କନକ ବ୍ୟୁରୋ : ନୂଆ ଉପାୟରେ ଦାବି ଉପସ୍ଥାପନ । ଗୋଲାପ ଫୁଲ ଦେଇ ଜିଲ୍ଲାପାଳଙ୍କୁ ଦାବି ଜଣାଇଲେ ସୁନ୍ଦରଗଡର ଭୂମିହୀନ ବସ୍ତି ବାସିନ୍ଦା । ସରକାରୀ ଯୋଜନାରେ ସାମିଲ ହୋଇ ସ୍ଥାୟୀ ଜମି ପଟ୍ଟା ଖଣ୍ଡିଏ ପାଇବା ପାଇଁ ପ୍ରଶାସନିକ ଦପ୍ତରକୁ ଦୌଡି ଦୌଡି ନୟାନ୍ତ ହୋଇଥିବା ବସ୍ତି ବାସିନ୍ଦା ଆଜି ଗୋଲାପ ଫୁଲ ଦେଇ ଜମିପଟ୍ଟା ପାଇଁ ଜିଲ୍ଲାପାଳଙ୍କୁ ଗୁହାରି କରିଛନ୍ତି ।

Advertisment

ଦାବି ଜଣାଇବାର ନିଆରା ଉଦ୍ୟମ । ବିକ୍ଷୋଭ କରି ନୁହେଁ ବରଂ ଗୋଲାପ ଦେଇ ନିଜର ଦୀର୍ଘଦିନର ଦାବି ଉପସ୍ଥାପନ କରିଛନ୍ତି ସୁନ୍ଦରଗଡ ସହରାଂଚଳ ବସ୍ତି ବାସିନ୍ଦା । ସୁନ୍ଦରଗଡ଼ର ୯ ନମ୍ବର ୱାର୍ଡର କାଉନସିଲର ହିମାଂଶୁ ଶେଖର ଷଡ଼ଙ୍ଗୀଙ୍କ ନେତୃତ୍ୱରେ ଶତାଧିକ ମହିଳା ଓ ପୁରୁଷ ଜିଲ୍ଲାପାଳଙ୍କୁ ଭେଟି ନିଜର ଦାବି ଉପସ୍ଥାପନ କରିଛନ୍ତି । ଭୂମିହୀନ ବସ୍ତି ବାସିନ୍ଦାଙ୍କୁ ସ୍ଥାୟୀ ଜମିପଟ୍ଟା ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ଯୋଜନା କରିଛନ୍ତି । ହେଲେ ସୁନ୍ଦରଗଡରେ ସେହି ଯୋଜନା କେବଳ ସର୍ଭେ ସୀମିତ ରହିଥିବା ଜିଲ୍ଲାପାଳଙ୍କୁ ଜଣାଇଛନ୍ତି ସହରାଂଚଳ ବାସ୍ତି ବାସିନ୍ଦା ।

ପଟ୍ଟା ଖଣ୍ଡିଏ ପାଇଁ ୬ ମାସ ଧରି ଆନ୍ଦୋଳନ, ବିକ୍ଷୋଭ, ଜିଲ୍ଲାପାଳ ଅଫିସ ଘେରାଇ କରି ନିରାସ ହେବା ପରେ ଫୁଲ ଦେଇ ଦାବୀ ପୂରଣ ଲକ୍ଷ୍ୟ ରଖିଛନ୍ତି ବସ୍ତି ବାସିନ୍ଦା । ପୂର୍ବତନ ଜିଲ୍ଲାପାଳ ସୁରେନ୍ଦ୍ର ମୀନା ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ତାଙ୍କ ବଦଳି ପରେ ସର୍ଭେ ଯେଉଁଠି ଥିଲା ସେଇଠି ଅଟକି ଯାଇଛି । ତେଣୁ ବର୍ତ୍ତମାନର ଜିଲ୍ଲାପାଳ ବସ୍ତିବାସିନ୍ଦାଙ୍କ ସମସ୍ୟା ବୁଝିବେ ବୋଲି ଆଶା ରଖିଛନ୍ତି ଏମାନେ । ଅନେକ ସମୟରେ ବିଭିନ୍ନ ଦାବି ପାଇଁ ରାସ୍ତାରେ ନିଆଁ ଜଳେ, ଗାଡି ଘୋଡା ବନ୍ଦ କରାଯାଏ । ଫଳରେ ଲୋକ ନାହିଁ ନଥିବା ଅସୁବିଧା ଭୋଗିଥାନ୍ତି, ହେଲେ ସୁନ୍ଦରଗଡ ବସ୍ତି ବାସିନ୍ଦାଙ୍କ ଦାବି କରିବା ଢଙ୍ଗ ଅନ୍ୟମାନଙ୍କୁ ନିଶ୍ଚୟ ଭାବେ କିଛି ଶିକ୍ଷା ଦେବ ।