କନକ ବ୍ୟୁରୋ : ଗତବର୍ଷ ରିଜର୍ଭ ବ୍ୟାଙ୍କ ପ୍ରଥମ ଥର ପାଇଁ ଗୋଲାପି ରଙ୍ଗର ୨୦୦୦ ଟଙ୍କିଆ ଏବଂ ପଥୁରିଆ ଧୂସର ରଙ୍ଗର ୫୦୦ ଟଙ୍କିଆ ନୋଟ୍ ଆଣିବା ପରେ ଏବେ ନୀଳ ରଙ୍ଗର ନୂଆ ୫୦ ଟଙ୍କିଆ ନୋଟ୍ ଆଣିବାକୁ ଯାଉଛି । ନୂଆକରି ଡିଜାଇନ ହୋଇଥିବା ୫୦ ଟଙ୍କିଆ ନୋଟ୍ରେ କଳା ଧୂସର ରଙ୍ଗର ମହାତ୍ମା ଗାନ୍ଧୀଙ୍କ ଛବି ରହିବ । ଉକ୍ତ ନୋଟ୍ର ପଛ ପାର୍ଶ୍ୱରେ ଦକ୍ଷିଣ ଭାରତୀୟ ମନ୍ଦିରର ଡିଜାଇନ ରହିବ ବୋଲି ଜଣେ ବରିଷ୍ଠ ସରକାରୀ ଅଧିକାରୀଙ୍କ ସୂତ୍ରରୁ ଜଣାଯାଇଛି ।
୨୦୧୬ ଡିସେମ୍ବରରେ ରିଜର୍ଭ ବ୍ୟାଙ୍କ କହିଥିଲା ଯେ ଖୁବ୍ ଶୀଘ୍ର ଆମେ ନୂଆ ୨୦ ଟଙ୍କିଆ ଏବଂ ୫୦ ଟଙ୍କିଆ ନୋଟ୍ ଆଣିବୁ । ତେବେ ଏବେ ପ୍ରଚଳିତ ୨୦ ଟଙ୍କିଆ ଏବଂ ୫୦ ଟଙ୍କିଆ ନୋଟ୍ ମଧ୍ୟ ବଜାରରେ ଚାଲିବ । ଉଲ୍ଲେଖନୀୟ ଯେ, ଜଣେ ନିରକ୍ଷର ବ୍ୟକ୍ତି ଯେଭଳି ବିଭିନ୍ନ ମୂଲ୍ୟର ଟଙ୍କାକୁ ସହଜରେ ଚିହ୍ନିପାରିବେ ସେଥିପାଇଁ ଟଙ୍କାର ରଙ୍ଗରେ ଭିନ୍ନତା ରଖାଯାଇଥାଏ । ଏତଦ୍ ବ୍ୟତୀତ ନୋଟ୍ର ପଛପଟେ ସାଧାରଣତଃ ଭାରତର ସଂସ୍କୃତି, ଐତିହ୍ୟକୁ ପ୍ରଦର୍ଶିତ କରୁଥିବା କିମ୍ବା ବିଜ୍ଞାନ ଓ ପ୍ରଯୁକ୍ତି କ୍ଷେତ୍ରରେ ଭାରତ ହାସଲ କରିଥିବା ଅଗ୍ରଗତିର ଛବି ଛପାଯାଇଥାଏ ।
ଉଦାହରଣ ସ୍ୱରୂପ ଗତବର୍ଷ ଅଣାଯାଇଥିବା ନୂଆ ୨୦୦୦ ଟଙ୍କିଆ ନୋଟ୍ର ପଛପଟେ ମଙ୍ଗଳାୟନ ଅଭିଯାନର ଛବି ଛପା ଯାଇଥିବାବେଳେ ୫୦୦ ଟଙ୍କିଆ ନୋଟ୍ର ପଛପଟେ ଲାଲକିଲ୍ଲାର ଛବି ରଖାଯାଇଛି । ଏବେ ଦେଶରେ ପ୍ରଚଳିତ ୫୦ ଟଙ୍କିଆ ନୋଟ୍ଟି ଗୋଲାପି ଏବଂ ବାଇଗଣୀ ରଙ୍ଗରେ ଛପାଯାଇଛି । ଉକ୍ତ ନୋଟ୍ରେ ଭାରତୀୟ ସଂସଦର ଛବି ରହିଛି । ମିଳିଥିବା ସୂଚନା ଅନୁଯାୟୀ ନୂଆକରି ଆସିବାକୁ ଥିବା ୫୦ ଟଙ୍କିଆ ନୋଟ୍ ଦେଶରେ ରିଜର୍ଭ ବ୍ୟାଙ୍କର କେତୋଟି ଚେଷ୍ଟରେ ପହଞ୍ଚି ସାରିଲାଣି ।