ଜୋର ଧରିଲା କେନ୍ଦ୍ରାପଡ଼ା ରାଜନୀତିରେ ନିର୍ବାଚନୀ କସରତ : ଆଜି ପାଟକୁରା ଗସ୍ତରେ ଯାଇ ବଳଦେବଜୀଉଙ୍କୁ ଦର୍ଶନ କରିବେ ନବୀନ

166

କନକ ବ୍ୟୁରୋ : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରାପଡ଼ା ଗସ୍ତରେ ଯାଉଛନ୍ତି । ବଳଦେବଜୀଉଙ୍କ ଦର୍ଶନ କରିବା ପାଇଁ କେନ୍ଦ୍ରାପଡ଼ା ଗସ୍ତରେ ଯାଉଛନ୍ତି ମୁଖ୍ୟମନ୍ତ୍ରୀ । ଭୁବନେଶ୍ବରରୁ ମୁଖ୍ୟମନ୍ତ୍ରୀ ଅପରାହ୍ନ ୪ଟା ୩୦ରେ ହେଲିକପ୍ଟର ଯୋଗେ କେନ୍ଦ୍ରାପଡ଼ା ଯିବେ । ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତକୁ ରାଜନୈତିକ ଦୃଷ୍ଟିକୋଣରୁ ଦେଖାଯାଉଛି । କାରଣ ଆସନ୍ତା ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ପାଟକୁରା ନିର୍ବାଚନ ତାରିଖ ଘୋଷଣା ହେବାର ସମ୍ଭାବନା ରହିଛି । ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ନବୀନଙ୍କ କେନ୍ଦ୍ରାପଡ଼ା ଗସ୍ତ ପାଟକୁରା ନିର୍ବାଚନ ପାଇଁ ଗୁରୁତ୍ୱବହନ କରୁଛି । ନବୀନ ଏହି ଗସ୍ତରେ ନିର୍ବାଚନୀ ବିଗୁଲ ବଜାଇବେ ବୋଲି ରାଜନୈତିକ ବିଶ୍ଳେଷକମାନେ କହୁଛନ୍ତି ।

ପାଟକୁରା ନିର୍ବାଚନ ପୂର୍ବରୁ ରାଜ୍ୟ ରାଜନୀତି ସରଗରମ । ଗୋଟିଏ ପଟେ ବିଜେପି ପକ୍ଷରୁ ପାଟକୁରା ବିଜୟ ପାଇଁ ମିଶନ ଆରମ୍ଭ ହୋଇଯାଇଛି । ଦୁଇ ଦିନ ପୂର୍ବରୁ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ର ଏକ ବିଶାଳ ରୋଡ଼ସୋ କରିଥିଲେ । ବିଜୟଙ୍କ ବିଜୟ ପାଇଁ ଭୁବନେଶ୍ୱର ଲୋକସଭା ସାଂସଦ ମଧ୍ୟ ତାଙ୍କ ସହ ରୋଡ଼ସୋ’ରେ ଯୋଗଦେଇଥିଲେ । ଲୋକଙ୍କ ନିକଟରତର ହେବାପାଇଁ ଜୋରସୋରରେ ପ୍ରଚାର ଅଭିଯାନ ଚଳାଇଛନ୍ତି ବିଜୟ ମହାପାତ୍ର । ଏହି କ୍ରମରେ ଆଜି ତୁଳସୀକ୍ଷେତ୍ର ଗସ୍ତ କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ । ନବୀନଙ୍କ ଏହି ଗସ୍ତ ଉପରେ ସମସ୍ତଙ୍କ ନଜର । ପଞ୍ଚମ ଥର ପାଇଁ ଶାସନ ଭାରକୁ ଆସିବା ପରେ ପାଟକୁରା ନିର୍ବାଚନକୁ ମଧ୍ୟ ଗୁରୁତର ସହ ନେଉଛ ନବୀନ । ପାଟକୁରା ଅକ୍ତିଆର କରିବା ପାଇଁ ପୂର୍ବତନ ବିଧାୟକ ସ୍ୱର୍ଗତଃ ବେଦ ପ୍ରକାଶ ଅଗ୍ରୱାଲଙ୍କ ଧର୍ମପତ୍ନୀ ସାବିତ୍ରୀ ଅଗ୍ରୱାଲଙ୍କୁ ମଙ୍ଗ ଧରାଇଛନ୍ତି ବିଜେଡ଼ି ସୁପ୍ରିମୋ । ସାବିତ୍ରୀ ଅଗ୍ରୱାଲ ମଧ୍ୟ ବିଜୟ ମହାପାତ୍ରଙ୍କୁ କଡ଼ା ଟକ୍କର ଦେବାପାଇଁ ଫୁଲଦମରେ ପ୍ରଚାର ଚଳାଇଛନ୍ତି । ଦ୍ୱିତୀୟ ରଜ ବା ରଜ ସଂକ୍ରାନ୍ତିରେ ଦୋଳି ଖେଳିବା ସହ ଲୋକଙ୍କ ନିକଟତର ହେବାକୁ ଚେଷ୍ଟା କରିଛନ୍ତି ସାବିତ୍ରୀ । ସମୟ ପାଖେଇ ଆସୁଥିବା ବେଳେ କେନ୍ଦ୍ରାପଡ଼ା ରାଜନୀତିରେ ନିର୍ବାଚନୀ କସରତ ଆରମ୍ଭ ହୋଇଯାଇଛି ।

ତେବେ ଆଜିର କେନ୍ଦ୍ରାପଡ଼ା ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନଙ୍କର କୌଣସି ରାଜନୈତିକ ସମ୍ମନ୍ଧ ନାହିଁ । କେବଳ ବଳଦେବଜୀଉଙ୍କ ଦର୍ଶନ କରି ତୁରନ୍ତି ଭୁବନେଶ୍ୱର ଅଭିମୁଖେ ଫେରିଆସିବେ ନବୀନ । ତଥାପି ନବୀନଙ୍କ ଗସ୍ତ ଯୋଗୁଁ କେନ୍ଦ୍ରାପଡ଼ା ରାଜନୀତି ସରଗରମ ରହିଛି ।