କନକ ବ୍ୟୁରୋ : ମୋଟର୍ ସାଇକେଲ୍ ଚୋରି ହେଲେ ଏତଲା ଦେବାକୁ ଓ ତାହାର ନକଲ ଆଣିବାକୁ ଆଉ ଥାନା ଦୌଡ଼ିବାକୁ ପଡ଼ିବ ନାହିଁ । ଏଣିକି ଘରେ ବସି ଅନ୍ଲାଇନ୍ ମାଧ୍ୟମରେ କାମ ସହଜରେ ହୋଇପାରିବେ। ‘ଭର୍ଚୁଆଲ୍ ପୁଲିସ୍ ଷ୍ଟେସନ୍’ ପ୍ରକଳ୍ପ ମାଧ୍ୟମରେ ଏହି ସୁବିଧା ମିଳିବ । ରାସ୍ତା ଦୁର୍ଘଟଣା ହେଲେ ବୀମା ସହାୟତା ପାଇଁ ପୁଲିସ୍, ଡାକ୍ତରଖାନା, ଆର୍ଟିଓ ଓ ବୀମା କାର୍ଯ୍ୟାଳୟ ଦୌଡ଼ି ଦୌଡ଼ି ଲୋକ ନୟାନ୍ତ ହୁଅନ୍ତି । ଆଜି ଠାରୁ ଏହି ପରିସ୍ଥିତିରୁ ବି ନିସ୍ତାର ମିଳିଛି । ‘ରୋଡ୍ ଆକ୍ସିଡେଣ୍ଟ୍ ଡକୁମେଣ୍ଟ୍ ମଡ୍ୟୁଲ୍’ ମାଧ୍ୟମରେ ଏହି କାର୍ଯ୍ୟ ସହଜ ହେବ । ରାସ୍ତା ଦୁର୍ଘଟଣାର ଶିକାର ହେଲେ ଡାକ୍ତରୀ ପରୀକ୍ଷା ରିପୋର୍ଟ ପାଇଁ ବି ଆଉ ଥାନା ଓ ଡାକ୍ତରଖାନାରେ ଚକ୍କର କାଟିବାକୁ ପଡ଼ିବନି । ଏହି ରିପୋର୍ଟ ବି ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଅନ୍ଲାଇନ୍ରେ ମିଳିଯିବ । ‘ମେଡିକୋ ଲିଗାଲ୍ ଓପିନିଅନ୍ ସିଷ୍ଟମ୍’ ମାଧ୍ୟମରେ ଏହି ବ୍ୟବସ୍ଥା ସୁରୁଖୁରୁରେ ଚାଲିବ ।
ରାଜ୍ୟ ସରକାରଙ୍କ ୫-ଟି ଅଭିଯାନରେ ଓଡ଼ିଶା ପୁଲିସ୍ର ଏହି ତିନିଟି ଗୁରୁତ୍ବପୂର୍ଣ୍ଣ ସେବା ଯୋଡ଼ି ହୋଇଛି । ଆଜି ଲୋକସେବା ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ତିନିଟି ସେବାକୁ ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିଥିଲେ । ମୋ ସରକାର ୫-ଟି ଅଧୀନରେ ରାଜ୍ୟବାସୀଙ୍କୁ ନାଗରିକ କେନ୍ଦ୍ରିକ ଶାସନ ଦେବା ପାଇଁ ପ୍ରତିଶ୍ରୁତିବଦ୍ଧ । ଆଜିର ତିନିଟି ସେବା ଦ୍ବାରା ଏଣିକି ଲୋକଙ୍କୁ ଅଯଥାରେ ଥାନାକୁ ଦୌଡ଼ିବାକୁ ପଡ଼ିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ‘ଭର୍ଚୁଆଲ୍ ପୁଲିସ୍ ଷ୍ଟେସନ୍’ ବ୍ୟବସ୍ଥା ଅନୁଯାୟୀ ଏହା ଏକ ଅନ୍ଲାଇନ୍ ବ୍ୟବସ୍ଥା। ଭୁବେନଶ୍ବରରେ କ୍ରାଇମ୍ ରେକର୍ଡ ବ୍ୟୁରୋରେ ଏହା କାର୍ଯ୍ୟ କରିବ ।
ଗାଡ଼ି ଚୋରି ହୋଇଗଲେ ଗାଡ଼ି ମାଲିକଙ୍କୁ ଆଉ ଥାନାକୁ ଯାଇ ଏତଲା ଦେବାକୁ ପଡ଼ିବନି। ନିଜ ମୋବାଇଲ୍ ଯୋଗେ ଅନ୍ଲାଇନ୍ରେ ପୁଲିସ୍କୁ ଅଭିଯୋଗ ପଠାଇ ପାରିବେ। ପୁଲିସ୍ ଅନ୍ଲାଇନ୍ରେ ହିଁ ଏତଲାକୁ ପଞ୍ଜୀକରଣ କରି ତଦନ୍ତ କରିବ। ଚୋରି ଗାଡ଼ିର ସନ୍ଧାନ ନ ମିଳିଲେ ୨୧ ଦିନ ପରେ ଚୂଡ଼ାନ୍ତ ଫର୍ମ ସିସିଟିଏନ୍ଏସ୍ରେ ଜେନେରେଟ୍ ହେବ। ମୋଟର୍ ସାଇକେଲ୍ ଚୋରି କ୍ଷେତ୍ରରେ ବୀମା ଦାବି ପାଇଁ ଏହା ସହାୟକ ହେବ । ଜଣେ ବ୍ୟକ୍ତି ଚାହିଁଲେ ସିଟିଜେନ୍ସ୍ ପୋର୍ଟାଲ୍ କିମ୍ବା ସହାୟତା ମୋବାଇଲ୍ ଆପ୍ ଜରିଆରେ ମଧ୍ୟ ଏତଲା ଦେଇପାରିବେ ।
