ଆଜି ୧୨ ଘଣ୍ଟିଆ ନୟାଗଡ ବନ୍ଦ : ୬ ବର୍ଷ ଧରି ବନ୍ଦ ପଡିଥିବା ନୟାଗଡ ଚିନିକଳ ଖୋଲିବା ପାଇଁ ବନ୍ଦ ଡାକରା ଦେଇଛି ଚିନିକଳ ବଂଚାଓ କ୍ରିୟାନୁଷ୍ଠାନ କମିଟି, ବନ୍ଦରୁ ବାଡ ପଡିବ ଜରୁରୀକାଳୀନ ସେବା

278

କନକ ବ୍ୟୁରୋ : ବନ୍ଦ ପଡିଥିବା ଚିନିକଳକୁ ଚାଲୁ କରିବା ଦାବିରେ ଆଜି ୧୨ ଘଂଟିଆ ନୟାଗଡ ବନ୍ଦ । ଏହି ବନ୍ଦ ଡାକରା ଦେଇଛି ଚିନିକଳ କ୍ରୀୟାନୁଷ୍ଠାନ କମିଟି । ବନ୍ଦକୁ ଆଖିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି । ତେବେ ୧୨ ତାରିଖରେ ଚିନିକଳର ସଂପତି ଆକଳନ କରାଯିବ ବୋଲି କୁହାଯାଉଥିବା ବେଳେ ଏହାକୁ ନେଇ ସନ୍ଦେହ ପ୍ରକଟ କରିଛି କ୍ରିୟାନୁଷ୍ଠାନ କମିଟି ।

୨୦୧୪ରୁ ବନ୍ଦ ପଡିଥିବା ନୟାଗଡ ଚିନିକଳ ଚାଲୁ କରିବା ଦାବିରେ ଗତ ଜାନୁଆରୀ ୩୦ ତାରିଖରୁ ପଦଯାତ୍ରା କରିଥିଲା ଚିନିକଳ କ୍ରୀୟାନୁଷ୍ଠାନ କମିଟି । ଫେବୃଆରୀ ୩ ତାରିଖ ଭୂବନେଶ୍ୱରରେ ପହଂଚିବା ପରେ ଗିରଫ ହେଲେ ପଦଯାତ୍ରୀ, ଫେଲ ମାରିଲା ମିଶନ । ନା ମୁଖ୍ୟମନ୍ତ୍ରୀଙ୍କ ସହ ଭେଟ ହେଲା ନା ଚିନିକଳ ସଂପର୍କରେ କୌଣସି ଆଲୋଚନା । ଗିରଫ ଘଟଣାର ମାସେ ପରେ ଆନ୍ଦୋଳନକୁ ଆଉ ଟିକେ ଆଗକୁ ବଢାଇଛି କମିଟି । ମାର୍ଚ୍ଚ ୬ ତାରିଖ ଅର୍ଥାତ୍ ଶୁକ୍ରବାର ଦିନ ୧୨ ଘଂଟିଆ ନୟାଗଡ ବନ୍ଦ ଡାକରା ଦେଇଛି କ୍ରିୟାନୁଷ୍ଠାନ କମିଟି । ଚାଷୀଙ୍କୁ ଏକାଠି କରିବା ପାଇଁ କମିଟି କରୁଛି ସାଇକେଲ ଶୋଭାଯାତ୍ରା । ଜିଲ୍ଲାର ଚିନିକଳ ବନ୍ଦକୁ ନେଇ ସବୁ ଅଂଚଳରେ କ୍ଷୋଭ ଥିବାରୁ ଲୋକେ ସ୍ୱଇଚ୍ଛାରେ ବନ୍ଦ ପାଳିବେ ବୋଲି କହିଛି କ୍ରୀୟାନୁଷ୍ଠାନ କମିଟି ।

ନୟାଗଡ ଚିନିକଳକୁ ଚାଲୁ କରାଇବା ପାଇଁ ବିଭିନ୍ନ ସମୟରେ ଚାଷୀ ଓ କର୍ମଚାରୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ପ୍ରଶାସନ ମଧ୍ୟ ଘନ ଘନ ବୈଠକ ଡାକିଛି । ମାମଲା ରାଜ୍ୟ ଲୋକସେବା ଭବନରେ ପହଂଚିଛି । ହେଲେ କିଛି ଲାଭ ନାହିଁ । ବରଂ ଗୁଜୁରାଟର ଏକ କବାଡିଆ କମ୍ପାନିକୁ ଚିନିକଳ ବିକ୍ରି କରାଯାଉଥିବା ନେଇ ଚର୍ଚ୍ଚା ହେଉଛି । ଏସବୁ ସତ୍ୱେ ଆସନ୍ତା ୧୨ ତାରିଖ ଚିନିକଳର ଅବଶେଷ ସଂପତିର ମୂଲ୍ୟାୟନ କରାବା ପାଇଁ ଥୋପ ପକାଇଛି ପ୍ରଶାସନ । ଯାହାର ସଫଳତା ନେଇ ସନ୍ଦେହ କରିଛନ୍ତି ଆନ୍ଦୋଳନକାରୀ ।

୬ ତାରିଖର ପ୍ରସ୍ତାବିତ ବନ୍ଦ ପାଳନ ବେଳେ ସମସ୍ତ ଅତ୍ୟାବଶ୍ୟକ ସେବାକୁ ବାଦ ଦିଆଯିବ । ପରୀକ୍ଷାର୍ଥୀଙ୍କୁ କୌଣସି ବାଧା ଦିଆଯିବ ନାହିଁ । ସେପଟେ ଯେ କୌଣସି ପରିସ୍ଥିତିର ମୁକାବିଲା ପାଇଁ ଜିଲ୍ଲା ପୁଲିସ ପ୍ରସ୍ତୁତ ବୋଲି ଏସପି କହିଛନ୍ତି ।