କନକ ବ୍ୟୁରୋ : ବୁଥ୍ ବାହୁଡ଼ା ମତ ଆସିବା ପରେ ବିଜେପି ନେତାଙ୍କ ଛାତି ଚଉଡ଼ା ହୋଇଯାଇଛି । ନିଶ ଫୁଲାଇ ବୁଲୁଛନ୍ତି ବିଜେପି ନେତା । ଫଳାଫଳ ଯାହା ବି ହେଉନା କାହିଁକି ଏବେ କିନ୍ତୁ ଡଗମଗ ହେଉଥିବା ତାଙ୍କ ବିଶ୍ୱାସ ଏବେ ଆତ୍ମବିଶ୍ୱାସରେ ପରିଣତ ହୋଇଛି । ବିଜେପି ଅଫିସରେ ଉତ୍ସବ ପାଳନ ପାଇଁ ଜୋରଦାର ପ୍ରସ୍ତୁତି ଚାଲିଥିବା ବେଳେ କଂଗ୍ରେସ ମୁଖ୍ୟାଳୟ ଶୂନଶାନ ରହିଛି । ତେବେ ଏକଜିଟ ପୋଲ୍ ଆକଳନ ନେଇ ସମସ୍ତେ ଦ୍ବନ୍ଦ୍ବରେ ରହିଛନ୍ତି । ତେଣୁ ସହଯୋଗୀମାନଙ୍କୁ ନିଜ ସହିତ ରଖିବା ଲାଗି ବିଜେପି ଉଦ୍ୟମ ଆରମ୍ଭ କରିଥିବା ବେଳେ ବିରୋଧୀ ଦଳଗୁଡ଼ିକ ମଧ୍ୟ ଏକତା ପ୍ରଦର୍ଶନ କରିବା ପାଇଁ ଲାଗି ପଡ଼ିଛନ୍ତି । ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଅମିତ ଶାହ ଆଜି ଏନଡିଏ ନେତାମାନଙ୍କ ନୈଶଭୋଜି ବୈଠକ ଡାକିଛନ୍ତି ।
ଆଜି ସନ୍ଧ୍ୟାରେ ହେବାକୁ ଥିବା ରାତ୍ରଭୋଜନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ଏବଂ ଲୋକ ଜନଶକ୍ତି ପାର୍ଟି ମୁଖ୍ୟ ରାମ ବିଳାସ ପାଶୱାନ୍ ମଧ୍ୟ ଏହି ବୈଠକରେ ଯୋଗ ଦେବେ ବୋଲି ଜଣାପଡ଼ିଛି । ଆଉ ଏହା ପୂର୍ବରୁ ପ୍ରମୁଖ ବିଜେପି ନେତା ଏବଂ କେନ୍ଦ୍ରମନ୍ତ୍ରୀମାନଙ୍କ ସହ ମୋଦୀ ବିଜେପି ମୁଖ୍ୟାଳୟରେ ଏକ ବୈଠକ କରିବାର ଯୋଜନା ରହିଛି । ସେହିଭଳି ଝୁଲା ଲୋକସଭା ଅନୁମାନ କରି ବିରୋଧୀ ଦଳମାନେ ବିକଳ୍ପ ସରକାର ପାଇଁ କଥାବାର୍ତା ଚଳାଇଛନ୍ତି । ଆନ୍ଧ୍ର ମୁଖ୍ୟମନ୍ତ୍ରୀ ତଥା ଟିଡିପି ନେତା ଚନ୍ଦ୍ରବାବୁ ନାଇଡୁ ଆଜି କୋଲକାତା ଯାଇ ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟି ସମ୍ଭାବ୍ୟ ରଣନୀତି ନେଇ ଆଲୋଚନା କରିଛନ୍ତି । ସମାଜବାଦୀ ନେତା ଅଖିଳେଶ ଯାଦବ ଏବଂ ବିଏସପି ନେତ୍ରୀ ମାୟାବତୀଙ୍କ ମଧ୍ୟରେ ମଧ୍ୟ ବିଚାରବିମର୍ଶ ହୋଇଛି ।
ସୂଚନାଯୋଗ୍ୟ ପ୍ରାୟ ସମସ୍ତ ଏକଜିଟ୍ ପୋଲ୍ ଆକଳନରୁ ଜଣାପଡ଼ିଛି ଯେ ଏନ ଡିଏ ସଂଖ୍ୟାଗରିଷ୍ଠତା ହାସଲ କରିବ । ତେବେ କଂଗ୍ରେସ ମାତ୍ର ୮୨ରୁ ୧୬୫ ଆସନ ପାଇବାରେ ସକ୍ଷମ ହେବ ବୋଲି ଅଧିକାଂଶ ଏକଜିଟ୍ ପୋଲ୍ ଆକଳନରୁ ଜଣାପଡ଼ିଛି । କିନ୍ତୁ ବିରୋଧୀ ଦଳଗୁଡ଼ିକ ଏକଜିଟ୍ ପୋଲକୁ ପ୍ରତ୍ୟାଖ୍ୟାନ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/05/NDA-BHOJI.jpg)