ନର୍ସ ନିହାରୀକା ପାତ୍ର ହତ୍ୟାକାଣ୍ଡ ଘଟଣାରେ ଆସୁଛି ନୂଆ ନୂଆ ତଥ୍ୟ : ବାହାଘର ପାଇଁ ଚାଲିଥିଲା ପ୍ରସ୍ତୁତି, ପ୍ରେମିକ ରାଜା ସହିତ ହୋଇଥାନ୍ତା ନିର୍ବନ୍ଧ

22,654

କନକ ବ୍ୟୁରୋ : କଟକ ନର୍ସ ନିହାରୀକା ପାତ୍ର ହତ୍ୟାକାଣ୍ଡ ନେଇ ନୂଆ ନୂଆ ଖିଅ ସାମ୍ନାକୁ ଆସୁଛି । ଗତକାଲି ବିଲୁଆଖାଇ ନଦୀରୁ ମୃତଦେହ ମିଳିଥିଲା । ଏହା ପରେ ପୋଲିସ ତନାଘନା ଆରମ୍ଭ କରିଛି । ହତ୍ୟା ଘଟଣା ପଛରେ ପ୍ରେମିକ ରାଜାର ହାତ ଥିବା ସନ୍ଦେହ ବଢିବାରେ ଲାଗିଛି । ଜଗତସିଂହପୁର ଏସପିଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇଛି । କନକ ନ୍ୟୁଜକୁ ମିଳିଥିବା ଖବର ଅନୁସାରେ,ରାଜା ଓ ନିହାରିକାର ବିବାହ ହୋଇଥାନ୍ତା । ଏଥିପାଇଁ ନିର୍ବନ୍ଧ  ମଧ୍ୟ ହୋଇଥାନ୍ତା । ନୂଆ ଘର ତିଆରି ମଧ୍ୟ ଶେଷ ପର୍ଯ୍ୟାୟରେ ପହଂଚିଥିଲା । ନିହାରୀକା ନିଖୋଜ ହେବା ପରେ ୯ ତାରିଖ ଦିନ ରାଜା ହସ୍ପିଟାଲ ଯାଇଥିଲେ । ହେଲେ ୧୩ ତାରିଖରୁ ରାଜା ଘରେ ଫୋନ ଛାଡିଦେଇ ନିଖୋଜ ହୋଇଯାଇଥିବା ଅଭିଯୋଗ ବିରିଡି ଥାନାରେ ତାଙ୍କ ମା କରିଥିଲେ ।

ସେପଟେ ଷ୍ଟାଫ ନର୍ସ ନିହାରୀକାଙ୍କ ହତ୍ୟାକାଣ୍ଡ ନେଇ ପ୍ରେମିକ ଉପରେ ସସପେନ୍ସ ବଢୁଥିବା ବେଳେ ଏକ ସିସିଟିଭି ଫୁଟେଜ ମିଳିଛି । ଏହି ଫୁଟେଜର ନିହାରୀକା ଚାକିରୀ କରୁଥିବା ଏମଏମ ନର୍ସିଂହୋମର ବୋଲି ଜଣାପଡିଛି । ଭିଡିଓ ଗତ ୮ ତାରିଖର, ଯେଉଁଦିନ ସଂଧ୍ୟାରୁ ନିଖୋଜ ହୋଇଯାଇଥିଲେ ନିହାରୀକା । ଭିଡିଓରେ ନିହାରିକା ନର୍ସିଂହୋମରୁ ବାହାରୁଥିବା ଦୃଶ୍ୟ କଏଦ ହୋଇଛି । ଏହି ଭିଡିଓ ଫୁଟେଜ ସନ୍ଧ୍ୟା ସମୟର ବୋଲି ଜଣାପଡିଛି । ନିଖୋଜ ପୂର୍ବରୁ ନିହାରିକାର ଏହି ଭିଡିଓ ଫୁଟେଜର ଖୋଳତାଡ କରାଗଲେ, ଓ ନିକଟସ୍ଥ ଅନ୍ୟ ସିସିଟିଭିର ରେକର୍ଡିଂ ଯାଂଚ କଲେ ମୃତ ନିହାରୀକା କାହାସହ ସେ ଦିନ ସଂଧ୍ୟାରେ ବାହାରିଥିଲେ ତାହା ସ୍ପଷ୍ଟ ହେବ । ନିଖୋଜ ପୂର୍ବରୁନିହାରୀକାର ଶେଷ ଭିଡିଓ ବୋଲି କୁହାଯାଉଛି ।

ସେପଟେ ଏହି ହତ୍ୟାକାଣ୍ଡ ମାମଲାରେ ବିରିଡି ଥାନା ପୁଲିସ ହାଜିପୁର ଅଂଚଳରୁ ଗତକାଲି ୬ ଜଣଙ୍କୁ ଉଠାଇ ଆଣିଛି । ହତ୍ୟାକାଣ୍ଡ ପଛରେ ପ୍ରେମିକର ଭୂମିକା ଥିବା ସନ୍ଦେହ କରାଯାଉଛି । ପ୍ରେମିକ ରାଜା ଫେରାର ହୋଇଯାଇଥିବା ବେଳେ ରାଜାର ବାପା, ତା ଭାଇ, ତାର ସାଙ୍ଗ ଓ ସଂପର୍କୀୟଙ୍କୁ ସନ୍ଦେହରେ ଉଠାଇ ଆଣି ପୁଲିସ ଜେରା କରୁଛି । ବିରିଡି ଥାନାରେ ଅଟକ ରଖି ୬ ଜଣ ସନ୍ଦିଗ୍ଧଙ୍କୁ ପଚରାଉଚରା କରୁଛି ପୁଲିସ । ସନ୍ଦିଗ୍ଧଙ୍କୁ ଜେରା କରିବା ପରେ ହତ୍ୟାକାଣ୍ଡର କାରଣ ଓ କିଏ କାହିଁକି ଷ୍ଟାଫ ନର୍ସ ନିହାରୀକାଙ୍କୁ ହତ୍ୟାକଲା ତାହା ଜଣାପଡିବ ବୋଲି ଆଶା କରାଯାଉଛି ।

ଗତକାଲି ଜଗତସିଂହପୁର ବିଲୁଆଖାଇ ନଈରୁ ଏକ ଅଖାରେ ହାତଗୋଡ ବନ୍ଧା ଅବସ୍ଥାରେ ନିହାରିକାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ମିଳିଥିବା ମୃତଦେହ ନିହାରୀକାର ବୋଲି ତାଙ୍କ ମାଆ ଚିହ୍ନଟ କରିଛନ୍ତି । ତେବେ ଦୀର୍ଘ ସମୟ ଧରି ପାଣିରେ ଭାସିଥିବାରୁ ମୃତଦେହ ନିହାରୀକାର ନା ନୁହେଁ ତାହା ସ୍ପଷ୍ଟ ହେବାକୁ ପୁଲିସ ଡିଏନଏ ଟେଷ୍ଟ କରିପାରେ ବୋଲି ସୂଚନା ମିଳିଛି ।