉ ଠିକ ମଧ୍ୟରାତ୍ରୀରେ ଆକାଶକୁ ହଜାର ହଜାର ସଂଖ୍ୟାରେ ବେଲୁନ ଛାଡି ନୂଆବର୍ଷକୁ ସ୍ୱାଗତ କରିଥାନ୍ତି ଲୋକେ ।