ବକେୟା ବିଲ୍ ଦେଲେନି ଗ୍ରାହକ, ଲାଇନ୍ କାଟିଲା ନେସ୍କୋ : ସେସୁ, ୱେସ୍କୋ ଓ ସାଉଥକୋ ପରେ ନେସ୍କୋର କଡ଼ା ଆଭିମୁଖ୍ୟ

229

କନକ ବ୍ୟୁରୋ : ସେସୁ, ୱେସ୍କୋ ଓ ସାଉଥକୋ ପରେ ଏବେ ଉତ୍ତର ଓଡିଶାରେ ବିଜୁଳି କାଟିବ ନେସ୍କୋ । ଯେଉଁମାନେ ଜାଣିଶୁଣି ବିଜୁଳି ବିଲ୍ ପୈଠ କରିନାହାଁନ୍ତି, ସେମାନଙ୍କ ବିଜୁଳି ସଂଯୋଗ କାଟିଦେବେ ନେସ୍କୋ ଅଧିକାରୀ । ନେସ୍କୋର ବିଜୁଳି କଟା ଅଭିଯାନ ଆରମ୍ଭ ହୋଇସାରିଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୨ ହଜାରରୁ ଅଧିକ ଟଙ୍କା ବକେୟା ରଖିଥିବା ଗ୍ରାହକଙ୍କ ବିଜୁଳି କଟାଯାଉଛି ।

ମାସ ମାସ ଧରି ବିଲ୍ ବକେୟା ରଖିଥିବା ଗ୍ରାହକଙ୍କ ବିଜୁଳି ସଂଯୋଗ କାଟୁଛନ୍ତି ନେସ୍କୋ ଅଧିକାରୀ । ପ୍ରଥମ ପର୍ଯ୍ୟାୟରେ ୨ ହଜାର ଟଙ୍କାରୁ ଅଧିକ ବକେୟା ରଖିଥିବା ଏବଂ ୨ ମାସରୁ ଅଧିକ ସମୟ ଧରି ବିଲ୍ ଦେଇନଥିବା ଘରୋଇ ଗ୍ରାହକଙ୍କ ଲାଇନ୍ କଟାଯାଉଛି ।

ବିଜୁଳି କାଟିବା ପାଇଁ ନେସ୍କୋ ପୂର୍ବରୁ ନୋଟିସ ଦେଇନାହିଁ । ଯାହାର ଯାହାର ବକେୟା ରହିଛି ସେହି ସ୍ଥାନକୁ ଯାଇ ସଂଯୋଗ କାଟି ଦିଆଯାଉଛି । ତେବେ ନେସ୍କୋର ଏଭଳି ବିଜୁଳି କାଟ୍ ଉପରେ ପ୍ରଶ୍ନ ଉଠାଇଛନ୍ତି ଗ୍ରାହକ ।

ଗୋଟିଏ ପଟେ ବକେୟା ବିଲ୍ ସଂଗ୍ରହ ଅଭିଯାନ ଜୋର ଧରିଥିବା ବେଳେ ସାହି ସାହିରେ ମୁଣ୍ଡ ଉପରେ ଝୁଲୁଥିବା ବିଦ୍ୟୁତ୍ ତାର ଓ ମୁକୁଳା ପଡିଥିବା ଟ୍ରାନ୍ସଫର୍ମର ପ୍ରତି ନେସ୍କୋ ଅଧିକାରୀ ଧ୍ୟାନ ଦେଉନଥିବା ଲୋକେ ଅଭିଯୋଗ କରିଛନ୍ତି ।