ମହିଳା କାର୍ଡ ପରେ ନବୀନଙ୍କ ‘କୃଷକ କାର୍ଡ’ ନେଇ ଅଡ଼ୁଆରେ ବିଜେପି ଓ କଂଗ୍ରେସ : ଚାଷୀ ଭୋଟବ୍ୟାଙ୍କ ହାତେଇବାକୁ ପ୍ରତିଶ୍ରୁତିର ସୁଅ

ପ୍ରତିଶୃତି ପାଳନ କରିବେ ନବୀନ । ଶପଥ ଗ୍ରହଣ ଦିନ ମିଳିବ କାଳିଆ ଟଙ୍କା

sambad.

ଭୁବନେଶ୍ୱର (ସୁବ୍ରତ ଦାସ) : ମହିଳା କାର୍ଡ଼ ପରେ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ସୁପ୍ରିମେ ନବୀନ ପଟ୍ଟନାୟକ ଯେଉଁ ‘‘କୃଷକ କାର୍ଡ’’ ଖେଳିଛନ୍ତି, ତାହା ବିରୋଧୀ କଂଗ୍ରେସ ଓ ଭାରତୀୟ ଜନତା ପାର୍ଟିକୁ ଅଡୁଆରେ ପକାଇଛି ଏବଂ କୃଷିର ବିକାଶକୁ ମୁଖ୍ୟ ନିର୍ବାଚନୀ ପ୍ରସଙ୍ଗ କରିବା ଲାଗି ବାଧ୍ୟ କରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧିର ଶୁଭାରମ୍ଭ କରିଥିବାବେଳେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କୃଷିଋଣ ଛାଡ଼ ପ୍ରତିଶ୍ରୁତିକୁ ଦୋହରାଇଛନ୍ତି ।

ପ୍ରକାଶ ଥାଉ କି, କୃଷକମାନେ ହେଉଛନ୍ତି ଦେଶର ସବୁଠାରୁ ବଡ଼ ଭୋଟ ବ୍ୟାଙ୍କ୍‌ । ୨୦୧୧ ଜନଗଣନା ଅନୁସାରେ କେବଳ ରାଜ୍ୟରେ ୪୧.୦୪ ଲକ୍ଷ ଚାଷୀ ଏବଂ ୬୭.୪୦ ଲକ୍ଷ କୃଷି ଶ୍ରମିକ ଥିଲେ ।

ଗତ ଶନିବାର ଦିନ ‘କନକ ନ୍ୟୁଜ୍‌’ ପକ୍ଷରୁ ଆୟୋଜିତ ତୃତୀୟ ଓଡ଼ିଶା ନିର୍ମାଣ କନ୍‌କ୍ଲେଭ୍‌ରେ ରାଜ୍ୟ ଅର୍ଥ ତଥା କୃଷିମନ୍ତ୍ରୀ ଶଶିଭୂଷଣ ବେହେରା କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ‘‘କାଳିଆ’’ ଯୋଜନା ପଞ୍ଚଦଶ ଅର୍ଥ କମିଶନଙ୍କ ଦ୍ୱାରା ପ୍ରଶଂସିତ ହୋଇଛି । ଏହି ଯୋଜନାକୁ ଅନ୍ୟମାନେ ଅନୁକରଣ କରୁଛନ୍ତି । ବିଜୁ ଜନତା ଦଳ ପୁଣି କ୍ଷମତାକୁ ଆସିଲେ ‘‘କାଳିଆ’’ ଯୋଜନାକୁ ଆଗକୁ ନେବା ସଙ୍ଗେ ରାଜ୍ୟର କୃଷକ ଏବଂ କୃଷି ଶ୍ରମିକମାନଙ୍କ ଆୟ କିପରି ବହୁଗୁଣିତ ହେବ ସେଥିପାଇଁ ବିଭିନ୍ନ ଯୋଜନା ହାତକୁ ନେବ । ଅନ୍ୟ ପକ୍ଷରେ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ କଂଗ୍ରେସ ଶାସନ କ୍ଷମତାକୁ ଆସିଲେ ଚାଷ ଜମିକୁ ବର୍ଷ ସାରା ପାଣି ଯୋଗାଇବା ପାଇଁ ରାଜ୍ୟର କୃଷକମାନଙ୍କୁ ମାଗଣାରେ ସୌରଶକ୍ତି ଚାଳିତ ପମ୍ପସେଟ୍‌ ଯୋଗାଇ ଦେବା ସାଙ୍ଗକୁ ସେମାନଙ୍କୁ ସ୍ୱାବଳମ୍ବୀ କରିବା ଲାଗି ୫ବର୍ଷ ପାଇଁ ଆର୍ଥିକ ସହାୟତାଦେବ । ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନ କହିଛନ୍ତି ଯେ ଭାରତୀୟ ଜନତା ପାର୍ଟି ସରକାର ଗଠନ କଲେ କୃଷି ଓ ଆନୁସଙ୍ଗିକ କ୍ଷେତ୍ର ପ୍ରତି ଅଗ୍ରାଧିକାର ଦିଆଯିବ ।

ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ଗତ କାମଚଳା ବଜେଟ ଉପସ୍ଥାପନ ବେଳେ ପ୍ରଧାନମନ୍ତ୍ରୀ କୃଷକ ଯୋଜନା ପାଇଁ ଘୋଷଣା କରିଛନ୍ତି । ଏହିଯୋଜନା ଅଧୀନରେ ସର୍ବାଧିକ ୫ଏକର ଜମି ଥିବା କୃଷକ ପରିବାରକୁ ବର୍ଷକୁ ୬ହଜାର ଟଙ୍କା ୩ଟି କିସ୍ତିରେ ଦିଆଯିବ । ଗତକାଲି ପ୍ରଧାନମନ୍ତ୍ରୀ ଉତ୍ତରପ୍ରଦେଶର ଗୋରଖପୁର ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି । ପ୍ରଥମ କିସ୍ତି ହିତାଧିକାରୀଙ୍କ ବ୍ୟାଙ୍କ୍‌ ଖାତାକୁ ଇଲେକ୍ଟ୍ରୋନିକକୁ ଯୋଗେ ହସ୍ତାନ୍ତର କରାଯାଇଛି ।

ଅନ୍ୟପକ୍ଷରେ ନିକଟରେ କଂଗ୍ରେସ ମୁଖ୍ୟ ରାହୁଲ ଗାନ୍ଧୀ ଗତ ଓଡ଼ିଶା ଗସ୍ତ ବେଳେ କୃଷି ଋଣ ଛାଡ ପ୍ରତିଶ୍ରୁତି ଦୋହରାଇ ଥିବା ବେଳେ କୃଷକ କଲ୍ୟାଣ ନିମନ୍ତେ ଆହୁରି ଯୋଜନା କାର୍ଯ୍ୟକାରୀ କରାଯିବ ବୋଲି ଘୋଣୋ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe