ରାଜ୍ୟରେ ଆଉ ୫ କରୋନା ପଜିଟିଭ୍ ଚିହ୍ନଟ : ଆକ୍ରାନ୍ତଙ୍କ ସଂଖ୍ୟା ୧୦୮ରେ ପହଞ୍ଚିଲା

704

କନକ ବ୍ୟୁରୋ : ସଂଖ୍ୟା ବଢ଼ୁଛି, ଚିନ୍ତା ବଢ଼ୁଛି । ରାଜ୍ୟରେ ବଢ଼ିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ରାଜ୍ୟରେ କଡ଼ା କଟକଣା ସହ ଲକଡାଉନ୍ ସତ୍ୱେ ଧୀରେ ଧୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଆଜି ଆଉ ୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓ୍ବେବସାଇଟ୍  ପକ୍ଷରୁ ଏହି ସୂଚନା ମିଳିଛି ।

କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୦୮ରେ ପହଞ୍ଚିଲା । ୫ ଆକ୍ରାନ୍ତ ବାଲେଶ୍ୱରର ହୋଇଥିବା ସୂଚନା ମିଳିଛି । ତେବେ ନୂଆ ଆକ୍ରାନ୍ତଙ୍କୁ ମିଶାଇ ବାଲେଶ୍ୱର ଜିଲ୍ଲାରେ  ଆକ୍ରାନ୍ତଙ୍କ ସଂଖ୍ୟା ୧୫ କୁ ବୃଦ୍ଧି ପାଇଛି । ତେବେ ସେମାନଙ୍କ ଟ୍ରାଭେଲ୍ ହିଷ୍ଟ୍ରି କ’ଣ ରହିଛି ତାହା ଏବେ ସୁଦ୍ଧା ଜଣାପଡ଼ି ନାହିଁ । ନୂଆ ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ ପ୍ରକିୟା ଆରମ୍ଭ କରିଛନ୍ତି ରାଜ୍ୟ ସରକାର ।

ତେବେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୭୨ ରହିଥିବା ବେଳେ ଚିକିତ୍ସିତ ହେଉଛନ୍ତି ୩୫ ଜଣ । ଏବଂ ଜଣେ ପ୍ରାଣ ହରାଇଛନ୍ତି । ଗତକାଲି ୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ପୁଣି ୫ ଜଣ ଆକ୍ରାନ୍ତ ଚିହ୍ନଟ ହେବା ଚିନ୍ତାର ବିଷୟ ପାଲଟିଛି । ରାଜ୍ୟରେ ଲଗାତାର ସଂକ୍ରମିତଙ୍କ ସଂଖ୍ୟା ବଢ଼ିବା ସରକାରଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି ।

ସେପଟେ ଗତକାଲି ଗୋଟିଏ ଦିନରେ ରାଜ୍ୟରେ ମୋଟରେ ୨ ହଜାର ୨୮୭ ଟି ନମୁନା ପରୀକ୍ଷା ହୋଇଛି । ଏପର୍ଯ୍ୟନ୍ତ ରାଜ୍ୟରେ ମୋଟରେ ୨୫ ହଜାର ୧୦୩ଟି ନମୁନା ପରୀକ୍ଷା କରାଗଲାଣି ।