ନିଲମ୍ବିତ ବଡଚଣା ଥାନା ଅଧିକାରୀଙ୍କୁ ନେଇ ଆସିଲା ନୂଆ ତଥ୍ୟ : ଚୋରା ଗାଡିରେ ଯାଇଥିଲେ ପୁରୀ, ବାରଣ ସତ୍ୱେ ପରିବାର ସହ ଶ୍ରୀମନ୍ଦିରରେ ପ୍ରବେଶ କରିଥିଲେ ଥାନା ବାବୁ

697

କନକ ବ୍ୟୁରୋ : ନିଲମ୍ବିତ ବଡଚଣା ଥାନା ଅଧିକାରୀଙ୍କୁ ନେଇ ଆସିଲା ନୂଆ ତଥ୍ୟ । ମିଳିଥିବା ସୂଚନା ଅନୁସାରେ ପୋଲିସ ଜବତ କରିଥିବା ଏକ ଗାଡିରେ ହଳଦିଆ ବତି ଲଗାଇ ପୁରୀ ଶ୍ରୀମନ୍ଦିର ଯାଇଥିଲେ ଯାଜପୁର ବଡଚଣା ଥାନା ଅଧିକାରୀ । ତାଲାବନ୍ଦ କଟକଣା ନିୟମ ଭାଙ୍ଗି ଶ୍ରୀମନ୍ଦିର ଯାଇଥିଲେ । ଏହି ପ୍ରସଙ୍ଗରେ ଥାନା ବାବୁଙ୍କୁ ନିଲମ୍ବିତ କରିଛନ୍ତି ପୋଲିସ୍ ଡିଜି ଅଭୟ । ଏନେଇ ପୋଲିସ୍ ଡିଜିଙ୍କ କାର୍ଯ୍ୟାଳୟ ପକ୍ଷରୁ ଟୁଇଟ୍ ଯୋଗେ ସୂଚନା ଦିଆଯାଇଛି । ଲକଡାଉନ ନିୟମ ଭାଙ୍ଗିବା ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ଟୁଇଟ୍ରେ କୁହାଯାଇଛି ।

ଶ୍ରୀମନ୍ଦିରକୁ ଭକ୍ତଙ୍କ ପ୍ରବେଶ କଟକଣାକୁ ଉଲଂଘନ କରି ବଡଚଣା ଥାନା ଅଧିକାରୀ ଗତକାଲି ବଡଦେଉଳ ପ୍ରବେଶ କରିଥିବା ନେଇ ଅଭିଯୋଗ ହୋଇଥିଲା । ଏପରିକି ସେ ଏକୁଟିଆ ନୁହନ୍ତି, ପରିବାର ସହ ମନ୍ଦିର ଭିତରକୁ ପ୍ରବେଶ କରିଥିବା ଅଭିଯୋଗ ହୋଇଥିଲା । ଦକ୍ଷିଣଦ୍ୱାର ନିକଟରେ ଦାୟିତ୍ୱରେ ଥିବା ଜଣେ ହାବିଲଦାର ତାଙ୍କୁ ପ୍ରବେଶ କରିବାକୁ ମନା କରିଥିଲେ ମଧ୍ୟ ଏହାକୁ ଖାତିର ନକରି ସେ ପରିବାର ସହ ମନ୍ଦିର ଭିତରକୁ ପ୍ରବେଶ କରିଥିଲେ । ତେଣୁ ତାଙ୍କ ବିରୋଧରେ ସିଂହଦ୍ୱାର ଥାନାରେ ଏତଲା ଦେଇଥିଲେ ହାବିଲଦାର । ଏବଂ ଏତଲା ପରେ ମାମଲା ବି ରୁଜୁ ହୋଇଛି ।

ଯାଜପୁର ବଡଚଣା ଥାନା ଅଧିକାରୀ ଦୀପକ କୁମାର ଜେନା ଓ ତାଙ୍କ ପରିବାରକୁ ଅଟକ ରଖାଯାଇଥିଲା । ସିଂହଦ୍ୱାର ପୋଲିସ ଘଟଣାର ତଦନ୍ତ ଜାରି ରହିଛି । କେଉଁ ସେବାୟତ ଏହି ଅଧିକାରୀଙ୍କୁ ସପରିବାର ଦର୍ଶନ ପାଇଁ ନେଇଥିଲେ, ସେନେଇ ଖୋଳତାଡ ଜାରି ରହିଛି ।