ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀରେ ମନ୍ତ୍ର ଦେଲେ ସୁପ୍ରିମୋ : ଦଳର ସବୁ କାର୍ଯ୍ୟର କେନ୍ଦ୍ରବିନ୍ଦୁ ସାଧାରଣ ଲୋକ, ଜନସାଧାରଣଙ୍କୁ ହକ୍ ଦେବାକୁ ୫-ଟି ପଦକ୍ଷେପ

496

କନକ ବ୍ୟୁରୋ : ବିଜେଡି  କାର୍ଯ୍ୟକାରିଣୀରେ ନେତାଙ୍କୁ ବିଜେଡି ସୁପ୍ରିମୋଙ୍କ ମନ୍ତ୍ର । ଦଳର ବିଜୟ ଧାରା ଲାଗି ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ  ଧନ୍ୟବାଦ ଦେଇଛନ୍ତି । ସେ କହିଛନ୍ତି, ସାଧାରଣଲୋକ ଆମ ସବୁ କାର୍ଯ୍ୟକ୍ରମର କେନ୍ଦ୍ରବିନ୍ଦୁ । ସାଧାରଣ ଲୋକଙ୍କୁ ତାର ହକ୍ ଦେବା ଲାଗି ଆମ ୫-ଟି ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଏଦିଗରେ ସମସ୍ତେ କାମ କରନ୍ତୁ । ଆସନ୍ତାକାଲିଠାରୁ ବିଜେଡିର ମେମ୍ବରସିପ ଡ୍ରାଇଭ ଆରମ୍ଭ ହେବ ।  ଏହା ଅକ୍ଟୋବର ୩୧ ଯାଏଁ ଚାଲିବ । ଦଳର ତୃଣମୂଳ ସ୍ତରର କର୍ମକର୍ତ୍ତା ଓ କର୍ମୀଙ୍କୁ ସାଥିରେ ଧରି ପ୍ରତି ଘରେ ପହଂଚିବାକୁ ଦଳୀୟ ସୁପ୍ରିମୋ କର୍ମୀଙ୍କ ଆହ୍ୱାନ ଦେଇଛନ୍ତି । ଏହାସହ ସମସ୍ତଙ୍କୁ ପରିବର୍ତ୍ତନର ବାର୍ତ୍ତାବହ ହେବାକୁ ପରାମର୍ଶ ଦେଇଛନ୍ତି ନବୀନ ପଟ୍ଟନାୟମ ।

ଆଜି ରାଜଧାନୀରେ ଅନୁଷ୍ଠିତ ହୋଇଛି ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ । ଏହି ଅବସରରେ ଦଳ ମାନସ ମନ୍ଥନ କରିଛି । ପ୍ରାଥମିକ ପର୍ଯ୍ୟାୟରେ ୪୭ ଲକ୍ଷ ନୂଆ ସଦସ୍ୟଙ୍କୁ ବିଜେଡି ସାମିଲ କରିବାକୁ ଦଳ ଲକ୍ଷ୍ୟ ରଖିଛି । ଛାତ୍ର, ମହିଳା ଓ ଯୁବକୁ ଗୁରୁତ୍ୱ ଦେବ ବିଜେଡି । ସଭ୍ୟ ସଂଗ୍ରହ ଅଭିଯାନରେ ବିଜେଡି ଫାଇଭ-ଟି ଉପଯୋଗ କରିବାକୁ ନିଷ୍ପତି ନେଇଛି । ଏହି କ୍ରମରେ ଦଳରେ ସାମିଲ ହେଉଥିବା ପ୍ରତି ସଦସ୍ୟଙ୍କ ଆଧାର ଲିଙ୍କ କରାଯିବ । ସମସ୍ତ ସଦସ୍ୟଙ୍କ ନାଁ ବିଜେଡିର ୱେବ ସାଇଟରେ ଉପଲବ୍ଧ ହେବ । ଏହା ଜରିଆରେ ସରକାରଙ୍କ ଦ୍ୱାରା ଦିଆଯାଉଥିବା ସମସ୍ତ ଯୋଜନା ସଭ୍ୟମାନେ ପାଇଛନ୍ତି କି ନାହିଁ ତାହା ମଧ୍ୟ ଜଣାପଡିବ । ସେପଟେ ସଦସ୍ୟ ସଂଗ୍ରହ ପାଇଁ ନୂଆ ଫର୍ମୁଲା ତିଆରି କରିଛି ଦଳ ।

ପ୍ରତି ୱାର୍ଡରୁ ୪ ଜଣ ସକ୍ରିୟ ସଦସ୍ୟ, ପ୍ରତି ଏନଏସିରୁ ୫ ଜଣ ସକ୍ରିୟ ସଦସ୍ୟ ହେବେ, ମ୍ୟୁନିସିପାଲଟି ସ୍ତରରେ ୧୫ ଜଣ ଓ ମହାନଗର ନିଗମରେ ୪୦ ଜଣ ସକ୍ରିୟ ସଦସ୍ୟ ରହିବେ । ପ୍ରତି ସକ୍ରିୟ ସଦସ୍ୟକୁ ମିଶାଇ ୨୫ ଜଣ ସଭ୍ୟ ସଂଗ୍ରହ  କରିବେ । ବର୍ତମାନ ସଦସ୍ୟ ସଂଖ୍ୟାରୁ ଦୁଇଗୁଣ ଲକ୍ଷ୍ୟ ରଖାଯାଇଛି ବୋଲି କହିଛନ୍ତି ଦଳର ସାଧାରଣ ସଂପାଦକ ଅରୁଣ ସାହୁ । ଅନ୍ୟପଟେ ଦଳର ସମସ୍ତ ସାଂଗଠନିକ ନିର୍ବାଚନ ଦାୟିତ୍ୱ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ସର୍ବ ସମ୍ମତିରେ ଦିଆଯାଇଛି ।