ତଦନ୍ତକାରୀ ଅଧିକାରୀମାନେ ରାସ୍ତା ଦୁର୍ଘଟଣା ସମ୍ବନ୍ଧୀୟ କାଗଜପତ୍ରକୁ ସିସିଟିଏନ୍ଏସ୍ ମାଧ୍ୟମରେ ଅପ୍ଲୋଡ୍ କରିବେ। ବୀମା କମ୍ପାନିଙ୍କୁ ୟୁଜର୍ ଆଇଡି ଓ ପାସ୍ୱାର୍ଡ ପ୍ରଦାନ କରାଯିବ, ଯାହା ଦ୍ବାରା ସେମାନେ ୧୦୦ ଟଙ୍କା ଦେଇ ଆବଶ୍ୟକ କାଗଜପତ୍ର ଡାଉନ୍ଲୋଡ୍ କରିବେ। ସଂପୃକ୍ତ ବ୍ୟକ୍ତି ନିଜ ମୋବାଇଲ୍ ନମ୍ବର ଓ ଓଟିପି ବ୍ୟବହାର କରି ବିନା ଦେୟରେ କାଗଜପତ୍ର ଡାଉନ୍ଲୋଡ୍ କରିପାରିବେ। ‘ମେଡିକୋ ଲିଗାଲ୍ ଓପିନିଅନ୍ ସିଷ୍ଟମ୍’ ଉଭୟ ପୁଲିସ୍ ଓ ଡାକ୍ତରଙ୍କ ପାଇଁ ଉପାଦେୟ ହେବ ।
ସଂପୃକ୍ତ ପୁଲିସ୍ ଅଧିକାରୀ ଦୁର୍ଘଟଣାରେ ଶିକାର ହୋଇଥିବା ବ୍ୟକ୍ତିଙ୍କ ଡାକ୍ତରୀ ପରୀକ୍ଷା ପାଇଁ ଅନ୍ଲାଇନ୍ ମାଧ୍ୟମରେ ଜଣାଇପାରିବେ। ପରୀକ୍ଷା ରିପୋର୍ଟକୁ ଡାକ୍ତର ଅନ୍ଲାଇନ୍ରେ ଅପ୍ଲୋଡ୍ କରିବେ ଓ ପୁଲିସ୍ ଏହାକୁ ଡାଉନ୍ଲୋଡ୍ କରି ଆବଶ୍ୟକ ପଦକ୍ଷେପ ନେବ। ଏହା ଦ୍ବାରା ଡାକ୍ତରୀ ରିପୋର୍ଟ ପାଇବାରେ ଅଯଥା ବିଳମ୍ବ ହେବନି। ପୀଡ଼ିତ ବ୍ୟକ୍ତି ଠିକ୍ ସମୟରେ ସହାୟତା ପାଇପାରିବେ।
ଲୋକାର୍ପଣ ଉତ୍ସବରେ ୫-ଟି ସଚିବ ଭି କେ ପାଣ୍ଡିଆନ୍ ଉପସ୍ଥିତ ରହି ପୁଲିସ୍ ବିଭାଗରେ ହେଉଥିବା ପରିବର୍ତ୍ତନକୁ ପ୍ରଶଂସା କରିଥିଲେ। ପୁଲିସ୍ କାର୍ଯ୍ୟକଳାପ ଉପରେ ସରକାର ଭଲ ମତାମତ ପାଉଛନ୍ତି। ଡାକ୍ତରଖାନା ଓ ଆର୍ଟିଓ ଅଫିସ୍ରୁ ଦଲାଲମାନେ ହଟିଛନ୍ତି ବୋଲି ଶ୍ରୀ ପାଣ୍ଡିଆନ୍ କହିଥିଲେ। ଭିଡିଓ କନ୍ଫରେନ୍ସିଂ ଯୋଗେ ସେ କିଛି ଜିଲ୍ଲାର ଏସ୍ପିଙ୍କ ସହ କଥା ହୋଇ ଆଜି ଆରମ୍ଭ ହୋଇଥିବା ତିନିଟି ପ୍ରକଳ୍ପ ଉପରେ ମତାମତ ନେଇଥିଲେ। ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଉପସ୍ଥିତ ଥିଲେ। ପୁଲିସ୍ ଡିଜି ଅଭୟ ତିନିଟି ପ୍ରକଳ୍ପ ଉପରେ ସୂଚନା ଦେଇଥିଲେ। ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ ଓ ଉନ୍ନୟନ କମିସନର୍ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
Follow Us