ନିଶାଗ୍ରସ୍ତ ଅବସ୍ଥାରେ ଗାଡ଼ି ଚଳାଇବା ମହଙ୍ଗା ପଡ଼ିଲା : ୧୦ ହଜାର ଫାଇନ୍ ଗଣିଲେ ମଦ୍ୟପ ଯୁବକ

652

କନକ ବ୍ୟୁରୋ : ୧୦ ହଜାର ଟଙ୍କା ଫାଇନ ଦେଲେ ମଦ୍ୟପ ଡ୍ରାଇଭର । ନୂଆ ମୋଟର ଯାନ ଆଇନ ଅନୁସାରେ ମଦ୍ୟପ ଯୁବକ ଜଣକ ୧୦ ହଜାର ଗଣିଛନ୍ତି । ଆସନ୍ତକାଲିଠାରୁ କଡ଼ାକଡ଼ି ପାଳନ ହେବ ନୂଆ ଟ୍ରାଫିକ୍ ନିୟମ ପାଳନ । ହେଲେ ଏପଟେ ଆଜିଠାରୁ ତଣ୍ଡ ଗଣିଲେଣି ବାଇକ୍ ଚାଳକ । ନିଶାଗ୍ରସ୍ତ ଅବସ୍ଥାରେ ଗାଡ଼ି ଚଳାଉଥିବାରୁ ଆଜି ଜଣେ ମଦ୍ୟପ ୧୦ ହଜାର ତଣ୍ଡ ଗଣିଛନ୍ତି । ବାଙ୍କୀ ଜାତମୁଣ୍ଡିଆ ଛକରେ କଟକ ଆରଟିଓ ଓ ପୁଲିସ ପକ୍ଷରୁ ଗାଡି ଯାଂଚ ଥିଲା । ଗାଡି ଯାଂଚ ବେଳେ ମଦ୍ୟପ ଯୁବକଙ୍କୁ ଆରଟିଓ ଓ ବାଙ୍କୀ ପୁଲିସ ଧରିବା ସହ ୧୦ ହଜାର ଟଙ୍କାର ଫାଇନ ପକାଇଥିଲେ ।

ଡିସେମ୍ବର ୧ରୁ ନୂଆ ମୋଟର ଯାନ ଆଇନ କଡାକଡି ହେବାକୁ ଥିବା ବେଳେ ଆରଟିଓ ଅଫିସରେ ଅସମ୍ଭାଳ ଭିଡକୁ ଦୃଷ୍ଟିରେ ରଖି ଆଉ ୩ ମାସ ପାଇଁ କଟକଣା କୋହଳ କରାଯାଇଛି । ତେବେ ଗାଡି କାଗଜପତ୍ର ଯାଂଚ ଛାଡିଥିଲେ ଆଉ ସମସ୍ତ ଟ୍ରାଫିକ ନିୟମ କାଲିଠୁ କଡାକଡି କରାଯିବ । ମଦ ପିଇ ଗାଡି ଚଳାଉଥିଲେ, ହେଲମେଟ ନ ପିନ୍ଧି ଗାଡି ଚଳାଉଥିଲେ କି ଟ୍ରାଫିକ ନିୟମ ନମାନିଲେ ମୋଟା ଅଙ୍କର ଫାଇନ ଦେବାକୁ ପଡିବ ।