ପୁଣି ବିବାଦରେ ନବଜୋତ ସିଂ ସିଦ୍ଧୁ : ପାକିସ୍ତାନ ଗସ୍ତ ବେଳେ ଖଲିସ୍ତାନ ଆତଙ୍କବାଦୀଙ୍କ ସହ ଉଠାଇଲେ ଫଟୋ

ସିଦ୍ଧୁଙ୍କ ଏପରି ପଦକ୍ଷେପକୁ ସମାଲୋଚନା

164

କନକ ବ୍ୟୁରୋ : ପଞ୍ଜାବର ମନ୍ତ୍ରୀ ତଥା କଂଗ୍ରେସ ନେତା ନବଜ୍ୟୋତ ସିଂ ସିଦ୍ଧୁଙ୍କ ପାକିସ୍ତାନ ଗସ୍ତକୁ ନେଇ ବିବାଦ ଥମିନଥିବାବେଳେ ସୋସିଆଲ ମିଡିଆର ଏକ ଫଟୋ ଏହି ବିବାଦକୁ ବଢାଇଦେଇଛି । ପାକିସ୍ତାନରେ ସିଦ୍ଧୁ ଖଲିସ୍ତାନ ଆତଙ୍କବାଦୀ ଗୋପାଳ ସିଂହ ଚାୱଲା ସହ ଫଟୋ ଉଠାଇବା ଏକ ନୂଆ ବିବାଦ ସୃଷ୍ଟି କରିଛି । ଅକାଳୀ ନେତା ମନଜିନ୍ଦର ସିଂ ଶୀର୍ଷା ସୋସିଆଲ ମିଡିଆରେ ଏହି ଫଟୋକୁ ଟ୍ୱିଟ କରିଛନ୍ତି । ଗତକାଲି ପାକିସ୍ତାନ-ଭାରତ ମଧ୍ୟରେ ତିଆରି ହେଉଥିବା କର୍ତାରପୁର କରିଡରର ଶିଳାନ୍ୟାସ ହୋଇଥିଲା ।

ଏଥିପାଇଁ ସିଦ୍ଧୁ ପାକିସ୍ତାନ ଯାଇଥିଲେ । ଏଠାରେ ସେ ପାକିସ୍ତାନ ସେନା ମୁଖ୍ୟ କମର ଜାଭେଦ ବାଜୱା ଓ ଖଲିସ୍ତାନ ଆତଙ୍କବାଦୀ ଗୋପାଳ ସିଂ ଚାୱଲାଙ୍କ ସହ ଫଟୋ ଉଠାଇଥିଲେ । ଏହାକୁ ନେଇ ନୂଆ ବିବାଦ ଦେଖାଦେଇଛି । ଅକାଳୀ ନେତା ମନଜିନ୍ଦର ସିଂ ଟ୍ୱିଟରରେ ପଟୋ ସେୟାର କରି ପ୍ରଶ୍ନ କରିଛନ୍ତି, ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦିର ସିଂ ଏହି ଦାୟିତ୍ୱହୀନ ମନ୍ତ୍ରୀଙ୍କୁ ବରଖାସ୍ତ କରିବେ କି ।

ଗୋପାଳ ସିଂ ଚାୱଲା ପାକିସ୍ତାନ ଶିଖ ଗୁରୁଦ୍ୱାର ପ୍ରବନ୍ଧନ କମିଟିର ମହାସଚିବ ଅଛନ୍ତି ଓ ଦୁର୍ଦ୍ଦାନ୍ତ ଆତଙ୍କବାଦୀ ହାଫିଜ ସୟିଦର ଅତି ନିକଟତର ବୋଲି କୁହାଯାଉଛି । ସେ ଆଇଏସଆଇ ଓ ହାଫିଜ ସୟିଦ ସହ ମିଶି ପଞ୍ଜାବକୁ ଅଶାନ୍ତକରିବାକୁ ଉଦ୍ୟମ କରୁଛି ବୋଲି ବି ଅଭିଯୋଗ ଆସିଛି । କିଛି ମାସ ତଳେ ହାଫିଜ ଓ ଗୋପାଳ ଚାୱଲାଙ୍କ ଏକ ଫଟୋ ବିଭିନ୍ନ ତଦନ୍ତ ଏଜନେସି ହାତରେ ଲାଗିଥିଲା । ଏଥିରୁ ପାକିସ୍ତାନର ବିଭିନ୍ନ ଆତଙ୍କବାଦୀ ସଙ୍ଗଠନ ସହ ଖଲିସ୍ତାନ ସମର୍ଥକଙ୍କ ସମ୍ପର୍କ ସାମ୍ନାକୁ ଆସିଥିଲା ।