ଯୌତୁକ ନିର୍ଯାତନା ଆଇନ୍ ଅନୁସାରେ ସ୍ୱାମୀଙ୍କୁ ତୁରନ୍ତ ଗିରଫ କରାଯାଇପାରିବ : ପୂର୍ବରୁ ଦେଇଥିବା ରାୟରେ ବଡ଼ ପରିବର୍ତ୍ତନ ଆଣିଲେ ସୁପ୍ରିମକୋର୍ଟ

103

କନକ ବ୍ୟୁରୋ : ଯୌତୁକ ନିର୍ଯାତନା ଆଇନରେ ସ୍ୱାମୀ ଏବଂ ତାଙ୍କ ପରିବାର ପ୍ରତି ରହିଥିବା କୋହଳ ଦିଗକୁ ସୁପ୍ରିମକୋର୍ଟ ହଟାଇ ଦେଇଛନ୍ତି । ସୁପ୍ରିମକୋର୍ଟ ଏହି ଆଇନ ମାମଲାରେ ପୂର୍ବରୁ ଦେଇଥିବା ରାୟରେ ଗତକାଲି ବଡ଼ ପରିବର୍ତ୍ତନ ଆଣିବା ସହ ଯୌତୁକ ନିର‌୍ୟାତନା ଅଭିଯୋଗ ଆସିଲେ ସ୍ୱାମୀଙ୍କୁ ତତ୍କାଳ ଗିରଫ କରିବାରେ କୌଣସି ପ୍ରତିବନ୍ଧକ ରହିବ ନାହିଁ ବୋଲି କହିଛନ୍ତି । ଅଭିଯୋଗର ସମାଧାନ ପାଇଁ ପରିବାର କଲ୍ୟାଣ କମିଟିର କୌଣସି ଆବଶ୍ୟକତା ରହିବ ନାହିଁ । ମାମଲାରେ ଅଭିଯୁକ୍ତକୁ ତୁରନ୍ତ ଗିରଫ କରାଯିବା ନେଇ ପୂର୍ବରୁ ସୁପ୍ରିମ୍ କୋର୍ଟ ଯେଉଁ ପ୍ରତିବନ୍ଧକ ଲଗାଇଥିଲେ ତାହାକୁ ଗତକାଲି ରଦ୍ଦ କରିଛନ୍ତି । ପୀଡ଼ିତାଙ୍କ ସୁରକ୍ଷା ପାଇଁ ଏଭଳି ପଦକ୍ଷେପ ଜରୁରୀ ବୋଲି କୋର୍ଟ କହିଛନ୍ତି । ତେବେ ଅଭିଯୁକ୍ତମାନଙ୍କ ପାଇଁ ଆଗୁଆ ଜାମିନର ବିକଳ୍ପ ରହିବ ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ।

କୋର୍ଟ ରାୟ ମୁତାବକ ପୁଲିସ ସିଆର୍‌ପିସିର ଧାରା ୪୧ ଆଧାରରେ ପଦକ୍ଷେପ ନେବ ଏବଂ ପର୍ଯ୍ୟାପ୍ତ ଭିତ୍ତି ଆଧାରରେ ଗିରଫଦାରୀ କରାଯିବ । ଯୌତୁକ ନିର୍ଯାତନା ମାମଲାରେ ସୁପ୍ରିମ୍‌ କୋର୍ଟଙ୍କ ୨ ଜଣିଆ ଖଣ୍ଡପୀଠ ଗତ ବର୍ଷ ଦେଇଥିବା ରାୟରେ କହିଥିଲେ ଯେ ଯୌତୁକ ନିର୍ଯାତନା ମାମଲାରେ ସିଧାସଳଖ ଗିରଫଦାରୀ ହେବ ନାହିଁ । ତେବେ ପରବର୍ତ୍ତୀ ସମୟରେ ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ ଖଣ୍ଡପୀଠ ଏହାର ଶୁଣାଣି ଆରମ୍ଭ କରିଥିଲେ ଏବଂ ଆଜି ଏ ବାବଦ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି । ୨୭ ଜୁଲାଇ ୨୦୧୭ରେ ଦୁଇ ଜଣିଆ ଖଣ୍ଡପୀଠ କହିଥିଲେ ଯେ ଆଇପିସିର ଧାରା ୪୯୮ଏ’ରେ ସିଧାସଳଖ ଗିରଫଦାରୀ ହୋଇପାରିବ ନାହିଁ । ଏହି ଧାରାର ଦୁରୁପଯୋଗ ହେଉଥିବାରୁ କୋର୍ଟ ଏଥିରେ ଅଙ୍କୁଶ ଲଗାଇଥିଲେ ।

ଯୌତୁକ ନିର୍ଯାତନା ଅଭିଯୋଗ ଆସିବା ପରେ ପରିବାର କଲ୍ୟାଣ ସମିତି ଦ୍ୱାରା ତଦନ୍ତ ହେବ ଏବଂ ତଦନ୍ତ କମିଟିର ରିପୋର୍ଟ ଆଧାରରେ ହିଁ ଗିରଫଦାରୀ କରାଯିବ ବୋଲି ଖଣ୍ଡପୀଠ କହିଥିଲେ । ତେବେ ଆଜି ତିନି ଜଣିଆ ଖଣ୍ଡପୀଠ ପୂର୍ବ ରାୟରେ ବଡ଼ ପରିବର୍ତ୍ତନ ଆଣିଛନ୍ତି । ଖଣ୍ଡପୀଠ କହିଛନ୍ତି ଯେ ଆମେ ଆଇନ ତିଆରି କରିପାରିବୁ ନାହିଁ, କେବଳ ବ୍ୟାଖ୍ୟା କରିବୁ । ସିଆରପିସିର ଧାରା ୪୯୮ଏକୁ ଦୁର୍ବଳ କରାଗଲେ ଏହି ଆଇନ ବଳରେ ମହିଳାଙ୍କୁ ମିଳିଥିବା ଅଧିକାରର ଉଲ୍ଲଂଘନ ହେବ ବୋଲି ସୁପ୍ରିମ୍‌ କୋର୍ଟ କହିଛନ୍ତି ।