କନକ ବ୍ୟୁରୋ : ମହିଳା ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁଙ୍କ ସୁଷମା ଷ୍ଟାଇଲ୍ । ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ରାସ୍ତା ଆପଣାଇଛନ୍ତି ନୂଆ ମନ୍ତ୍ରୀ । ଟ୍ୱିଟରରେ ସାହାଯ୍ୟ ମାଗିଥିବା ଲୋକଙ୍କୁ ସହଯୋଗର ହାତ ବଢ଼ାଇଛନ୍ତି । ବଲାଙ୍ଗୀରର ଜଣେ କ୍ୟାନସର ପୀଡ଼ିତାଙ୍କ ଚିକିତ୍ସା ପାଇଁ ଏକ ସ୍ୱେଚ୍ଛାସେବୀ ସଂଗଠନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସ୍ୱାସ୍ଥ୍ୟ, ପରିବାର କଲ୍ୟାଣ ବିଭାଗକୁ ଟାଗ କରି ସାହାଯ୍ୟ ଲୋଡ଼ିଥିଲେ । ଆଉ ଏହି ଟ୍ୱିଟ ଦେଖି ସହଯୋଗର ହାତ ବଢ଼ାଇଛନ୍ତି ମହିଳା ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ । ପୀଡ଼ିତାଙ୍କ ଚିକିତ୍ସା ପାଇଁ ତୁରନ୍ତ ସାହାଯ୍ୟ ଯୋଗାଇ ଦେବାପାଇଁ ବଲାଙ୍ଗୀର ଜିଲ୍ଲାପାଳ ଓ ସ୍ୱାସ୍ଥ୍ୟ, ପରିବାର କଲ୍ୟାଣ ବିଭାଗକୁ ଅନୁରୋଧ କରିଛନ୍ତି ।
ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରୁ କରୁ କାମରେ ଲାଗିଯାଇଛନ୍ତି ଟୁକୁନି ସାହୁ । ସୁଷମା ସ୍ୱରାଜ ଯେପରି ସୋସିଆଲ ମିଡ଼ିଆରେ ସାହାଯ୍ୟ ମାଗୁଥିବା ଲୋକଙ୍କୁ ସହଯୋଗ କରୁଥିଲେ, ଠିକ ସେହି ରାସ୍ତାରେ ଯାଉଛନ୍ତି ନୂଆ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ।ବଲାଙ୍ଗୀର ଲୋଇସିଂହା ଅନ୍ତର୍ଗତ ତେଲେନପାଲି ଗ୍ରାମର ନିତ୍ୟାନନ୍ଦ ସ୍ୱାଇଁଙ୍କ ଝିଅ ନୂଆଦେଇ ସ୍ୱାଇଁ । ଚିକିତ୍ସା ପାଇଁ ଆବଶ୍ୟକ ଅର୍ଥ ନଥିବାରୁ ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ଯୋଜନାରେ ମାଗଣା ଚିକିତ୍ସା ପ୍ରଦାନ ପାଇଁ ଏକ ସ୍ୱେଚ୍ଛାସେବୀ ସଂଗଠନ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । କ୍ୟାନରସ ପୀଡ଼ିତାଙ୍କ ବାପା ସାହାଯ୍ୟ ମାଗୁଥିବାର ଏକ ହୃଦୟ ବିଦାରକ ଭିଡ଼ିଓ ମଧ୍ୟ ପୋଷ୍ଟ କରିଛି ଉକ୍ତ ସ୍ୱେଚ୍ଛାସେବୀ ସଂଗଠନ । ଚିକିତ୍ସା ପାଇଁ ପୀଡ଼ିତାଙ୍କ ବାପା ଆକୁଳ ନିବେଦନ କରିବା ସହିତ ମୁଖ୍ୟମନ୍ତ୍ରୀଙ୍କୁ ସାହାଯ୍ୟ ପାଇଁ ଗୁହାରୀ କରିଥିଲେ ।
ଟ୍ୱିଟ୍ ଦେଖି ହିଁ ବଲାଙ୍ଗୀର ଜିଲ୍ଲାପାଳ ଓ ସ୍ୱାସ୍ଥ୍ୟ, ପରିବାର କଲ୍ୟାଣ ବିଭାଗକୁ ଟାଗ କରି ସହଯୋଗ ପାଇଁ ଅନୁରୋଧ କରିଛନ୍ତି ଟୁକୁନି ସାହୁ । ନୂଆ ମନ୍ତ୍ରୀଙ୍କ ତତ୍ପରତା ଯୋଗୁଁ ପୀଡ଼ିତାଙ୍କୁ ମାଗଣା ଚିକିତ୍ସା ମିଳିପାରିବ ବୋଲି ଆଶା କରାଯାଉଛି । ତେବେ ନୂଆ ମନ୍ତ୍ରୀଙ୍କ ଏହି ପଦକ୍ଷେପ ଯୋଗୁଁ ଚାରିଆଡ଼େ ତାଙ୍କର ଭୁରି ଭୁରି ପ୍ରଶଂସା କରାଯାଉଛି ।
ଦାୟିତ୍ୱ ଗ୍ରହଣ କରୁ କରୁ ଲୋକଙ୍କୁ ସହଯୋଗ କରିବା ଖୁବ କମ୍ ରାଜନେତାଙ୍କ ନିକଟରେ ଦେଖିବାକୁ ମିଳେ । ତେବେ ମହିଳା ଶିଶୁ ବିକାଶ ମନ୍ତ୍ରୀଙ୍କ ଏହି ପଦକ୍ଷେପ ଯୋଗୁଁ ଲୋକେ ତାଙ୍କର ଭୁରି ଭୁରି ପ୍ରଶଂସା କରୁଛନ୍ତି । ସୋସିଆଲ ମିଡ଼ିଆରେ ସକ୍ରିୟ ରହି ଲୋକଙ୍କ ସୁବିଧା ଅସୁବିଧା ବୁଝିବା ବହୁତ ବଡ଼ କଥା । କ୍ଷମତାକୁ ଆସିବା ପରେ ନେତାମାନେ ଜନତାଙ୍କୁ ଦେଇଥିବା ପ୍ରତିଶ୍ରୁତି କଥା ଭୁଲି ଯାହାନ୍ତି । ହେଲେ ଏସବୁକୁ ଭୁଲ ପ୍ରମାଣିତ କରିଛନ୍ତି ଟୁକୁନି ସାହୁ । ବିପଦରେ ପଡ଼ିଥିବା ଲୋକଙ୍କୁ ସହଯୋଗର ହାତ ବଢ଼ାଇ ପ୍ରମାଣିତ କରିଦେଇଛନ୍ତି ମୁଖ୍ୟମନ୍ତ୍ରୀ ଠିକ୍ ନିଷ୍ପତି ନେଇଛନ୍ତି ।
Follow Us