ବାତ୍ୟା ବିପନ୍ନଙ୍କୁ ପକ୍କାଘର ଦେବା ପାଇଁ ମୋଦିଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ : PMAY ଯୋଜନାରେ ୫ ଲକ୍ଷ ଘର ଯୋଗାଇବାକୁ ଅନୁରୋଧ

262

କନକ ବ୍ୟୁରୋ : ପ୍ରଳୟଙ୍କରୀ ବାତ୍ୟା ଫୋନିରେ ଉଜୁଡ଼ିଯାଇଛି ଘର । ମୁଣ୍ଡ ଗୁଞ୍ଜିବା ପାଇଁ ଏବେ ହନ୍ତସନ୍ତ ହେଉଛନ୍ତି ଗରିବ ଲୋକ । ବାତ୍ୟା ବିପନ୍ନଙ୍କୁ ପକ୍କାଘର ଯୋଗଇ ଦେବାପାଇଁ  ମୋଦିଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ । ପିଏମଏୱାଇ ଯୋଜନାରେ ୫ ଲକ୍ଷ ପକ୍କା ଘର ଯୋଗାଇଦେବାପାଇଁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ । ବାସହରା ହୋଇ ଲୋକେ ଏବେ ନାହଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଆଗକୁ ଆସୁଛି ବର୍ଷା ଋତୁ । ଠିକ ସମୟରେ ପଦକ୍ଷେପ ନନେଲେ ପରିସ୍ଥିତି ଦୟନୀୟ ହେବ । ତେଣୁ ଏଦିଗରେ ତୁରନ୍ତ ପଦକ୍ଷେପ ନେଲେ ଲୋକେ ଉପକୃତ ହୋେଇପାରିବେ ବୋଲି ଅନୁରୋଧ କରିଛନ୍ତି ନବୀନ ।

ଅନ୍ୟପଟେ ବାତ୍ୟା ଫୋନିରେ ସହାୟତା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଫୋନି ମୁକାବିଲା ପାଇଁ ବାତ୍ୟା ସମୟରେ ଓ ପରେ କେନ୍ଦ୍ର ସରକାର ରାଜ୍ୟକୁ ବ୍ୟାପକ ସହାୟତା କରିଥିବାରୁ ନବୀନ ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି । କେନ୍ଦ୍ରର ସହଯୋଗ ପାଇଁ ରାଜ୍ୟ ସରକାର ବାତ୍ୟା ମୁକାବିଲା ଠିକ ଭାବେ ପରିଚାଳନା କରିପାରିଥିବା ଚିଠିରେ ଦର୍ଶାଇଛନ୍ତି ନବୀନ । ବାତ୍ୟା ଅଂଚଳ ପରିଦର୍ଶନରେ ଆସିଥିବା ବେଳେ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ମଧ୍ୟ ମୋଦି ପ୍ରଶଂସା କରିବା ସହ ନବୀନଙ୍କୁ ଧନ୍ୟବାଦ ଜଣାଇଥିଲେ ।

ସୂଚନାଯୋଗ୍ୟ ପ୍ରାଥମିକ ଆକଳନ ଅନୁସାରେ ଫୋନି ତାଣ୍ଡବରେ ପ୍ରାୟ ୧୪ଟି ଜିଲ୍ଲାର ୫ ଲକ୍ଷ ଘର ନଷ୍ଟ ହୋଇଛି । ସର୍ଭେ କରାଯିବା ପରେ କେତେ ଘର ନଷ୍ଟ ହୋଇଛି ତାହାର ସ୍ପଷ୍ଟ ଚିତ୍ର ଆସିବ । ସମ୍ପୂର୍ଣ୍ଣ ରିପୋର୍ଟ ଆସିଲା ପରେ କେନ୍ଦ୍ରକୁ ଏନେଇ ତଥ୍ୟ ଦିଆଯିବ । ଏହା ସହିତ ବାତ୍ୟାରେ କେତେ କ୍ଷତି ହୋଇଛି ତାହାର ନିଜେ ସାକ୍ଷୀ ନିଜେ ପ୍ରଧାନମନ୍ତ୍ରୀ ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି ନବୀନ ।