ଶ୍ରମିକଙ୍କ ପାଇଁ ଆସିଲା କେନ୍ଦ୍ରର ନୂଆ ଗାଇଡଲାଇନ : ଚାଲି ଚାଲି ଫେରୁଥିବା ଶ୍ରମିକଙ୍କୁ ନେଇ ଗୃହମନ୍ତ୍ରାଳୟର ଉଦବେଗ, ରାସ୍ତା ଓ ରେଲୱେ ଟ୍ରାକରେ ନଯିବା ପାଇଁ ବୁଝାଇବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ

563

କନକ ବ୍ୟୁରୋ : ରାସ୍ତାକଡ ଓ ଟ୍ରେନ ଟ୍ରାକରେ ଚାଲି ଚାଲି ଯାଉଥିବା ଶ୍ରମିକଙ୍କ ନେଇ ଉଦବେଗ ପ୍ରକାଶ କରିଛି କେନ୍ଦ୍ର । ଏଥିପାଇଁ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳଗୁଡିକ ପାଇଁ କେନ୍ଦ୍ର ଗାଇଡଲାଇନ ଜାରି କରିଛି । ସଂପୃକ୍ତ ଶ୍ରମିକ ଯେଭଳି ରାସ୍ତା ଓ ରେଲୱେ ଟ୍ରାକ ପାର୍ଶ୍ୱରେ ନଯିବେ ସେଥିପାଇଁ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଚାଲ ଚାଲି ଯାଉଥିଲେ ସେମାନଙ୍କୁ ଧରି କାଉନସେଲ କରନ୍ତୁ ଓ ଶ୍ରମିକଙ୍କ ସହ ଆଲୋଚନା କରିବା ସହ ସ୍ୱତନ୍ତ୍ର ବସ ଓ ଟ୍ରେନ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଶ୍ରମିକଙ୍କ ପାଇଁ ଖାଦ୍ୟ ଓ ପାଣି ବ୍ୟବସ୍ଥା କରିବାକୁ ବି କୁହାଯାଇଛି ।

ସେପଟେ ଆସନ୍ତାକାଲି ଠାରୁ ଦେଶରେ ଗଡିବ ଟ୍ରେନ୍ । ରେଳ ମନ୍ତ୍ରାଳୟ ପକ୍ଷରୁ ଏନେଇ ନିଷ୍ପତ୍ତି ହୋଇଛି । ପ୍ରାଥମିକ ପର୍ଯ୍ୟାୟରେ ୧୫ ଯୋଡା ପାସେଞ୍ଜର ଟ୍ରେନ ଚଳାଇବାକୁ ଯୋଜନା ରହିଛି । ଏଥିପାଇଁ ଆଜିି ଅପରାହ୍ନ ୪ଟା ଠାରୁ ଆଇଆରସିଟିସିର ୱେବସାଇଟରେ ଲୋକେ ଟିକେଟ ବୁକ କରିପାରିବେ । ଦିଲ୍ଲୀରୁ ଏହି ଟ୍ରେନ ଚାଲିବ । ଏଗୁଡିକ ଦିବ୍ରୁଗଡ, ଅଗରତାଲା, ହାଓଡା, ପାଟଣା, ବିଲାସପୁର, ରାଂଚି, ସିକନ୍ଦରାବାଦ , ବେଙ୍ଗାଲୁରୁ, ଚେନ୍ନାଇ, ଥିରୁଭନ୍ତପୁରମ୍, ମାଡଗାଓଁ, ମୁମ୍ବାଇ ସେଂଟ୍ରାଲ, ଅହମଦାବାଦ ଓ ଜମ୍ମୁ ତାୱିକୁ ଯାତ୍ରା କରିବ । ବଡକଥା ହେଉଛି ଦିଲ୍ଲୀରୁ ଭୁବନେଶ୍ୱର ଓ ଭୁବନେଶ୍ୱରରୁ ଦିଲ୍ଲୀକୁୁ ମଧ୍ୟ କାଲିଠାରୁ ଟ୍ରେନ ଚଳାଚଳ କରିବ । ଏହି ଟ୍ରେନଗୁଡିକ ପାଇଁ କେବଳ ଅନ୍ ଲାଇନ୍ରେ ଟିକଟ ବୁକ୍ କରାଯାଇ ପାରିବ ।

କୌଣସି ଷ୍ଟେସନରେ ବୁକିଂ କାଉଁଟର ଖୋଲିବ ନାହିଁ ବୋଲି ରେଲବାଇ ପକ୍ଷରୁ ସ୍ପଷ୍ଟ କରିଦିଆଯାଇଛି । କେବଳ କନଫର୍ମ ଟିକଟ ଥିବା ଯାତ୍ରୀଙ୍କୁ ଟ୍ରେନରେ ଯିବାକୁ ଦିଆଯିବ । ଅନ୍ୟପଟେ ପ୍ରତି ଯାତ୍ରୀ ମାସ୍କ ପିନ୍ଧିବାକୁ ବାଧ୍ୟ ବୋଲି ମଧ୍ୟ କୁହାଯାଇଛି । ଏହା ସହ ସେମାନଙ୍କୁ ଟ୍ରେନ ଚଢିବା ପୂର୍ବରୁ ଥର୍ମାଲ ସ୍କ୍ରିନିଂ କରାଯିବ ଏବଂ କେବଳ ଲକ୍ଷଣ ପ୍ରକାଶ ପାଉ ନଥିବା ଯାତ୍ରୀ ହିଁ ଯାତ୍ରା କରିପାରିବେ ବୋଲି ନିର୍ଦ୍ଦେଶ ଦେଇଛି ରେଳବାଇ । ପରବର୍ତୀ ସମୟରେ ବିଭାଗ ରେଳ ଚଳାଚଳର ସାରଣୀ ପ୍ରକାଶ କରିବ ବୋଲି ସୂଚନା ମିଳିଛି । କରୋନା ମୁକାବିଲା ପାଇଁ ଦେଶବ୍ୟାପୀ ଲକଡାଉନରେ ଟ୍ରେନ ଚଳାଚଳକୁ ବାତିଲ କରାଯାଇଥିଲା । କେବଳ ବିଭିନ୍ନ ସ୍ଥାନରେ ଫସିରହିଥିବା ଶ୍ରମିକଙ୍କୁ ନେବା ଆଣିବା ପାଇଁ ସ୍ୱତନ୍ତ୍ର ଶ୍ରମିକ ଟ୍ରେନ ଚଳାଚଳ ଆରମ୍ଭ କରାଯାଇଥିଲା ।