କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡ଼ିଶାକୁ ସ୍ୱତନ୍ତ୍ର ପାହ୍ୟା ଦାବି କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି । ଚିଠିରେ ନବୀନ ଦର୍ଶାଇଛନ୍ତି ୧୯୯୦ ପରଠାରୁ ଓଡ଼ିଶା ପ୍ରତି ବର୍ଷ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ଆସୁଛି। ଫଳରେ ରାଜ୍ୟର ୮୦ ପ୍ରତିଶତରୁ ଅଧିକ ଅଂଚଳ ଏବଂ ୯୦ ପ୍ରତିଶତ ଜନସଂଖ୍ୟା ପ୍ରଭାବିତ ହେଉଛନ୍ତି । ନବୀନ ଲେଖିଛନ୍ତି, ଓଡ଼ିଶାର ପ୍ରାକୃତିକ ସଂପଦରୁ ଦେଶକୁ ବହୁତ ଲାଭ ହେଉଛି । ମାତ୍ର କେନ୍ଦ୍ର ସରକାରଙ୍କ ଦ୍ୱାରା ଓଡ଼ିଶା ବିଭିନ୍ନ କ୍ଷେତ୍ରରେ ଅବହେଳିତ ହେଉଛି । ରେଳବାଇ, ବ୍ୟାଙ୍କିଙ୍ଗ୍, ଜାତୀୟ ରାଜପଥ, ବିମାନ କ୍ଷେତ୍ର ଆଦିରେ ଓଡ଼ିଶା ଅବହେଳା ହୋଇଛି । ତେଣୁ ସ୍ୱତନ୍ତ୍ର ପାହ୍ୟା ମାନ୍ୟତା ମିଳିଳେ ଶିଳ୍ପର ବିକାଶ ହେବା ସହିତ ନିଯୁକ୍ତି ସୁଯୋଗ ବଢ଼ିବ ।

Advertisment

ସୂଚନାଯୋଗ୍ୟ ପୂର୍ବରୁ ଗତ ନଭେମ୍ବର ୨ରେ ବିଜେଡି ପକ୍ଷରୁ ଆୟୋଜିତ ଜନ ସଂପର୍କ ପଦଯାତ୍ରାରେ ନବୀନ କହିଥିଲେ, କେନ୍ଦ୍ର ସରକାରଙ୍କ ୨୦୧୪ ନିର୍ବାଚନୀ ଇସ୍ତାହାରରେ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମିଳିବା ମୁଖ୍ୟ ଏଜେଣ୍ଡା ଥିଲା । ଏହା ହୋଇଥିଲେ ରାଜ୍ୟର ଅନେକ ନିଯୁକ୍ତି ସୁଯୋଗ ଅଧିକ ସୃଷ୍ଟି ହୋଇ ପାରିଥାନ୍ତା । କିନ୍ତୁ ସବୁ ଆଶା କେବଳ ଆଶାରେ ହିଁ ରହିଯାଇଛି । ଏଥିରୁ ସ୍ପଷ୍ଟ ହୋଇଛି ଯେ କେନ୍ଦ୍ର ସରକାର ଚୌକି ପାଇଁ ନିଜର ପ୍ରତିଶ୍ରୁତିକୁ ଭୁଲିଯାଇଛନ୍ତି । ଏହାସହ ନବୀନ କହିଥିଲେ ଯେ, ବିଜେପି ସହିତ ୨୦୦୯ ପର୍ଯ୍ୟନ୍ତ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦେବା ପାଇଁ ମେଣ୍ଟ ହୋଇଥିଲା । ଓଡ଼ିଶା ପ୍ରତି ବର୍ଷ ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରୁଛି । ଏହା କ’ଣ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପାଇବା ପାଇଁ କାରଣ ନୁହେଁ କି ?